ସରକାର-ଶିକ୍ଷକ ମୁହାଁମୁହିଁ : ଗଣଶିକ୍ଷା ସଚିବଙ୍କ ନାଲିଆଖି ପରେ ବି ୪୦ ହଜାର ଶିକ୍ଷକ ଏକାଠି

୧୪୭ ବିଧାୟକଙ୍କ ବାସଭବନ ସମ୍ମୁଖରେ ବ୍ଲକଗ୍ରାଣ୍ଟ ଶିକ୍ଷକଙ୍କ ଧାରଣା, ୪୦ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପ୍ରଭାବିତ

ଭୁବନେଶ୍ୱର : ୨୨ ଦିନ ହେଲା ଲୋୟର ପିଏମ୍‌ଜିରେ ବ୍ଲକଗ୍ରାଣ୍ଟ ଶିକ୍ଷକ। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ରୋକଠୋକ୍‌ ଶୁଣାଇ ଦେଇଛି। ଏହାକୁ ନେଇ ରାଜ୍ୟର ୪ ହଜାର ସ୍କୁଲ କଲେଜରେ ପାଠପଢ଼ା ପ୍ରଭାବିତ ହୋଇଥିବା ବେଳେ ଆଜି ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି। ମହାସଂଘର ଆନ୍ଦୋଳନକୁ ଭଣ୍ଡୁର ପାଇଁ ଗତକାଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ନାଲିଆଖି ସତ୍ତ୍ୱେ ୪୦ ହଜାର ପ୍ରାଥମିକ ଶିକ୍ଷକମାନେ ଲୋୟର ପିଏମ୍‌ଜିରେ ଶକ୍ତି ପ୍ରଦର୍ଶନ କରିଛନ୍ତି। ସରକାର-ଶିକ୍ଷକ ମୁହାଁମୁହିଁ ହୋଇଥିବା ବେଳେ ୫୦ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପ୍ରଭାବିତ ହୋଇଛି। କେତେକ ସ୍କୁଲରେ ତାଲା ପଡ଼ିଛି। ବିଦ୍ୟାଳୟରେ ଶିକ୍ଷକ ନ ଥିବାରୁ ପିଲା କ୍ୟାମ୍ପସକୁ ଆସି ଫେରିଯାଇଛନ୍ତି।

ବିଭିନ୍ନ ଦାବି ନେଇ ଓଡ଼ିଶା ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ଆଜି ଆନ୍ଦୋଳନ ଡାକରା ଦିଆଯାଇଥିଲା। ଏହାପୂର୍ବରୁ ଗତକାଲି ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଶ୍ରୀ ମହାପାତ୍ର ବ୍ଲକ ଶିକ୍ଷା ଅଧିକାରୀ(ବିଇଓ) ଓ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କୁ ଚିଠି ଲେଖି ଜଣାଇଥିଲେ ଯେ ବିନା ଅନୁମତିରେ ଅନୁପସ୍ଥିତ ରହୁଥିବା ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅ। ୬ ତାରିଖରେ ସମସ୍ତ ସ୍କୁଲଗୁଡ଼ିକୁ ଗସ୍ତ କରି ଶିକ୍ଷକ/ଜୁନିଅର ଶିକ୍ଷକ/ଚୁକ୍ତିଭିତ୍ତିକ ଜୁନିଅର ଶିକ୍ଷକଙ୍କ ଉପସ୍ଥାନ ଯାଞ୍ଚ କରିବାକୁ ବିଇଓ ଓ ଡିଇଓମାନଙ୍କୁ କହିଥିଲେ। ଯଦି ବିନା ଅନୁମତିରେ କୌଣସି ଶିକ୍ଷକ ଅନୁପସ୍ଥିତ ରୁହନ୍ତି ତାଙ୍କ ଦରମା କାଟିବାକୁ କହିଥିଲେ। ଏଥିସହ ବିଦ୍ୟାଳୟଗୁଡ଼ିକର ସୁପରିଚାଳନା ପାଇଁ ବିଇଓମାନେ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାକୁ ସେ ନିର୍ଦେଶ ଦେଇଥିଲେ।

ସଚିବଙ୍କ ନାଲିଆଖିର ପ୍ରଭାବ ଶିକ୍ଷକଙ୍କ ଉପରେ କୌଣସି ପ୍ରଭାବ ପକାଇପାରି ନ ଥିଲା। ସେମାନେ ଆଜି ଲୋୟର ପିଏମ୍‌ଜିରେ ଶକ୍ତି ପ୍ରଦର୍ଶନ କରିଛନ୍ତି। ୪୦ ହଜାରରୁ ଅଧିକ ପ୍ରାଥମିକ ଶିକ୍ଷକ ଏକାଠି ହୋଇ ସରକାରଙ୍କ ବିରୋଧରେ ରଣହୁଙ୍କାର ଦେଇଛନ୍ତି। ମହାସଂଘର ଆବାହକ ବଙ୍କିମ ଚନ୍ଦ୍ର ସାଗର କହିଛନ୍ତି ସରକାରଙ୍କ ନାଲିଆଖିକୁ ଡରିବୁ ନାହିଁ। ହକ୍‌ ପାଇଁ ଲଢ଼େଇ ଜାରି ରହିବ। ଆନ୍ଦୋଳନରେ ସାମିଲ ହୋଇଥିବା ଶିକ୍ଷକମାନେ ଛୁଟି ଆଣି ସାମିଲ ହୋଇଛନ୍ତି। କେତେକ ସ୍କୁଲରେ ପାଠପଢ଼ା ବନ୍ଦ ହୋଇଛି। ଭବିଷ୍ୟତରେ ପରିସ୍ଥିତି ଭୟଙ୍କର ରୂପ ନେବ ବୋଲି ସେ ଚେତାବନୀ ଦେଇଛନ୍ତି। ମହାସଂଘ ପକ୍ଷରୁ ଜାମିନୀକାନ୍ତ ପଣ୍ଡା, ସୁଶାନ୍ତ କୁମାର ବେହେରା, ଉତ୍ତମ ଦାସ, ମଳୟ କୁମାର ଜେନା, ଯୁଧିଷ୍ଠିର ସାହୁ, ଶରତ ଚନ୍ଦ୍ର ନାୟକ, ସୁନୀଲ ପ୍ରଧାନ, ଜ୍ୟୋତିରଞ୍ଜନ ଦାସ, ବିବେକାନନ୍ଦ ବେହେରା, ସମିର ଜେନା, ପ୍ରଶାନ୍ତ ଦାସ, ପ୍ରସନ୍ନ ମହାପାତ୍ର ପ୍ରମୁଖ ସାମିଲ ହୋଇଥିଲେ।

ଅନ୍ୟପକ୍ଷରେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ଚାଲିଥିବା ଆନ୍ଦୋଳନ ୨୨ ଦିନରେ ପହଞ୍ଚିଛି। ଆଜିଠାରୁ ସାରା ରାଜ୍ୟରେ ଥିବା ୪ ହଜାର ବ୍ଳକଗ୍ରାଣ୍ଟ ସ୍କୁଲ ଓ କଲେଜର ଶିକ୍ଷକ, ଅଧ୍ୟାପକ, କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ଫଳରେ ଶିକ୍ଷାନୁଷ୍ଠାନରେ ପାଠପଢ଼ା ପ୍ରଭାବିତ ହୋଇଛି। ଏଥିସହ ମିଳିତ ମଞ୍ଚ ପକ୍ଷରୁ ରାଜ୍ୟରେ ଥିବା ୧୪୭ ଜଣ ବିଧାୟକଙ୍କ ବାସଭବନ ସମ୍ମୁଖରେ ଧାରଣା ଦିଆଯାଇଛି। ବିଧାୟକଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଶିକ୍ଷକମାନଙ୍କ ସମସ୍ୟା ନେଇ ଆସନ୍ତାକାଲି ବିଧାନସଭାରେ ମୁଲତବୀ ପ୍ରସ୍ତାବ ମଧ୍ୟମରେ ଆଲୋଚନା ହୋଇପାରେ ବୋଲି ମିଳିତ ମଞ୍ଚର ଆବାହକ ମଣ୍ଡଳୀ ସଦସ୍ୟ ପବିତ୍ର ମହାଲା, ଗୋଲକ ନାୟକ ଓ ପ୍ରକାଶ ଚନ୍ଦ୍ର ମହାନ୍ତି ଆଶାବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର