ଜ୍ୟୋତିବିହାରରେ ଅଧ୍ୟାପକ-ଛାତ୍ର ମାଡ଼ପିଟ୍‌

ସମ୍ବଲପୁର : ସମ୍ବଲପୁର ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ବିଶ୍ୱବିଦ୍ୟାଳୟର ଜଣେ ଅଧ୍ୟାପକ ଏବଂ ଛାତ୍ରଙ୍କ ମଧ୍ୟରେ ସଂଘର୍ଷ ଘଟି ଉଭୟ ଗୁରୁତର ଆହତ ହୋଇଛନ୍ତି। ଆହତମାନେ ହେଲେ ରାଜନୀତି ବିଜ୍ଞାନ ବିଭାଗର ପ୍ରାଧ୍ୟାପକ ଡ. ରଜତ କୁଜୁର ଏବଂ ଲାଇବ୍ରେରି ଆଣ୍ଡ ଇନ୍‌ଫରମେସନ ସାଇନ୍‌ସ ବିଭାଗର ଏମ୍‌ଫିଲ୍‌ ଛାତ୍ର ବିଶ୍ୱ ରଂଜନ ଜେନା। ବୋତଲରେ ମାଡ଼ ଯୋଗୁଁ ଉଭୟଙ୍କ ମୁଣ୍ଡ ଫାଟିଥିବା ଅଭିଯୋଗ ହୋଇଛି। ବିଶ୍ୱରଞ୍ଜନ ବୁର୍ଲା ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଏହାପରେ ଏବିଭିପି ଓ ବିଜୁ ଛାତ୍ର ଜନତା ଦଳର ସମର୍ଥକମାନଙ୍କ ମଧ୍ୟରେ ବି ମାଡ଼ପିଟ୍‌ ହୋଇଛି। ବିଳମ୍ବିତ ରାତିରେ ବିଜୁ ଛାତ୍ର ଜନତା ଦଳ ସମର୍ଥିତ ଛାତ୍ରମାନେ ବହୁ ସଂଖ୍ୟାରେ ଜାତୀୟ ରାଜପଥ ଅବରୋଧ କରିବାକୁ ଯାଉଥିବାବେଳେ ପୁଲିସ ସେମାନଙ୍କୁ ଅଟକାଇ ବୁଝାସୁଝା କରୁଥିବା ଜଣାଯାଇଛି। କ୍ୟାମ୍ପସ୍‌ ଓ ଜାତୀୟ ରାଜପଥ ନିକଟରେ ପୁଲିସ ମୁତୟନ ହୋଇଛନ୍ତି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ରବିବାର ଜ୍ୟୋତିବିହାରରେ ଏବିଭିପିର ନୂଆଁଖାଇ ଭେଟ୍‌ଘାଟ୍‌ ଉତ୍ସବ ଥିଲା। ଏହାପରେ ସୋମବାର ଓ ମଙ୍ଗଳବାର ଦୁଇଦିନ ଧରି ବିଜୁ ଛାତ୍ର ଜନତା ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ ଆୟୋଜନ କରାଯାଇଛି। ସୋମବାର ସଂଧ୍ୟା ପ୍ରାୟ ୭ଟା ୩୦ ବେଳେ ଡ. ରଜତ କୁଜୁର ଏବଂ ବିଶ୍ୱରଂଜନଙ୍କ ମଧ୍ୟରେ କୌଣସି କାରଣରୁ ଗଣ୍ଡଗୋଳ ହୋଇଥିଲା। ଏଥିରେ ଉଭୟ ପରସ୍ପରକୁ ବୋତଲରେ ଆକ୍ରମଣ କରିଥିଲେ ବୋଲି ଉଭୟ ପକ୍ଷରୁ ବୁର୍ଲା ଥାନାରେ ଏତଲା ଦିଆଯାଇଛି।

ଡ. କୁଜୁର ‘ସମ୍ବାଦ’କୁ ଦେଇଥିବା ପ୍ରତିକ୍ରିୟାରେ କହିଛନ୍ତି ଯେ ସୋମବାରର ବିଜୁ ଛାତ୍ର ଜନତା ଦଳର ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମରେ ସେ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ସହ ଅତିଥିଭାବେ ଯୋଗ ଦେଇଥିଲେ। ସେଠାରୁ ଫେରି ସଂଧ୍ୟାରେ ନିଜ ବିଭାଗର ପ୍ରକୋଷ୍ଠରେ ବସିଥିବା ବେଳେ ଏବିଭିପିର ୩ ଜଣ ଛାତ୍ର ବିଶ୍ୱରଂଜନ ଜେନା, ମାନସ ସାହୁ ଏବଂ ପ୍ରକାଶ ଦଳେଇ ଆସି ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକ୍ରମକୁ କାହିଁକି ଯାଇଥିଲ ବୋଲି ପ୍ରଶ୍ନ କରି ଦୁର୍ବ୍ୟବହାର କରିବା ସହ ବାହାରୁ ଆଣିଥିବା ଏକ ବୋତଲରେ ତାଙ୍କ ମୁଣ୍ଡରେ ମାରିଥିଲେ। ସେମାନେ ତାଙ୍କ ମୋବାଇଲ ଛଡ଼ାଇ ନେଇ ଏକ କୋଠରି ଭିତରେ ବନ୍ଦ କରି ଦେଇଥିଲେ। ଖବର ପାଇ ଓ୍ଵାର୍ଡେନ ବିଶ୍ୱଜିତ ଶତପଥୀ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ ବୋଲି ଡ. କୁଜୁର କହିଛନ୍ତି।

ଅପର ପକ୍ଷରେ ଛାତ୍ର ପ୍ରକାଶ ଦଳେଇ ‘ସମ୍ବାଦ’କୁ ସୂଚନା ଦେଇଛନ୍ତି ଯେ ଡ. କୁଜୁର ନିଜ ବିଭାଗରେ ଥିବାବେଳେ ବିଶ୍ୱରଂଜନଙ୍କୁ ଡାକି ମଦ୍ୟପାନ ପାଇଁ କହିଥିଲେ ଓ ପାଣି ଆଣିବାକୁ ଆଦେଶ ଦେଇଥିଲେ। ବିଶ୍ୱରଂଜନ ମନା କରିବାରୁ ସେ ଉତ୍ତ୍ୟକ୍ତ ହୋଇ ଗାଳି ଗୁଲଜ କରିବା ସହ ତାଙ୍କ ମୁଣ୍ଡକୁ ବୋତଲରେ ଆକ୍ରମଣ କରିଥିଲେ। ଖବର ପାଇ ଅନ୍ୟ ଛାତ୍ରମାନେ ଘଟଣା ସ୍ଥଳରେ ପହଞ୍ଚିଥିଲେ। ସେମାନଙ୍କୁ ଦେଖି ଡ. କୁଜୁର ଗାଳି ଗୁଲଜ କରିଥିଲେ ଓ ଧମକ ଦେଇଥିଲେ। ଅପର ପକ୍ଷରେ ଏହି ଘଟଣାକୁ ନେଇ ଏବିଭିପି ଛାତ୍ର ଓ ବିଜୁ ଛାତ୍ର ଜନତା ଦଳ ଛାତ୍ରଙ୍କ ମଧ୍ୟରେ ପୁଣି ଗଣ୍ଡଗୋଳ ଓ ମାଡ଼ପିଟ ହୋଇଥିବା ଖବର ମିଳିଛି।

ସମ୍ବନ୍ଧିତ ଖବର