ଟାକ୍ସ ନ କରିବାରୁ ଛାତ୍ରଙ୍କୁ ମାଡ଼

ଛାତ୍ର ବି ଶିକ୍ଷକଙ୍କୁ ପିଟିଲେ

କେସିଙ୍ଗା : କେସିଙ୍ଗା ବ୍ଲକ ଚିଚର୍ଲା ସରକାରୀ ହାଇସ୍କୁଲ୍‌ରେ ସପ୍ତମ ଶ୍ରେଣୀର ଛାତ୍ରଙ୍କୁ ଟାକ୍ସ ନକରିବାରୁ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶଶିଭୂଷଣ ସାହୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ଶିକ୍ଷକ ତାଗିଦ୍‌ କରିବାରୁ ଛାତ୍ର ମଧ୍ୟ ତାଙ୍କୁ ପିଟିଥିବା ପାଲଟା ଅଭିଯୋଗ ହୋଇଛି। ଶୁକ୍ରବାର କେସିଙ୍ଗା ବ୍ଲକ ଶିକ୍ଷା ବିଭାଗ ଏହି ଘଟଣାର ତଦନ୍ତ କରିଛି। ଉଭୟ ଅଭିଯୋଗର ସତ୍ୟତା ଥିବା ତଦନ୍ତରୁ ଜଣା ପଡ଼ଥିବା ଶିକ୍ଷା ବିଭାଗ କହିଛି। ଏହି ଘଟଣା ପରେ ଗ୍ରାମବାସୀ ସଂପୃକ୍ତ ଶିକ୍ଷକଙ୍କ ବଦଳି ଦାବି କରିଛନ୍ତି। ବିଇସ ସବିତା ପଟ୍ଟନାୟକଙ୍କ ନିର୍ଦେଶରେ ଏବିଇଓ ସୀମାଞ୍ଚଳ ବୁଧିଆ, ସିଆର୍‌ସିସି ଅବନୀ ପ୍ରଧାନ ଗାଁକୁ ଯାଇ ଗ୍ରାମବାସୀ, ମାଡ଼ ଖାଇଥିବା ଛାତ୍ର, ଶିକ୍ଷକ ସମସ୍ତଙ୍କୁ ଅଲଗା ଅଲଗା ଡାକି ଘଟଣାର ତଦନ୍ତ କରିଥିଲେ। ପରେ ପରିଚାଳନା କମିଟି ଓ ଅନ୍ୟମାନଙ୍କୁ ନେଇ ଏକ ସମନ୍ଵୟ ବୈଠକ କରାଯାଇଥିଲା। ପ୍ରକାଶ ଯେ ଏହି ସ୍କୁଲରେ ସପ୍ତମ ଶ୍ରେଣୀରେ ପଢ଼ୁଥିବା ଉକ୍ତ ଛାତ୍ର ଶିକ୍ଷକ ଦେଇଥିବା ଇଂରାଜୀ ଟାକ୍ସ କରି ନଥିଲେ। ଶିକ୍ଷକ ପଚାରିବାରୁ ସେ କିଛି ଉତ୍ତର ମଧ୍ୟ ଦେଇ ନଥିଲେ। ଶିକ୍ଷକ ତାଙ୍କ ହାତ ଧରି ଛାତ୍ରଛାତ୍ରୀମାନଙ୍କ ସାମ୍ନାକୁ ଆଣିଥିଲେ। ଏହି ସମୟରେ ଶିକ୍ଷକ ତାଙ୍କୁ ପିଟିଥିବା ବେଳେ ଛାତ୍ର ମଧ୍ୟ ଶିକ୍ଷକଙ୍କୁ ପିଟି ଦୌଡ଼ି ପଳାଇଥିଲେ।

ସମ୍ବନ୍ଧିତ ଖବର