ଗୁରୁଙ୍କୁ ନ ମଣିବ ନର

ପ୍ରତାପ ମହାନ୍ତ

0 300

ଶ୍ରୀମଦ ଭାଗବତରେ ଉଲ୍ଲେଖ ଅଛି ‘‘ଗୁରୁଙ୍କୁ ନମଣିବ ନର, ଗୁରୁ ହିଁ ସାକ୍ଷାତ ଈଶ୍ୱର’’ ଅର୍ଥାତ୍‌ ପରମେଶ୍ୱର ପରମାତ୍ମା ହେଉଛନ୍ତି ଶୂନ୍ୟବାସୀ ନିରାକାର। ସ୍ଥୂଳ ସୂକ୍ଷ୍ମ କାରଣର ବହୁ ଊର୍ଦ୍ଧ୍ୱରେ ତାଙ୍କର ସ୍ଥିତି। ଜ୍ୟୋତି ସ୍ୱରୂପରେ ବିରାଜିଥାନ୍ତି ମହାଶୂନ୍ୟରେ। ତାଙ୍କର ସାକାର ସ୍ୱରୂପ ହେଉଛନ୍ତି ଗୁରୁ। ଏକଥାକୁ ମଧ୍ୟ ପରମଶାସ୍ତ୍ର ଓଡ଼ିଆ ଭାଗବତରେ ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଅଛି ‘ମୁହିଁ ବସଇ ଗୁରୁଦେହେ ମୋ ବିନୁ ଗୁରୁ ଭିନ୍ନ ନୁହେଁ’। ନର ସ୍ୱରୂପ ଧାରଣ କରିଥିଲେ ମଧ୍ୟ ଭଗବାନଙ୍କର ଦିବ୍ୟ ଶକ୍ତି ପୂରି ରହିଥାଏ। ଗୁରୁ ଓ ଈଶ୍ୱର ମଧ୍ୟରେ ଭିନ୍ନ ଭିନ୍ନ ଭାବ ନ ଆଣି ଗୁରୁଙ୍କୁ ଯଥାର୍ଥରେ ବ୍ରହ୍ମା, ବିଷ୍ଣୁ, ମହେଶ୍ୱରଙ୍କ ସମନ୍ଵୟ ବୋଲି ଜ୍ଞାନ କରାଯାଏ। କାରଣ ବ୍ରହ୍ମା ସୃଷ୍ଟି କର୍ତ୍ତା, ବିଷ୍ଣୁ ପାଳନ କର୍ତ୍ତା ଏବଂ ମହେଶ୍ୱର ସଂହାର କର୍ତ୍ତା ବୋଲି ବିଶ୍ୱାସ କରାଯାଏ। ଠିକ୍‌ ସେହିପରି ଗୁରୁଶକ୍ତି ଜୀବମାନଙ୍କ ମଧ୍ୟରେ ଥିବା କୁସଂସ୍କାରକୁ ଦୂର କରି ପାପ, ତାପ, ଶାପକୁ ନିଜର ଅଲୌକିକ ଦିବ୍ୟ ଶକ୍ତି ଦ୍ୱାରା ଶିଷ୍ୟଠାରୁ ହରଣ କରାଇ ସତ୍‌ ଚେତନା ଓ ଦିବ୍ୟ ଗୁଣାବଳୀରେ ଗଢ଼ି ତୋଳିଥାନ୍ତି।

ଆମ ଦେଶ ଭାରତ ବର୍ଷ ଗୁରୁ ପରମ୍ପରାର ଦେଶ। ଯୁଗେ ଯୁଗେ ଏହି ପବିତ୍ର ମାଟିରେ ଗୁରୁଙ୍କର ଗୁରୁତ୍ୱକୁ ସମ୍ମାନ ଜଣାଇ ଆସିଛି ମାନବ ସମାଜ। ‘ଗୁ’ ଅର୍ଥ ଗୁଣାତୀତ ‘ରୁ’ ବୋଇଲେ ରୂପାତୀତ। ଯିଏ ଲୋଭ, ମୋହ ଭରା ଛନ୍ଦ କପଟର ସଂସାରରେ ଆସକ୍ତ ନ ହୋଇ ବିଶ୍ୱକଲ୍ୟାଣ ଭାବନାରେ ସଦା ନିମଗ୍ନ ରହି ଜୀବ ଜଗତର ମଂଗଳ ନିମିତ୍ତ ତ୍ୟାଗ, ତପସ୍ୟା, ସଦାଚାର, ସଚ୍ଚୋଟତା, ନିଷ୍କପଟତା, ଧୈର୍ଯ୍ୟ ଓ ସହନଶୀଳତା ଏବଂ ଦୟା କ୍ଷମା ଆଦି ଦିବ୍ୟ ଅଳଙ୍କାର ନିଜ ଅଙ୍ଗର ମୁଖ୍ୟ ଭୂଷଣ ସଜାଇ ସାରା ବିଶ୍ୱକୁ ସଦ୍‌ବାର୍ତ୍ତା ଦେଇଥାନ୍ତି। ଦୈନନ୍ଦିନ ଜୀବନଚର୍ଯ୍ୟାରେ ଶୃଙ୍ଖଳତା ଓ ସଂଯମତା ରକ୍ଷା କରି ଆଦର୍ଶ ତଥା ମହତ କର୍ମ ସଂପାଦନ କରି ଜୀବ ଜଗତର ଆଦର୍ଶ ବନିଥାନ୍ତି। ଦିନଥିଲା ଏଠାକାର ମୁନିଋଷିମାନଙ୍କର ନୈତିକ ବୋଧଜ୍ଞାନ, ଆତ୍ମ ଶକ୍ତିର ପ୍ରକାଶ ଶୈଳୀ ତଥା ମହାଜାଗତିକ ଭାବ ଧାରାରେ ଆକୃଷ୍ଟ ହୋଇ ବିଶ୍ୱର କୋଣ ଅନୁକୋଣରୁ ଲୋକମାନେ ଧାଇଁ ଆସୁଥିଲେ ଗୁରୁଙ୍କର ସେବା ପୂଜା କରି ଆଧ୍ୟାତ୍ମିକ ଶିକ୍ଷା ଲାଭ କରିବା ପାଇଁ। ତେଣୁ ଏ ଭାରତ ବର୍ଷକୁ ସେତେବେଳେ ବିଶ୍ୱର ଗୁରୁ ଭାବେ ବିବେଚନା କରାଯାଉଥିଲା। ଏହି ଗୁରୁ ପରମ୍ପରାକୁ ରକ୍ଷା କରି ତ୍ରେତୟା ଯୁଗର ମର୍ଯ୍ୟାଦା ପୁରୁଷୋତ୍ତମ ଦଶରଥ ନନ୍ଦନ ଶ୍ରୀରାମ ଚନ୍ଦ୍ର ଓ ଦ୍ୱାପର ଯୁଗର ଅବତାରୀ ପୁରୁଷ ଲୀଳାମୟ ଶ୍ରୀକୃଷ୍ଣ ମଧ୍ୟ ନିଜ ଜୀବନକୁ ଗୁରୁଙ୍କ ଚରଣାରବିନ୍ଦରେ ସଂପୂର୍ଣ୍ଣ ସମର୍ପି ଦେଇଥିଲେ। ଗୁରୁକୁଳାଶ୍ରମରେ ବିଦ୍ୟାଲାଭ କରି ଗୁରୁଙ୍କୁ ଦକ୍ଷିଣା ଦେବାକୁ ଯାଇ ତାଙ୍କ ମୃତ ପୁତ୍ରକୁ ଫେରାଇ ଦେବା ନିମନ୍ତେ ଯମପୁର ଯାଇଥିଲେ ମହାପ୍ରଭୁ ଶ୍ରୀକୃଷ୍ଣ। ଗୁରୁଙ୍କର ଆଦେଶ ମତେ ଶ୍ରୀରାମ ତାଡ଼କାସୁରକୁ ବଧ କରି ଯଜ୍ଞରକ୍ଷା କରାଇଥିଲେ। ଗୁରୁଙ୍କର ଆଜ୍ଞା ଅନୁସାରେ ଆରୁଣି କ୍ଷେତକୁ ଯାଇ ବଢ଼ିଲା ପାଣିରେ ଘାଇ ବାନ୍ଧି ନ ପାରି ବିଲର ହୁଡ଼ା ହୋଇ କ୍ଷେତ ପାଣି ଅଟକାଇବାକୁ ଚେଷ୍ଟା କରିଥିଲେ। ଗୁରୁବାକ୍ୟ ରକ୍ଷା କରି ଉପମନ୍ୟୁ କୌଣସି ଖାଦ୍ୟ ନଖାଇ ଭୋକ ବିକଳରେ ଅରଖପତ୍ର ଚୋବାଇବା ସମୟରେ ଅରଖ କ୍ଷୀର ଆଖିରେ ପଡ଼ି ଦୃଷ୍ଟି ଶକ୍ତି ହରାଇ ବସିଥିଲେ। ଗୁରୁଙ୍କୁ ସମ୍ମାନ ଜଣାଇ ଏକଲବ୍ୟ ବୃଦ୍ଧଙ୍ଗୁଳି ପ୍ରଦାନ କରିଥିଲେ। ଗୁରୁଙ୍କ ଆଦେଶ ପାଳନ କରି ମରାଠା ଛତ୍ରପତି ଶିବାଜୀ ଭିକ୍ଷାଥାଳ ଧରି ଦ୍ୱାର ଦ୍ୱାର ବୁଲି ଭିକ୍ଷା ମାଗିଥିଲେ। ଗୁରୁବାକ୍ୟରେ ବିଶ୍ୱାସ ରଖି ଶ୍ରମଣା ଶବରୀ ନିଘଞ୍ଚ ଅରଣ୍ୟରେ ଆଶ୍ରମର ସେବା କରି ଚାଲିଥିଲେ। ଯେଉଁଥି ପାଇଁ ଦିନେ ଶ୍ରୀରାମ ଚନ୍ଦ୍ର ତାଙ୍କୁ ଦର୍ଶନ ଦେବା ସହ ତାଙ୍କ ହସ୍ତରୁ କୋଳି ଖାଇଥିବା ପ୍ରବାଦ ରହିଛି। ଗୁରୁଙ୍କୁ ଦେଇଥିବା ବାକ୍ୟ ଅନୁସାରେ ଯାଜନିକା ଚତୁର୍ଥୀ ରାତିରେ ସ୍ୱାମୀ ସୁଖ ମୋହରେ ନପଡ଼ି ଘୋର କାନନରେ ଥିବା ଗୁରୁଙ୍କ ଆଶ୍ରମକୁ ଯାଇ ଗୁରୁଙ୍କୁ ଦକ୍ଷିଣା ଦେଇ ଜୀବନକୁ ଧନ୍ୟ କରିଥିଲେ। ଗୁରୁଙ୍କର ସେବା ପୂଜା କଲେ ଗୁରୁ ଆମର ମଙ୍ଗଳ ବିଧାନ କରନ୍ତି। ଗୁରୁଙ୍କର ବାକ୍ୟ ଅକ୍ଷରେ ଅକ୍ଷରେ ପାଳନ କଲେ ଜୀବନର ଚଲାପଥରେ କୌଣସି ବିପତ୍ତି ପଡ଼ି ନଥାଏ। ଗୁରୁ ସର୍ବଜ୍ଞାତା ତ୍ରିକାଳଦର୍ଶୀ ପୁରୁଷ ତେଣୁ ଜୀବ ପାଇଁ କେଉଁଟା ଭଲ ବା କେଉଁଟା ମନ୍ଦ ତାହା ନିର୍ଣ୍ଣୟ କରି ପ୍ରତିଟି ସମୟରେ ଦିଗ୍‌ଦର୍ଶନ ଦେଇଥାନ୍ତି। ମାତ୍ର ଭୌତିକ ଶିକ୍ଷାକୁ ପ୍ରାଧାନ୍ୟ ଦେଇ ଅହଂକାରର ବଶବର୍ତ୍ତୀ ହୋଇ ଯେ ଗୁରୁଙ୍କୁ ଅବମାନନା କରେ ତା’ର ଜୀବନ ଅଜ୍ଞାନ ଅନ୍ଧକାର ମଧ୍ୟକୁ ଚାଲିଯାଏ। ପଞ୍ଚଭୂତର ସର୍ବଶ୍ରେଷ୍ଠ ଶରୀର ଧାରଣ କରି ମଧ୍ୟ ବିଶ୍ୱ ରଂଗ ମଞ୍ଚରେ ଗୁରୁକୃପା ଅଭାବରୁ ସଫଳ ଅଭିନେତା ଅଭିନେତ୍ରୀ ହେବାରେ ସକ୍ଷମ ହୋଇଥା’ନ୍ତି। ଏଇ ଯେମିତି ମହାପରାକ୍ରମୀ ବୀର କର୍ଣ୍ଣ ଗୁରୁଙ୍କୁ ମିଥ୍ୟା କହି ବିଦ୍ୟାଲାଭ କରିଥିଲେ ମଧ୍ୟ ଗୁରୁଙ୍କ ଅଭିଶାପରୁ ସବୁ ବିଦ୍ୟାରେ ପାରଙ୍ଗମ ଥାଇ ସୁଦ୍ଧା ଗୁରୁଙ୍କ ଅଭିଶାପରୁ ମହାଭାରତ ଯୁଦ୍ଧରେ ପ୍ରାଣରକ୍ଷା କରିପାରି ନଥିଲେ। ବଳୀ ରାଜା ବାମନଙ୍କୁ ତ୍ରିପାଦ ଭୂମି ଦେବାକୁ ଜଳ ତୁଳସୀ ଛୁଇଁ ତ୍ରିବାର ସତ୍ୟ କରିବା ସମୟରେ ଗୁରୁ ଶୁକ୍ରାଚାର୍ଯ୍ୟ ତାଙ୍କୁ ବାରଣ କରିଥିଲେ ମାତ୍ର ଗୁରୁଙ୍କ କଥା ଅବମାନନା କରିଥିବାରୁ ବଳି ପାତାଳକୁ ଚାଲିଗଲେ।

ଶାସ୍ତ୍ରରେ ଉଲ୍ଲେଖ ଅଛି, ଧ୍ୟାନ ମୂଳଂ ଗୁର୍ରୁମୂର୍ତ୍ତି, ମନ୍ତ୍ର ମୂଳଂ ଗୁରୁର୍ବାକ୍ୟ, ପୂଜା ମୂଳଂ ଗୁରୁ ପାଦ, ମୋକ୍ଷ ମୂଳଂ ଗୁରୁ କୃପା ! ତେଣୁ ସାଧାରଣ ଜୀବ ଏ ଦୁନିଆରେ ଧନ, ଐଶ୍ୱର୍ଯ୍ୟ ତଥା ଉଚ୍ଚପଦ ପଦବିର ଅଧିକାରୀ ହୋଇଥିଲେ ମଧ୍ୟ ଗୁରୁବିନା ପ୍ରକୃତ ଶାନ୍ତି ଓ ଦିବ୍ୟ ଆନନ୍ଦ ପାଇ ପାରେ ନାହିଁ। ଏହି ସମ୍ପର୍କରେ ଗୁରୁସ୍ୱାମୀ କହନ୍ତି – ‘‘ଗୁରୁବିନା ଆନ କେହିତ ନାହିଁ ଭବ ସଂସାରେ, ଜୀବକୁ ଯାତନା କୂପରୁ ଉଦ୍ଧାର କରିପାରେ।’’ ଅର୍ଥାତ୍‌ ସଦ୍‌ଗୁରୁ ଶିଷ୍ୟଶିଷ୍ୟାଙ୍କର ତ୍ରିପାପ ହରଣ କରି ଭବ ରୋଗରୁ ଉଦ୍ଧାର ପାଇବାର ସହଜ ସରଳ ମାର୍ଗ ଦେଇଥାନ୍ତି ।ଯେଉଁଥିରେ ଜୀବ ଅଜ୍ଞାନରୁ ଜ୍ଞାନ ଲାଭ କରି ସଂସାରରେ ଅଳିକ ସୁଖରେ ମଜ୍ଜି ନରହି ନିଜ ମଧ୍ୟରେ ଥିବା କାମ କ୍ରୋଧ ପରି ଷଡ଼ରିପୁ ତଥା କାମିନୀ କାଞ୍ଚନର ମୋହକୁ ସଂପୂର୍ଣ୍ଣ ପରିତ୍ୟାଗ କରି କୁସଂସ୍କାର ମଳିକୁ ଆଧ୍ୟାତ୍ମିକ ଦିବ୍ୟ ଚେତନାରୂପି ଜଳରେ ଧୋଇ ଜଗତ କଲ୍ୟାଣ କାର୍ଯ୍ୟରେ ଲାଗିଥାନ୍ତି। ଯେଉଁଥିରେ କି ସାଂସାରିକ ଜ୍ୱାଳା ଯନ୍ତ୍ରଣାରୁ ରକ୍ଷା ପାଇ ଜୀବ ଲାଭ କରେ ଅନିର୍ବଚନୀୟ ସୁଖ, ଶାନ୍ତି, ଆନନ୍ଦ ଏତତ୍‌ ବ୍ୟତୀତ ପରମାତ୍ମାଙ୍କ ସହ ତଲ୍ଲୀନ ହୋଇ ନିଜ ଜୀବନକୁ ଓ ଜନ୍ମକୁ ଧନ୍ୟ କରେ।
ଅଧ୍ୟକ୍ଷ – ଗୁରୁସ୍ୱାମୀ ଟ୍ରଷ୍ଟ
ସଂପାଦକ – ଗଳାହାର,
ଘଟଗାଁ, କେନ୍ଦୁଝର – ୭୫୮୦୨୭,
ଫୋନ୍‌ – ୮୨୪୯୪୦୪୪୪୦

ସମ୍ବନ୍ଧିତ ଖବର

Leave A Reply

Your email address will not be published.