ଦାନା ବାନ୍ଧିଲାଣି ଶିକ୍ଷକ ଆନ୍ଦୋଳନ

ସ୍କୁଲ କଲେଜ ପାଇଁ ଅନୁଦାନ ପ୍ରଦାନ ଘୋଷଣାକୁ ବିରୋଧ

ଭୁବନେଶ୍ୱର: ସ୍କୁଲ ଖୋଲିବା ପୂର୍ବରୁ ପୁଣିଥରେ ସାରା ରାଜ୍ୟରେ ଦାନା ବାନ୍ଧିଲାଣି ଶିକ୍ଷକ ଆନ୍ଦୋଳନ। ରାଜ୍ୟ ସରକାରଙ୍କୁ ଘେରିବା ପାଇଁ ଆନ୍ଦୋଳନ ଡାକରା ଦେଇଛି ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ। ସ୍କୁଲ କଲେଜରୁ ବ୍ଲକଗ୍ରାଣ୍ଟ ଉଚ୍ଛେଦ କରି ସମସ୍ତଙ୍କୁ ଶତ ପ୍ରତିଶତ ପୂର୍ଣ୍ଣ ଅନୁଦାନ ପ୍ରଦାନ ଲାଗି କ୍ୟାବିନେଟ୍‌ରେ ନିଆଯାଇଥିବା ନିଷ୍ପତ୍ତିକୁ ମିଳିତ ମଞ୍ଚ ବିରୋଧ କରିଛି। ରାଜ୍ୟ ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୋଇଥିବା ନେଇ ଆଜି ଶ୍ରମିକ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମିଳିତ ମଞ୍ଚ ପକ୍ଷରୁ ଅଭିଯୋଗ କରାଯାଇଛି।

ମଞ୍ଚର ଆବାହକ ମଣ୍ଡଳୀ ସଦସ୍ୟ ପବିତ୍ର ମହାଲା, ଗୋଲକ ନାୟକ ଓ ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି ଯେ, ଦେଢ଼ ମାସ ତଳେ ରାଜ୍ୟ ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ବଦଳରେ ରାଜ୍ୟବାସୀଙ୍କ ନିକଟରେ ଶିକ୍ଷକମାନଙ୍କୁ ପୁନର୍ବାର ନିନ୍ଦିତ କରିବା ପାଇଁ ପ୍ରୟାସ କରିଛନ୍ତି। ଶିକ୍ଷକମାନେ ସବୁବେଳେ ସରକାରଙ୍କ କଥାରେ ସହମତି ପ୍ରକାଶ କରି ପରୀକ୍ଷା ପରିଚାଳନା, ଖାତା ମୂଲ୍ୟାୟନରେ ସହଯୋଗ କରୁଛନ୍ତି। କିନ୍ତୁ ବିଡ଼ମ୍ବନାର ବିଷୟ ହେଉଛି ଯେ ସରକାର ଅତୀତରେ ନେଇଥିବା ଦ୍ୱନ୍ଦ୍ୱାତ୍ମକ ନିଷ୍ପତ୍ତି ଉପରେ ତରବରିଆ ଭାବେ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହାକୁ ବିରୋଧ କରାଯାଉଛି।

ସତ୍ୟପାଠ ମାଧ୍ୟମରେ ରାଜ୍ୟ ସରକାର ଶିକ୍ଷକଙ୍କର ଯେଉଁ ସାମ୍ବିଧାନିକ ଅଧିକାରକୁ ଛଡ଼ାଇ ନେବାକୁ ମସୁଧା କରୁଛନ୍ତି ତାହାକୁ କୌଣସି ପ୍ରକାରେ ବରଦାସ୍ତ କରାଯିବ ନାହିଁ। ଆବଶ୍ୟକ ପଡ଼ିଲେ ଚାକିରି ସର୍ତ, ଅବସରକାଳୀନ ସୁବିଧା, ସପ୍ତମ ବେତନ କମିସନଙ୍କ ସୁପାରିସ ଦରମା ତଥା କଲେଜର ଏକ ମାସ ଓ ସ୍କୁଲର ୪୬ ଦିନର ବକେୟା ଦରମା ଓ ଅଦ୍ୟାବଧି ଯୋଗ୍ୟ ବିବେଚିତ ସମସ୍ତ ସ୍କୁଲ କଲେଜର ଅନୁଦାନ ପ୍ରଦାନ ଦାବିରେ ମିଳିତ ମଞ୍ଚ ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇବ। ଶିକ୍ଷକଙ୍କ ଆନ୍ଦୋଳନକୁ ଚପାଇବା ଲାଗି ରାଜ୍ୟ ସରକାର ଯେତେ ଅପଚେଷ୍ଟା କଲେ ମଧ୍ୟ ତାହା ବିରୁଦ୍ଧରେ ବ୍ୟାପକ ଜନମତ ସୃଷ୍ଟି କରି ଓଡ଼ିଶାର ୫୨୦୦ ସ୍କୁଲ କଲେଜର ପରିଚାଳନା କମିଟି, ଅଭିଭାବକଙ୍କୁ ଏକାଠି କରି ପଞ୍ଚାୟତ ଓ ବ୍ଲକସ୍ତରରୁ ଆନ୍ଦୋଳନ ବ୍ୟାପକ କରାଯିବ ବୋଲି ମିଳିତ ମଞ୍ଚ ପକ୍ଷରୁ କୁହାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ମଞ୍ଚର ସଭାପତି ପ୍ରକାଶ ଜେନାଙ୍କ ସମେତ ବିନୋଦ ବିହାରୀ ପାଣିଗ୍ରାହୀ, ଗଗନ ବେଉରା, ସତ୍ୟ ନାରାୟଣ ତ୍ରିପାଠୀ, ଅଟଳ ବିହାରୀ ବଳ, ଅକ୍ଷୟ କୁମାର ମିଶ୍ର, ପ୍ରେମାନନ୍ଦ ଜେନା, ଶତାବୁଦ୍ଦିନ୍‌ ଅହମ୍ମଦ, ପ୍ରିୟରଞ୍ଜନ ରଥ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର