ମିଳିତ ଶିକ୍ଷକ ମଞ୍ଚର ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ବର : ଦୀର୍ଘ ୫୯ଦିନ ଧରି ଆନ୍ଦୋଳନ କରିବା ପରେ ଓଡ଼ିଶା ସ୍କୁଲ-କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ସାମୟିକ ଭାବେ ଆନ୍ଦୋଳନ ସ୍ଥଗିତ ରଖିଛି। ଶୁକ୍ରବାର ସଂଧ୍ୟାରେ ରାଜ୍ୟ ସରକାରଙ୍କ ସହ ମିଳିତ ମଞ୍ଚର ୧୩ଜଣିଆ ପ୍ରତିନିଧି ଦଳର ୫ମ ପର୍ଯ୍ୟାୟ ଆଲୋଚନା ସଫଳ ହେବା ପରେ ଆଜି ସହିଦନଗରସ୍ଥିତ ଶ୍ରମିକଭବନ ସଭାକକ୍ଷରେ ମିଳିତ ମଞ୍ଚର ଷ୍ଟିଅରିଂ କମିଟି ବୈଠକ ବସିଥିଲା। ଏଥିରେ ସର୍ବସମ୍ମତି କ୍ରମେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି ବୋଲି କୁହାଯାଇଛି। ଦାବି ପୂରଣ ନେଇ ପ୍ରତିଶ୍ରୁତି ମିଳିଥିବାରୁ ଆନ୍ଦୋଳନକୁ ଆସନ୍ତା ନଭେମ୍ବର ୩୦ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖାଗଲା ବୋଲି ଏସ୍‌ଟିଏଫ୍‌ଓର ମୁଖ୍ୟ ଆବାହକ ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି।

ସେହିପରି ମିଳିତ ମଞ୍ଚ ପକ୍ଷରୁ କୁହାଯାଇଛି ଯେ, ଯଦି ନଭେମ୍ବର ୩୦ ତାରିଖ ସୁଦ୍ଧା ରାଜ୍ୟ ସରକାର ନିଷ୍ପତ୍ତିକୁ କାର୍ଯ୍ୟକାରୀ ନକରନ୍ତି ତେବେ ଡିସେମ୍ବର ୧ତାରିଖରୁ ମିଳିତ ମଞ୍ଚ ପୁନର୍ବାର ଆନ୍ଦୋଳନକୁ ଓହ୍ଲାଇବ। ସେହିଦିନ ଠାରୁ ରାଜ୍ୟର ସମସ୍ତ ଜିଲ୍ଲା, ବ୍ଲକ ଶିକ୍ଷାଧିକାରୀଙ୍କ ଦପ୍ତରକୁ ଅଚଳ କରିଦିଆଯିବ । ମିଳିତ ମଞ୍ଚର ଏକଲକ୍ଷ ଛାତ୍ର- ଶିକ୍ଷକ- ଅଭିଭାବକ ସମନ୍ବୟ ସମିତି ରାଜ୍ୟର ପ୍ରତ୍ୟେକ ଗ୍ରାମରେ ପଦଯାତ୍ରା କରିବେ ଓ ନିର୍ବାଚନ ପର୍ଯ୍ୟନ୍ତ ମିଳିତ ମଞ୍ଚ ସାରା ରାଜ୍ୟରେ ଆନ୍ଦୋଳନ ଜାରି ରଖିବ।

ସମ୍ବନ୍ଧିତ ଖବର