କ୍ରାନ୍ତି ଦିବସକୁ କଳା ଦିବସ ଭାବେ ପାଳିଲେ ଶିକ୍ଷକ

ଭୁବନେଶ୍ୱର : ଓଡ଼ିଶା ମିଳିତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷକ ମହାସଂଘର ଆହ୍ଵାନରେ ଗତ ୯ ତାରିଖରେ ସାରା ଓଡ଼ିଶାର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷକମାନେ କଳା ବ୍ୟାଚ୍‌ ପରିଧାନ କରି କଳା ଦିବସ ପାଳନ କରିଛନ୍ତି। ଯଦି ଆଗାମୀ ୧୫ ଦିନ ମଧ୍ୟରେ ସରକାର ଶିକ୍ଷକମାନଙ୍କ ନ୍ୟାର୍ଯ୍ୟ ଦାବି ପୂରଣ ନ କରନ୍ତି, ତେବେ ଆନ୍ଦୋଳନ ଆହୁରି ଜୋର୍‌ଦାର୍‌ କରାଯିବ ବୋଲି ୭ଟି ଶିକ୍ଷକ ସଂଗଠନ ଏକାଠି ହୋଇ ସରକାରଙ୍କୁ ଚେତାଇ ଦେଇଛନ୍ତି। ମହାସଂଘର ଦାବି ରହିଛି, ଷଷ୍ଠ ବେତନ କମିସନ୍‌ଙ୍କ ସୁପାରିସ୍‌ ଆଧାରରେ ପ୍ରାଥମିକ ଶିକ୍ଷକମାନଙ୍କ ପାଇଁ ମୂଳ ଦରମାକୁ ୫୨୦୦ ସହ ଗ୍ରେଡ୍‌ ପେ’କୁ ୨୮୦୦ ଏବଂ ଉଚ୍ଚ ପ୍ରାଥମିକ ଶିକ୍ଷକମାନଙ୍କ ପାଇଁ ମୂଳ ଦରମା ୯୩୦୦ ସହ ଗ୍ରେଡ୍‌ ପେ’ ୪୬୦୦ ଟଙ୍କା ହିସାବରେ ସଂଶୋଧନ କରି ସପ୍ତମ ବେତନ କମିସନ୍‌ ସୁପାରିସ୍‌ କରିଥିବା ଦରମା ୧.୧.୨୦୧୬ରୁ ଲାଗୁ କରିବା, କାର୍ଯ୍ୟରତ କନିଷ୍ଠ ଶିକ୍ଷକ(ଚୁକ୍ତିଭିତ୍ତିକ)ଙ୍କ ସର୍ବନିମ୍ନ ଦରମା ୧୮ ହଜାର ଟଙ୍କା କରିବା, ବିଭିନ୍ନ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ନିଯୁକ୍ତ ପିଇଟି/କଳା ଶିକ୍ଷକମାନଙ୍କୁ ୬ ବର୍ଷିୟା ନିଯୁକ୍ତି ନିୟମରେ ଅନ୍ତର୍ଭୁକ୍ତ କରି ସେମାନଙ୍କୁ ସର୍ବନିମ୍ନ ୧୮ ହଜାର ଟଙ୍କା ଦରମା ପ୍ରଦାନ ଇତ୍ୟାଦି। ସରକାର ଏହି ଦାବି ପୂରଣ ନ କଲେ ଆଗାମୀ ମୌସୁମୀ ଅଧିବେଶନରେ ସମସ୍ତ ବିଦ୍ୟାଳୟରେ ତାଲା ପକାଯିବା ସହ ଭୁବନେଶ୍ୱରରେ ମହାସମାବେଶ ଆୟୋଜନ କରାଯିବ ବୋଲି ମହାସଂଘ ପକ୍ଷରୁ ସରୋଜ କୁମାର ପଣ୍ଡା, ରଞ୍ଜନ କୁମାର ମହାନ୍ତି, ସୁନିଲ ପ୍ରଧାନ, ମଳୟ କୁମାର ଜେନା, ଅଜୟ ଧଳ, ବଙ୍କିମ ଚନ୍ଦ୍ର ସାଗର, ସୁଶାନ୍ତ କୁମାର ବେହେରା, ଶରତ ଚନ୍ଦ୍ର ନାୟକ ଓ ଲକ୍ଷ୍ମଣ ମହାନ୍ତି ପ୍ରମୁଖ ଜଣାଇଛନ୍ତି।

ସମ୍ବନ୍ଧିତ ଖବର