ଅପରାହ୍ଣରେ ‘ବହୁଭାଷୀ ଜୀବନରେ ମାତୃଭାଷା ଉପେକ୍ଷିତ’ ଶୀର୍ଷକ ଅଧିବେଶନକୁ ପରିଚାଳନା କରିଥିଲେ କଥାକାର ତଥା ବରିଷ୍ଠ ଆଇପିଏସ୍ ଦେବାଶିଷ ପାଣିଗ୍ରାହୀ। ଏଥିରେ ଆଲୋଚନା ଭାବେ ବିିଶିଷ୍ଟ ଭାଷାବିତ୍ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ କହିଲେ, ବିଶ୍ୱରେ ୭ ହଜାର ଭାଷା ଥିଲା। ସେଥିରୁ ଏକ ହଜାର ଭାଷା ମରିଗଲାଣି। ଦେଶରେ ତିନି ହଜାର ଓ ଓଡ଼ିଶାରେ ଶହେ ଭାଷା ରହିଥିଲେ ମଧ୍ୟ ଆମେ ତାହାକୁ ଅଣଦେଖା କରୁଛୁ। ସ୍ଥିତି ଏମିତି ହୋଇଛି ଯେ ଓଡ଼ିଆ ବୋଲି ପରିଚୟ ଦେବାକୁ ଆମର ଯୁବପିଢ଼ି କୁଣ୍ଠାବୋଧ କରୁଛନ୍ତି। କିଛି ବର୍ଷ ଆଗରୁ ଭାରତୀୟ ଭାଷାଗୁଡ଼ିକ ପରସ୍ପରର ପରିପୂରକ ଥିବାରୁ ଗୋଟିଏ ଭାଷା ଆଉ ଗୋଟିଏ ଭାଷାକୁ ଦବାଇ ପାରୁ ନ ଥିଲା। ଏବେ କିନ୍ତୁ ଭାଷା ମଧ୍ୟରେ ବିବାଦ ମୁଣ୍ଡ ଟେକିଛି। ପରସ୍ପରର ବିରୋଧୀ ହେବାରୁ ଭାଷା ମରିଯାଉଛି। ଏହାଛଡ଼ା ମାତୃଭାଷା ପ୍ରତି ମମତା ମଧ୍ୟ କମୁଛି ବୋଲି ସେ କହିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଭାଷାବିତ୍ ପ୍ରଫେସର ପଞ୍ଚାନନ ମହାନ୍ତି କହିଲେ, ମାତୃଭାଷା ଶିଖିଲେ ଜଣେ ଭଲ ମଣିଷ ହୋଇପାରିବ। କିନ୍ତୁ ବହୁଭାଷୀ ହେବା ଦ୍ୱାରା ସୁପର ହ୍ୟୁମାନ ହେବା ସହ ୪ରୁ ୫ ବର୍ଷ ଅଧିକ ବଞ୍ଚିପାରିବ। ୨୦୦୧ ଜନଗଣନା ତଥ୍ୟକୁ ଉପସ୍ଥାପନ କରି କହିଲେ ୪୦ କୋଟି ଲୋକ ହିନ୍ଦୀ ଭାଷା କହିଥାନ୍ତି। ସେମାନଙ୍କ ମଧ୍ୟରୁ ୨.୧୩ ପ୍ରତିଶତ ହେଉଛନ୍ତି ତ୍ରିଭାଷୀ। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ୯୮% ଲୋକ ତ୍ରିଭାଷୀ ନୁହନ୍ତି। ଭାଷାର ବିକାଶ ଲାଗି ସରକାରଙ୍କ ପକ୍ଷରୁ ନଦୀ ଓ ସହର ଯୋଜନା ଭଳି ଭାଷା ଯୋଜନାର ଆବଶ୍ୟକତା ରହିଛି। ଭାଷା ନୀତି କରା ନ ଗଲେ ଭଲ ଶିକ୍ଷା ନୀତି ହୋଇପାରିବ ନାହିଁ ବୋଲି ସେ ମତବ୍ୟକ୍ତ କରିଥିଲେ।
ଅନ୍ୟତମ ଆଲୋଚକ ଭାବେ ଯୋଗ ଦେଇ ସମ୍ବାଦ ଗ୍ରୁପ୍ର କାର୍ଯ୍ୟନିର୍ବାହୀ ନିର୍ଦେଶିକା ତନୟା ପଟ୍ଟନାୟକ କହିଲେ, ଇଂରାଜୀ ଭାଷା ଏବେ ଏକ ଫ୍ୟାସନ ହୋଇଯାଇଛି। ଯଦି ଜଣେ ପିଲା ହଲିଉଡ୍ ଫିଲ୍ମ ଦେଖୁଛି, ଇଂରାଜୀ ଗୀତ ଶୁଣୁଛନ୍ତି କିମ୍ବା ଇଂରାଜୀରେ କଥା ହେଉଛନ୍ତି ତାଙ୍କୁ ଆମେ ଉତ୍ସାହିତ କରୁଛୁ। କିନ୍ତୁ ଓଡ଼ିଆରେ ଶୁଦ୍ଧ ଭାବେ କଥା ହେଲେ ମଧ୍ୟ କେହି ବି ପଚାରୁନାହାନ୍ତି। ଭାଷାକୁ ବଞ୍ଚାଇବାକୁ ହେଲେ ଏହାର ବ୍ୟବହାରକୁ ବ୍ୟାପକ କରିବାକୁ ପଡ଼ିବ। ମାତୃଭାଷାରେ ଲେଖିବା କିମ୍ବା କହିବା ନେଇ ଯଦି ସରକାରଙ୍କ କୌଣସି ନିୟମ କରିଥାନ୍ତେ କି ଦଣ୍ଡ ବ୍ୟବସ୍ଥା ହୋଇଥାନ୍ତା ତେବେ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୁଅନ୍ତା। ଓଡ଼ିଆ ନ ଜାଣିଲେ ଚାକିରି ମିଳିବ ନାହିଁ ବୋଲି ଯଦି କୌଣସି ନିୟମ ହୋଇଥାନ୍ତା ତେବେ ପିଲାଙ୍କୁ ମାତୃଭାଷା ଶିଖିବାକୁ ପଡ଼ିଥାନ୍ତା। ପିଲାଙ୍କ ମାତୃଭାଷା ବ୍ୟବହାର କରିବା ଦିଗରେ ଅଭିଭାବକଙ୍କର ପ୍ରମୁଖ ଭୂମିକା ରହିଛି ବୋଲି ସେ କହିଥିଲେ।