ଆନ୍ଦୋଳନକୁ ଓହ୍ଲାଇବେ ପ୍ରାଥମିକ ଶିକ୍ଷକ

ଭୁବନେଶ୍ୱର: ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇବ ନୂତନ ପେନ୍‌ସନ୍‌ଭୁକ୍ତ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ। ସଂଘ ସଭାପତି ବ୍ରହ୍ମାନନ୍ଦ ମହାରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ବୈଠକରେ ସରକାରଙ୍କ ଶିକ୍ଷା ଓ ଶିକ୍ଷକମାରଣ ନୀତିକୁ ନିନ୍ଦା କରାଯିବା ସହ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ସଂଘ ପକ୍ଷରୁ କୁହାଯାଇଛି ଯେ ଦେଶର ୨୨ଟି ରାଜ୍ୟରେ ପ୍ରାଥମିକ ଶିକ୍ଷକଙ୍କୁ ମୂଳ ଦରମାା ୯୩୦୦ ଟଙ୍କା ସହ ଗ୍ରେଡ୍‌ ପେ ୪୨୦୦ ଟଙ୍କା ଦେଇ ୭ମ ବେତନ କମିସନଙ୍କୁ ସଂଶୋଧନ କରାଯାଇଛି। କିନ୍ତୁ ଓଡ଼ିଶାରେ ତାହା ହେଉ ନ ଥିବାରୁ ଶିକ୍ଷକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି। ସଂଘ ପକ୍ଷରୁ ଆହୁରି କୁହାଯାଇଛି ଯେ ଓଡ଼ିଶାରେ ଶିକ୍ଷା ଅଧିକାର ଆଇନକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯାଉ ନାହିଁ। ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଲକ୍ଷାଧିକ ସିଟ୍‌ ଖାଲି ପଡ଼ିଥିଲେ ମଧ୍ୟ ପୂରଣ ହେଉନି। ଚୁକ୍ତିରେ ଶିକ୍ଷା ସହାୟକଙ୍କୁ ନିଯୁକ୍ତି ଦିଆଯାଇ ବେକାର ଯୁବକ, ଯୁବତୀଙ୍କୁ ଶୋଷଣ କରାଯାଉଛି। ଏଭଳି ଶିକ୍ଷା ମାରଣ ନୀତି ପ୍ରତିବାଦରେ ଗତ ୯ ମାସ ତଳେ ଶିକ୍ଷକ ସଂଘ ପକ୍ଷରୁ ଆନ୍ଦୋଳନ କରାଯାଇଥିଲା। କିନ୍ତୁ ଏପର୍ଯ୍ୟନ୍ତ କୌଣସି ଫଳ ମିଳିନି। ଯଦି ଆସନ୍ତା ବିଧାନସଭା ଅଧିବେଶନ ପୂର୍ବରୁ ଦାବି ପୂରଣ କରା ନ ଯାଏ ତେବେ ତେବେ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇବ। ବିଧାନସଭା ଘେରିବ ବୋଲି ସଂଘର ସଭାପତି ବ୍ରହ୍ମାନନ୍ଦ ମହାରଣା, ସମ୍ପାଦକ ବଙ୍କିମ ଚନ୍ଦ୍ର ସାଗର, ମହାସଚିବ ସୁଶାନ୍ତ କୁମାର ବେହେରା ଏକ ପ୍ରେସ୍‌ ବିଜ୍ଞପ୍ତିରେ କହିଛନ୍ତି।

ସମ୍ବନ୍ଧିତ ଖବର