ମଣିଷ ଭିତରେ ଅନନ୍ତ ସମ୍ଭାବନା: ମନୋଜ ଦାସ

ଟାଟା ଷ୍ଟିଲ୍‌ ଭୁବନେଶ୍ୱର ଲିଟେରାରି ମିଟ୍‌ ଉଦ୍‌ଘାଟିତ

0 287

ଭୁବନେଶ୍ୱର : ମଣିଷ ବିବର୍ତ୍ତନର ଶେଷ କଥା ନୁହେଁ। ମାନବ ଚେତନାର ଯାତ୍ରା ଅବ୍ୟାହତ ରହିଛି। ପ୍ରତ୍ୟେକ ମନୁଷ୍ୟ ମଧ୍ୟରେ ରହିଛି ସମ୍ଭାବନାର ଅନନ୍ତ ଭଣ୍ଡାର। ଗଭୀର ଆତ୍ମବିଶ୍ୱାସ ଦିନେ ନା ଦିନେ କାର୍ଯ୍ୟ ହାସଲରେ ସହାୟକ ହେବ। ମନୁଷ୍ୟ ଜୀବନରେ ସାହିତ୍ୟ, ଦର୍ଶନ ଓ କଳାର ଅବସ୍ଥିତି ଯୁଗେ ଯୁଗେ ରହିଆସିଛି। ମାତ୍ର ଯନ୍ତ୍ରାବଦ୍ଧ ମଣିଷ ତା’ର ସୃଜନଶୀଳ ସତ୍ତାକୁ କ୍ରମଶଃ ହରାଇ ବସୁଛି। ଯନ୍ତ୍ର ମାନବ ସଭ୍ୟତାକୁ ସମ୍ପୂର୍ଣ୍ଣ କରାୟତ୍ତ କରିବା ପୂର୍ବରୁ ଏକ ନୂତନ ଚେତନାର ଅଭ୍ୟୁଦୟ ହେବ। ଟାଟା ଷ୍ଟିଲ୍‌ ଲିଟେରାରି ମିଟ୍‌ର ଉଦ୍‌ଘାଟନୀ ସନ୍ଧ୍ୟାରେ ଏଭଳି ଆଶାର ବାଣୀ ଶୁଣାଇଛନ୍ତି ପ୍ରଥିତଯଶା ସାହିତ୍ୟିକ ତଥା ଆଧ୍ୟାତ୍ମ୍ୟବାଦୀ ସାଧକ ମନୋଜ ଦାସ।

‘ସମ୍ବାଦ’ ଗ୍ରୁପ୍‌ ସହଯୋଗରେ ବହୁ ପ୍ରତୀକ୍ଷିତ ତୃତୀୟ ଟାଟା ଷ୍ଟିଲ ଭୁବନେଶ୍ୱର ଲିଟେରାରି ମିଟ୍‌ ଆଜି ଅପରାହ୍ଣରେ ହୋଟେଲ ଟ୍ରାଇଡେଣ୍ଟରେ ଉଦ୍‌ଘାଟିତ ହୋଇଯାଇଛି। ଦୁଇ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଲେଖକ ମନୋଜ ଦାସ ଓ ରସ୍କିନ ବଣ୍ଡ ଏକ ନିଆରା ଢଙ୍ଗରେ ଏକ କାନ୍‌ଭାସ୍‌ରେ ପରସ୍ପରର ନାମ ଲେଖି ଏହି ଭବ୍ୟ ସନ୍ଧ୍ୟାକୁ ଉଦ୍‌ଘାଟନ କରିଥିଲେ। ଶ୍ରୀ ବଣ୍ଡ୍‌ ନିଜ ନାମ ପରିବର୍ତ୍ତେ ଇଂରାଜୀରେ ମନୋଜ ଦାସଙ୍କ ନାମ ଲେଖିଥିବାବେଳେ ଶ୍ରୀ ଦାସ ଓଡ଼ିଆରେ ରସ୍କିନ ବଣ୍ଡଙ୍କ ନାମ ଲେଖିଥିଲେ। ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଏହି ସାହିତ୍ୟ ଉତ୍ସବକୁ ସମସ୍ତ ଅତିଥିଙ୍କୁ ସ୍ୱାଗତ କରିବା ସହ ଏକ ଗଣମାଧ୍ୟମ ଭାବରେ ‘ସମ୍ବାଦ’ ସମାଜରେ ସର୍ବଦା ନୂତନତ୍ୱ ଆଣିବାରେ ବିଶ୍ୱାସ ରଖେ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଟାଟା ଷ୍ଟିଲ ସିସି ଏବଂ ରେଗୁଲେଟୋରି ଆଫେୟାର୍‌ସର ଗ୍ରୁପ୍‌ ନିର୍ଦ୍ଦେଶକ ଚାଣକ୍ୟ ଚୌଧୁରୀ, ଟାଟା ଷ୍ଟିଲ ଭୁବନେଶ୍ୱର ଲିଟେରାରି ମିଟ୍‌ର ନିର୍ଦ୍ଦେଶିକା ମାଳବିକା ବାନାର୍ଜୀ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ନିଜର ସାତ ଦଶନ୍ଧିର ସାହିତ୍ୟ ସାଧନାର ଯାତ୍ରା ସଂପର୍କରେ ବର୍ଣ୍ଣନା କରି ମୁଖ୍ୟଅତିଥି ଶ୍ରୀ ଦାସ କହିଲେ ଯେ ପାରିପାର୍ଶ୍ୱିକ ଘଟଣାବଳୀ ସାହିତ୍ୟ ରଚନାକୁ ପ୍ରଭାବିତ କରିବା ଅନିବାର୍ଯ୍ୟ। ତେବେ ସାହିତ୍ୟରେ ପ୍ରେରଣାର ଅଭିବ୍ୟକ୍ତି ଅନସ୍ୱୀକାର୍ଯ୍ୟ। ପ୍ରେରଣା ଥିଲେ ଏକ କାଳ୍ପନିକ କଥାବସ୍ତୁ ମଧ୍ୟ ବାସ୍ତବ ରୂପ ଧାରଣ କରିବ। ବାଲେଶ୍ୱର ଜିଲ୍ଲାର ସମୁଦ୍ରତଟ ନିକଟବର୍ତ୍ତୀ ଶଙ୍ଖାରୀ ଗ୍ରାମରେ ଜନ୍ମଲାଭ କରିଥିବା ମନୋଜଙ୍କୁ ତାଙ୍କର ବିଦ୍ୟାଳୟ ଜୀବନ ଏବଂ ତତ୍କାଳୀନ ସମାଜରେ ସେ ଦେଖିଥିବା ଦାରିଦ୍ର୍ୟ, ଅନାହାର ଗଭୀର ମାତ୍ରାରେ ପ୍ରଭାବିତ କରିଥିଲା। ଯାହାକି ତାଙ୍କର ପ୍ରଥମ ଗଳ୍ପ ‘ସମୁଦ୍ରର କ୍ଷୁଧା’ରେ ଏହା ପ୍ରତିଫଳିତ ହୋଇଥିଲା। ସ୍ୱାଧୀନତାର ପରବର୍ତ୍ତୀ କାଳରେ ବାତାବରଣରେ ଲାଗି ରହିଥିବା ଭୟ, ଦୁଃଖଯାତନା ମଧ୍ୟ ତାଙ୍କ ମନରେ ଗଭୀର ରେଖାପାତ କରିଥିଲା। ସେ ଅଧ୍ୟୟନ କରୁଥିବା ଦେଢ଼ ମାଇଲ୍‌ ଦୂରରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଖୋଲିଥିବା ମାଗଣା ଭୋଜନାଳୟରେ ଦିଆଯାଉଥିବା ଉଷୁନା ଭାତ ଓ ଡାଲି ନାମକ ଏକ ହଳଦିଆ ପାଣିକୁ ପାଇବା ପାଇଁ ଏକ ବୃଦ୍ଧ ଦମ୍ପତି ହାମୁଡ଼ି ହାମୁଡ଼ି ଯିବା ଓ ଶେଷରେ ପ୍ରାଣତ୍ୟାଗ କରିବା ଘଟଣା ତାଙ୍କୁୁ ବିଚଳିତ କରିଥିଲା ଏବଂ ତାଙ୍କ ସାହିତ୍ୟରେ ଏସବୁର ପ୍ରଭାବ ପଡ଼ିଥିଲା ବୋଲି ସେ ସ୍ୱୀକାର କରିଥିଲେ।

ଶ୍ରୀ ଦାସ ଛାତ୍ର ଜୀବନରେ ମଣିଷ ଜୀବନର ଦୁଃଖ ଯାତନାକୁ ଖୁବ୍‌ ନିକଟରୁ ଦେଖିଥିବାରୁ ସାମ୍ୟବାଦ ଆଦର୍ଶକୁ ଆପଣେଇଥିଲେ। ସେହି ସମୟରେ ତାଙ୍କ ଗଳ୍ପରେ ଏସବୁ ପ୍ରତିଫଳିତ ହୋଇଥିଲା। ତେବେ ପରବର୍ତୀ ସମୟରେ ତାଙ୍କର ଉପଲବ୍ଧି ହୋଇଥିଲା ଯେ ମଣିଷର ଦୁଃଖ କେବଳ ବାହ୍ୟ କାରଣ ଯୋଗୁଁ ନୁହେଁ। ଏହାର ସମାଧାନ ମଣିଷରର ଅନ୍ତରରେ ରହିଛି। ଶ୍ରୀଅରବିନ୍ଦଙ୍କ ଦର୍ଶନର ସଂସ୍ପର୍ଶରେ ଆସିବା ପରେ ତାଙ୍କ ଲେଖାରେ ଏକ ଦୃଢ଼ ଭଗବ୍‌ତ ବିଶ୍ୱାସ, ଚେତନାର ଅଭିଯାତ୍ରା ଓ ମଣିଷ ଜାତିର ବିବର୍ତ୍ତନ ଆଦିର ଅଭିବ୍ୟକ୍ତି ଦେଖିବାକୁ ମିଳିଥିଲା।

ଶ୍ରୀ ଦାସ ଆହୁରି କହିଲେ ଯେ ମହାନ ଦେଶ ଭାରତ ଏକଦା ସମଗ୍ର ବିଶ୍ୱକୁ ବିଷାଦ, ମାନସିକ ଅଶାନ୍ତିରୁ ମୁକୁଳିବା ନିମନ୍ତେ ଉପାୟ ଦେଇଥିଲା। ଭଗବତ୍‌ ଗୀତାର ବିଷାଦ ଯୋଗରେ ପ୍ରଭୁ ଶ୍ରୀକୃଷ୍ଣ ସଖା ଅର୍ଜୁନଙ୍କୁ ଏହା କହିଥିଲେ। ମାତ୍ର ଆଜି ପରିସଂଖ୍ୟାନ କହୁଛି ଭାରତରେ ଅବସାଦଗ୍ରସ୍ତଙ୍କ ସଂଖ୍ୟା ସର୍ବାଧିକ। ଏହା ଅତ୍ୟନ୍ତ ବେଦନାର ବିଷୟ। ସେଥିପାଇଁ ମଣିଷ ଭିତରେ ଆତ୍ମବିଶ୍ୱାସ ଫେରାଇ ଆଣିବାକୁ ପଡ଼ିବ। ମନୁଷ୍ୟକୁ ଅନ୍ତର୍ମୁଖୀ ହେବାକୁ ପଡ଼ିବ। ସାମ୍ୟବାଦୀ ଦର୍ଶନରୁ ସାରସ୍ୱତ ଓ ଆଧ୍ୟାତ୍ମିକବାଦୀ ଜୀବନର ଦୀର୍ଘ ଯାତ୍ରା ତାଙ୍କର ରଚନା ଅମୃତ ଫଳ ଭଳିି ସାରସ୍ୱତ କୃତୀରେ ପ୍ରତିଫଳିତ ହୋଇଛି ବୋଲି ଶ୍ରୀ ଦାସ ପ୍ରକାଶ କରିଥିଲେ।

ଭାରତୀୟ ପ୍ରାଚୀନ ସଂସ୍କୃତିର ମହାନତା ସଂପର୍କରେ ସଚେତନ କରିଦେବା ସହିତ ଶ୍ରୀ ଦାସ ଆଜିର ସମୟରେ କିପରି କିଛି ବ୍ୟକ୍ତି ସାମାନ୍ୟ ଜ୍ଞାନ ନଥାଇ ମଧ୍ୟ ମହାନ୍‌ ଚରିତ୍ର ସୀତା, ସାବିତ୍ରୀ ଓ ଦ୍ରୌପଦୀଙ୍କ ବିଷୟରେ ମନଗଢ଼ା ରଚନା କରୁଛନ୍ତି ତାହାକୁ ନାପସନ୍ଦ କରିଥିଲେ। ସୀତା ଭୀରୁତାର ପ୍ରତୀକ ନୁହଁନ୍ତି, ସମଗ୍ର ନାରୀ ଜାତିକୁ ସହିଷ୍ଣୁ ହେବାର ପ୍ରେରଣା ଦେଇଛନ୍ତି ବୋଲି ଦର୍ଶାଇବା ସହ ଏ ସଂପର୍କରେ ରାମାୟଣରେ ବର୍ଣ୍ଣିତ କାହାଣୀର ତାତ୍ପର୍ଯ୍ୟକୁ ଅବତାରଣା କରିଥିଲେ। ସେହିପରି ଶିଶୁର ଦିବ୍ୟଚେତନା, ସୃଜନଶୀଳତାକୁ ସ୍ୱାଭାବିକ ଭାବରେ ବିକଶିତ ହେବାର ସୁଯୋଗ ଦେବା ଆବଶ୍ୟକ ବୋଲି କହିଥିଲେ। ଶ୍ରୀ ଦାସଙ୍କ ଏହି ପ୍ରେରଣାଦାୟୀ ବକ୍ତବ୍ୟ ଉପସ୍ଥିତ ସୁଧୀମଣ୍ଡଳୀଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।

ସମ୍ବନ୍ଧିତ ଖବର

Leave A Reply

Your email address will not be published.