ଶିକ୍ଷକ-ସରକାର ମୁହାଁମୁହିଁ

ଭୁବନେଶ୍ୱର : ୧୨ ଦିନ ପରେ ମାଟ୍ରିକ୍‌ ପରୀକ୍ଷା। ଏହାର ପରିଚାଳନା ଲାଗି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ପରୀକ୍ଷାର୍ଥୀଙ୍କ ଲାଗି ଆଡମିଟ୍‌ କାର୍ଡ ବି ପଠା ସରିଲାଣି। ପରୀକ୍ଷା କେନ୍ଦ୍ରର ଭିତ୍ତିଭୂମି ଯାଞ୍ଚ ବି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏଭଳି ସମୟରେ ହାଇସ୍କୁଲ ଶିକ୍ଷକଙ୍କ ଆନ୍ଦୋଳନ ରାଜ୍ୟ ସରକାରଙ୍କ ନିଦ ହଜାଇ ଦେଇଛି। ଏଥିସହ ଆଗକୁ ଯୁକ୍ତ୨ ଥିଓରି ପରୀକ୍ଷା ହେବାକୁ ଯାଉଛି। ଏହା ପୂର୍ବରୁ ଅଧ୍ୟାପକମାନେ ମଧ୍ୟ ରାଜଧାନୀ ରାଜରାସ୍ତାରେ ଦାବି ପୂରଣ ଲାଗି ଅଡ଼ି ବସିଥିବାରୁ ଭବିଷ୍ୟତରେ ପରୀକ୍ଷା ପରିଚାଳନାରେ ଘୋର ବିଭ୍ରାଟ ଦେଖାଦେବାର ଆଶଙ୍କା ପ୍ରକାଶ ପାଇଛି।

ତିନି ଦିନ ହେଲା ଶିକ୍ଷକ ଅଧ୍ୟାପକଙ୍କ ଆନ୍ଦୋଳନ ଯୋଗୁଁ କେତେକ ସ୍ଥାନରେ ପାଠପଢ଼ା ବି ଠପ୍‌ ହୋଇଯାଇଛି। ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ପ୍ରଭାବିତ ହୋଇଛନ୍ତି। ସ୍ଥିତି ଜଟିଳ ହେଉଥିବା ଦେଖି ଆଜି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ମିଳିତ ମଞ୍ଚର ଏକ ପ୍ରତିନିଧିମାନଙ୍କ ସହ ଆଲୋଚନା କରିଥିଲେ। ହେଲେ ଏଥିରୁ କୌଣସି ସୁଫଳ ମିଳିପାରିନି। ଆନ୍ଦୋଳନରୁ ଓହରିବା ମୁଡ୍‌ରେ ନାହାନ୍ତି ଶିକ୍ଷକ, ଅଧ୍ୟାପକ, କର୍ମଚାରୀ। ସେମାନେ ରୋକ୍‌ଠୋକ୍‌ ଶୁଣାଇ ଦେଇଛନ୍ତି ଯେ ବ୍ଲକଗ୍ରାଣ୍ଟ ଉଚ୍ଛେଦ କରି ସପ୍ତମ ବେତନ କମିସନ ଲାଗୁ କର। ଚାକିରି ସର୍ତ୍ତାବଳୀ ପ୍ରଦାନ ସହ ଅମାନବୀୟ ସତ୍ୟପାଠ ଦେବା ଲାଗି ଜାରି ହୋଇଥିବା ଫତଓ୍ଵାକୁ ପ୍ରତ୍ୟାହାର କରାଯାଉ। ନ ହେଲେ ରାଜଧାନୀ ଛାଡ଼ିବୁ ନାହିଁ। ରାଜ୍ୟ ସରକାରଙ୍କ ପ୍ରତିନିଧିମାନେ ପ୍ରତିଶ୍ରୁତି ଦେଇଥିଲେ ଯେ ଏଜିଙ୍କୁ ଡକାଯାଇଛି। ତାଙ୍କ ସହ ଆଲୋଚନା କରାଯିବା ପରେ ନିଷ୍ପତ୍ତି ନିଆଯିବ। ସୋମବାର ସୁଦ୍ଧା ନୂତନ ବିଜ୍ଞପ୍ତି ପ୍ରକାଶ କରାଯିବ। ତେଣୁ ଆନ୍ଦୋଳନରୁ ଓହରି କାର୍ଯ୍ୟରେ ଯୋଗ ଦିଅନ୍ତୁ। ମିଳିତ ମଞ୍ଚ କିନ୍ତୁ ସରକାରଙ୍କ ଏହି ପ୍ରତିଶ୍ରୁତିକୁ ପ୍ରତ୍ୟାଖାନ କରିଛି।

ମିଳିତ ମଞ୍ଚର ଆବାହକ ମଣ୍ଡଳୀ ସଦସ୍ୟ ପବିତ୍ର ମହାଲା, ଗୋଲକ ନାୟକ ଓ ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରନ୍ତୁ। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଏଥର ରାସ୍ତାରୁ ହଟିବୁ ନାହିଁ। ଏଭଳି ପ୍ରତିଶ୍ରୁତି ବାରମ୍ବାର ପାଇଛୁ। କିଛି ବି ସୁଫଳ ମିଳିନି। ଏଥର ବିଜ୍ଞପ୍ତିକୁ ହାତରେ ନେଇ ଏଠାରୁ ଫେରିବୁ। ଯଦି ସୋମବାର ସୁଦ୍ଧା ଦାବି ପୂରଣ ନ ହୁଏ ତେବେ ପରୀକ୍ଷା ପରିଚାଳନା ଓ ମୂଲ୍ୟାୟନ ବର୍ଜନ କରିବୁ। ଦରକାର ହେଲେ ବିଜେପୁର ଉପନିର୍ବାଚନରେ ସାମିଲ ହୋଇ ସରକାରଙ୍କୁ କଡ଼ା ଜବାବ ଦେବୁ ବୋଲି ସେମାନେ କହିଛନ୍ତି।

ଶିକ୍ଷକ ଓ ଅଧ୍ୟାପକମାନେ ଦାବି ପୂରଣ ଜିଦରେ ଅଡ଼ି ବିସିଥିବା ବେଳେ ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସଙ୍କ ମନ୍ତବ୍ୟକୁ ନେଇ ବିବାଦ ମୁଣ୍ଡ ଟେକିଛି। ଆନ୍ଦୋଳନ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ଯେ ଶିକ୍ଷକମାନେ ବାରମ୍ବାର ଆନ୍ଦୋଳନ କରୁଛନ୍ତି। ତେଣୁ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି। ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ମିଳିପାରୁ ନ ଥିବାରୁ ଓଡ଼ିଶାରୁ ଆଇଏଏସ୍‌ ବାହାରିପାରୁ ନାହାନ୍ତି। ଯେଉଁ ଶିକ୍ଷକମାନେ ଆନ୍ଦୋଳନରେ ସାମିଲ ହୋଇଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି।

ମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ ପରେ ଉତ୍‌କ୍ଷିପ୍ତ ହୋଇଛନ୍ତି ଆନ୍ଦୋଳନରତ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀ। ମିଳିତ ମଞ୍ଚ ପକ୍ଷରୁ କୁହାଯାଇଛି ଯେ ସରକାରଙ୍କ ଧମକକୁ ଖାତିର କରିବୁ ନାହିଁ। ହକ୍‌ ପାଇଁ ଲଢ଼େଇ ଜାରି ରହିବ। ଯଦି ଜଣେ ବି ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ତେବେ ଏହାର କଡ଼ା ଜବାବ ଦେବୁ।

ସମ୍ବନ୍ଧିତ ଖବର