୭ମ ବେତନ କମିସନରେ ଅସଙ୍ଗତି ଅଭିଯୋଗ

ଭୁବନେଶ୍ୱର : ବେସରକାରୀ କଲେଜଗୁଡ଼ିକରେ ସପ୍ତମ ବେତନ କମିସନ ଲାଗୁ କରିବା ଲାଗି ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ପ୍ରକାଶିତ ନିର୍ଦେଶନାମାରେ ବ୍ୟାପକ ଅସଙ୍ଗତି ଥିବାରୁ ଅଧ୍ୟାପକ ଓ କର୍ମଚାରୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ୨୦୧୬ ଜାନୁଆରିରୁ ପିଛିଲା ଭାବେ ଦରମା ଦେବା ପରିବର୍ତେ ଏହାକୁ ବିନା ବକେୟା ଦରମାରେ ୨୦୧୭ ଅକ୍ଟୋବର ମାସରୁ ନଗଦ ଆକାରରେ ଦେବା ଲାଗି ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଯେଉଁଥିପାଇଁ ବେସରକାରୀ କଲେଜର ଅଧ୍ୟାପକ ଓ କର୍ମଚାରୀ ୨୧ ମାସର ବକେୟା ଦରମା ପାଇବେ ନାହିଁ। ସେହିପରି ବେସରକାରୀ କଲେଜ କର୍ମଚାରୀଙ୍କୁ ଏମ୍‌ଏସିପି ପ୍ରଦାନ ବେଳେ ବୈଧ ନିଯୁକ୍ତି ତାରିଖରୁ ୧୦/୨୦/୩୦ ବର୍ଷ ହିସାବ ନ କରି ପୂର୍ଣ୍ଣ ଅନୁଦାନ ତାରିଖରୁ ହିସାବ କରିବାକୁ ବିଜ୍ଞପ୍ତିରେ କୁହାଯାଇଛି। ବିଭାଗର ଏଭଳି ବିଜ୍ଞପ୍ତିକୁ ବିରୋଧ କରିଛି ଅଲ୍‌ ଓଡ଼ିଶା ବେସରକାରୀ କଲେଜ ଅଧ୍ୟାପକ ଓ କର୍ମଚାରୀ ସଂଘ(ଆଙ୍ଗୋଟିଆ)। ରାଜ୍ୟ ସରକାର ତୁରନ୍ତ ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର କରି ସମସ୍ତଙ୍କ ପାଇଁ ସମାନ ଦରମା ନୀତି ଗ୍ରହଣ କରିବାକୁ ସଂଘର ସାଧାରଣ ସମ୍ପାଦକ ଚିତ୍ତ ମହାପାତ୍ର, ସଭାପତି ଶରତ ପାଣିଗ୍ରାହୀ, ସଙ୍ଗଠନ ସମ୍ପାଦକ ମହନ ମହଲ୍ଲା, ସୁରେନ୍ଦ୍ର ରଥ ଏକ ପ୍ରେସ୍‌ ବିଜ୍ଞପ୍ତିରେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର