ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଟାଟା ଟ୍ରଷ୍ଟ ପ୍ରତିନିଧିମଣ୍ଡଳୀ : ୧୧ସୂତ୍ରୀ ବିକାଶ ଯୋଜନା ନେଇ ଦିଆଗଲା ପ୍ରସ୍ତାବ

କଟକ : କଟକ ଆଚାର୍ଯ୍ୟ ହରିହର ଆଂଚଳିକ କର୍କଟ ରୋଗ କେନ୍ଦ୍ରର ଭିତ୍ତିଭୂମିର ବିକାଶ ପାଇଁ ଆଜି ଟାଟା ଟ୍ରଷ୍ଟର ତିନିଜଣିଆ ପ୍ରତିନିଧିମଣ୍ଡଳୀ କେନ୍ଦ୍ର ପରିଦର୍ଶନ ସହ ଭିତ୍ତଭୂମିର ବିକାଶ ନେଇ ଅନୁଧ୍ୟାନ କରିଥିଲେ। କେନ୍ଦ୍ରର ଭିତ୍ତିଭୂମିର ବିକାଶ ଓ ସମସ୍ୟା ସଂପର୍କରେ କର୍କଟ କେନ୍ଦ୍ରର ଡାଇରେକ୍ଟର ଡାକ୍ତର ଲଲାଟାଟେନ୍ଦୁ ଷଡଙ୍ଗୀ ୧୧ସୂତ୍ରୀ ଯୋଜନା ସମ୍ବଳିତ ବିକାଶ ପତ୍ର ଉକ୍ତ ପ୍ରତିନିଧିମଣ୍ଡଳୀକୁ ପ୍ରଦାନ କରିଥିଲେ। ଯେଉଁଥିରେ ତିନୋଟି ଉଚ୍ଚକ୍ଷମତାସଂପନ୍ନ ରେଡିଓଥେରାପି ବଙ୍କର ସହ ବିଭିନ୍ନ ବିଭାଗର ସଂପ୍ରସାରଣ ଓ ବିକାଶ ନେଇ କେନ୍ଦ୍ର ପକ୍ଷରୁ ପ୍ରତିନିଧିମଣ୍ଡଳୀଙ୍କ ସମ୍ମୁଖରେ ବିକାଶ ପାଇଁ ପ୍ରସ୍ତାବ ରଖାଯାଇଥିବା ଜଣାପଡିଛି।

ରାଜ୍ୟରେ କର୍କଟ ରୋଗର ଉଚ୍ଚତର ଗବେଷଣା ଓ ଚିକିତ୍ସା ପାଇଁ ଗତ କିଛି ଦିନ ତଳେ ରାଜ୍ୟ ସରକାର ଟାଟା ଟ୍ରଷ୍ଟ ସହିତ ଏମ୍‌ଓୟୁ କରିଥିଲେ। ରାଜ୍ୟରେ ଏକ ହସ୍ପିଟାଲ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଟାଟା ଏତେ ବଡ ପ୍ରକଳ୍ପ ରାଜ୍ୟରେ କରିବାକୁ ଯାଉଥିବାରୁ ଆଜି ଟାଟା ଟ୍ରଷ୍ଟର ପକ୍ଷରୁ ଅଭିଶେଖ ଲାଠ୍‌, ପ୍ରଦୀପ ଯାଦବ, ଚିନ୍ମୟ ପାଟିଲ ପ୍ରମୁଖ ତିନିଜଣିଆ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ କଟକ ଆଚାର୍ଯ୍ୟ ହରିହର କର୍କଟରୋଗ ଆଂଚଳିକ କେନ୍ଦ୍ର ପରିଦର୍ଶନ କରିଛନ୍ତି। ତେବେ କେନ୍ଦ୍ରରେ ଆଜି ବି ସ୍ଥାନାଭାବ ସମସ୍ୟା ପାଇଁ ଅନେକ ଉକୃଷ୍ଠମାନର ରୋଗୀ ସେବା ରୋଗୀଙ୍କୁ ମିଳିପାରୁନଥିବା ସଂପର୍କରେ କେନ୍ଦ୍ରର ଡାଇରେକ୍ଟର ଉକ୍ତ ପ୍ରତିନିଧିମଣ୍ଡଳୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ଉକ୍ତ ପ୍ରତିନିଧିମଣ୍ଡଳୀ ଲିନାକ୍‌ ବିଲଡିଂ, ଆଉଟ୍‌ଡୋର, ଓପିଡି ଆଦି ପରିଦର୍ଶନ କରିବା ସହ ବିକାଶ ନେଇ କେନ୍ଦ୍ରର ଡାଇରେକ୍ଟର, ଡ଼ିନ୍‌ ପ୍ରଫେସର ଡାକ୍ତର ନିରଞ୍ଜନ ରାଉତ୍‌, ସୁପରିଟେଣ୍ଡେଣ୍ଟ ପ୍ରଫେସର ଡାକ୍ତର ପଦ୍ମାଳୟା ଦେବୀ, ପ୍ରଫେସର ଡାକ୍ତର ପି. କେ ଦାସ, ପ୍ରଶାସନିକ ଅଧିକାରୀ ରୁଦ୍ର ନାରାୟଣ ଦାସଙ୍କ ସମେତ ସମସ୍ତ ପଦାଧିକାରୀ ଉପସ୍ଥିତ ଥିଲେ। ତେବେ ଚଳିତମାସ ୯ତାରିଖରେ ମଧ୍ୟ ଟାଟା ଟ୍ରଷ୍ଟର ଏକ ପ୍ରତିନିଧିମଣ୍ଡଳୀ ଆଚାର୍ଯ୍ୟ ହରିହରି କେନ୍ଦ୍ର ପରିଦର୍ଶନରେ ଆସି ଭିତ୍ତିଭୂମିର ଅନୁଧ୍ୟାନ କରିଥିଲେ।

୪ରେ ମାମୋଗ୍ରାଫି ମେସିନ୍‌କୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

କଟକ : ଅଗଷ୍ଟ ୪ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ୱାରା ଲୋକାର୍ପିତ ହେବ ବହୁପ୍ରତୀକ୍ଷିତ ମାମୋଗ୍ରାଫି ମେସିନ୍‌। କଟକ ଆଚାର୍ଯ୍ୟ ହରିହର ଆଂଚଳିକ କର୍କଟ ରୋଗ କେନ୍ଦ୍ରରେ ଏହାର ଲୋକାର୍ପଣ କାର୍ଯ୍ୟକ୍ରମ ରହିଛି। ୧.୭୫କୋଟି ଟଙ୍କା ବ୍ୟୟରେ ସୁବ୍ରତ ବାଗ୍‌ଚିଙ୍କ ଧର୍ମପତ୍ନୀ ସସ୍ମିତା ବାଗ୍‌ଚିଙ୍କ ଦ୍ୱାରା ପ୍ରଦତ୍ତ ଏହି ମେସିନ୍‌ ସ୍ତନ କର୍କଟ ରୋଗର ନିରୂପଣ ଓ ଚିହ୍ନଟ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ। ଦୀର୍ଘ ୧ମାସରୁ ଉର୍ଦ୍ଧ୍ୱ ହେଲା ଏହି ମେସିନ୍‌ ପ୍ରଦାନ କରିଥିବାବେଳେ ପୁରୁଣା ବିଲଡିଙ୍ଗରେ ଏହି ମେସିନ୍‌କୁ ସ୍ଥାପନ କରାଯାଇଛି। ମାମୋଗ୍ରାଫି ମେସିନ୍‌ ଦ୍ୱାରା ସ୍ତନ କର୍କଟର କ୍ରିନିଙ୍ଗ ଟେଷ୍ଟ କରାଯିବ। ଅର୍ଥାତ୍‌ ସ୍ତନ୍ୟକର୍କଟ ରୋଗ ଅଛି ନା ନାହିଁ ସେ ସଂପର୍କରେ ଜଣାପଡିବ। ତେବେ ମୁଖ୍ୟମନ୍ତ୍ରୀଙ୍କ ୪ତାରିଖରେ କଟକରେ ଦୁଇଟି କାର୍ଯ୍ୟକ୍ରମ ରହିଥିବା ବେଳେ ଏନେଇ କାର୍ଯ୍ୟକ୍ରମ ସୂଚୀ ଦିନେ ଦୁଇଦିନ ଭିତରେ ଆସିବ ବୋଲି ଜିଲ୍ଲାପାଳ ସୁଶାନ୍ତ ମହାପାତ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର