୨୭ ଦିନରେ ପହଞ୍ଚିଲା ଶିକ୍ଷକଙ୍କ ଆନ୍ଦୋଳନ: ମନ୍ତ୍ରୀସ୍ତରୀୟ ବୈଠକ ବିଫଳ, ଆନ୍ଦୋଳନ ଜାରି ରଖିବ ମିଳିତ ମଞ୍ଚ

ଭୁବନେଶ୍ୱର: ବିଭିନ୍ନ ଦାବି ନେଇ ଶିକ୍ଷକମାନଙ୍କର ଧାରଣା ୨୭ ଦିନରେ ପହଞ୍ଚିଛି। ଏହି ଆନ୍ଦୋଳନ ଆଗକୁ ମଧ୍ୟ ଜାରି ରଖିବାକୁ ମିଳିତ ମଞ୍ଚ ପକ୍ଷରୁ ନିଷ୍ପତ୍ତି ହୋଇଛି। ରାଜଧାନୀ ଭୁବନେଶ୍ୱରସ୍ଥିତ ଲୋୟର ପିଏମ୍‌ଜିରେ ଧାରଣାରତ ଶିକ୍ଷକମାନେ ଚଳିତ ମାସ ୫ ତାରିଖରେ ଗୁରୁ ଦିବସକୁ ‘କଳା ଦିବସ’ ଭାବରେ ପାଳନ କରିଛନ୍ତି। ଶିକ୍ଷକଙ୍କ ଆନ୍ଦୋଳନ ଯୋଗୁଁ ରାଜ୍ୟର ପ୍ରାୟ ୪୦୦୦ ସ୍କୁଲରେ ତାଲା ଝୁଲୁଛି। ତଥାପି ରାଜ୍ୟ ସରକାର ଶିକ୍ଷକମାନଙ୍କର ସମସ୍ୟାକୁ ସମାଧାନ କରିପାରୁ ନାହାନ୍ତି। ଶେଷରେ ବୁଧବାର ଶିକ୍ଷକ ଆନ୍ଦୋଳନ ପ୍ରସଙ୍ଗରେ ସଚିବାଳୟରେ ହୋଇଥିବା ମନ୍ତ୍ରୀସ୍ତରୀୟ ବୈଠକ ମଧ୍ୟ ବିଫଳ ହୋଇଛି। ସମସ୍ୟାର ସମାଧାନ ପାଇଁ ସରକାର ୩ ମାସ ସମୟ ମାଗିଥିବା ବେଳେ ମିଳିତ ମଞ୍ଚ ଏହାକ ଗ୍ରହଣ କରିପାରୁ ନାହିଁ। ଫଳରେ ଶିକ୍ଷକମାନେ ପୂର୍ବ ଭଳି ଆନ୍ଦୋଳନକୁ ଜାରି ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ଅନ୍ୟପଟରେ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ସୂଚନା ଦେଇଛନ୍ତି, ଶିକ୍ଷକମାନଙ୍କ ଦାବି ନେଇ ବୈଠକରେ ଆଲୋଚନା ହୋଇଛି। ସମସ୍ୟାର ସମାଧାନ ପାଇଁ ଏକ୍ସପର୍ଟ ଟିମ୍‌ ଗଠନ କରାଯିବ। ସେଥିପାଇଁ ଶିକ୍ଷକମାନେ ଆନ୍ଦୋଳନରୁ ଓହରି ଯାଇ ଶିକ୍ଷାଦାନରେ ସାମିଲ ହୁଅନ୍ତୁ ବୋଲି ମନ୍ତ୍ରୀ ପାତ୍ର ମିଳିତ ମଞ୍ଚକୁ ଅନୁରୋଧ କରିଛନ୍ତି। ମନ୍ତ୍ରୀସ୍ତରୀୟ ବୈଠକରେ ଶିକ୍ଷକ ନେତାଙ୍କ ସହ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର