ଦୁର୍ଘଟଣାରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ : ଆହତଙ୍କୁ ନାଳକୁ ପକାଇଦେବା ନେଇ ଚର୍ଚ୍ଚା, ରାସ୍ତାରୋକ, କାର୍‌କୁ ପୋଡ଼ିଦେଲେ ଲୋକେ

ବୌଦ୍ଧ/ପୁରୁଣାକଟକ/ଚାରିଛକ : ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବୌଦ୍ଧ ସରକାରୀ ବାଳିକା ବିଦ୍ୟାଳୟର ଦୁଇ ଜଣ ଶିକ୍ଷକ,ଶିକ୍ଷୟତ୍ରୀଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ଏହାକୁ ନେଇ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲୋକେ ଦୁର୍ଘଟଣା ଘଟାଇଥିବା କାର୍‌ଟିକୁ ପୋଡ଼ି ଦେବା ସହ ସେଥିରେ ଥିବା ୪ ଜଣ ସରକାରୀ ଅଧିକାରୀଙ୍କୁ ମାଡ଼ ମାରି ପୁଲିସ ଜିମା ଦେଇଛନ୍ତି। ସକାଳୁଆ ସ୍କୁଲ ଯୋଗୁଁ ହରଭଙ୍ଗା ବ୍ଲକ ରାମ୍ଭିକଟା ଗାଁର ବିଜ୍ଞାନ ଶିକ୍ଷକ ଅଜିମ୍‌ ଖାନ(୫୦) ଏବଂ ଶିକ୍ଷୟିତ୍ରୀ ଜ୍ୟୋତିର୍ମୟୀ ପ୍ରଧାନ(୪୫) ଗୋଟିଏ ଟିଭିଏସ୍‌ ଭିକ୍ଟର ବାଇକ୍‌ରେ ବୌଦ୍ଧ ଆସୁଥିଲେ। ସକାଳ ପ୍ରାୟ ସାଢେ ୬ଟାରେ ବୀରସିଙ୍ଗପୁର ବ୍ରିଜ୍‌ ନିକଟରେ ଦ୍ରୁତଗତିରେ ଯାଉଥିବା ଏକ ସ୍ୱିଫ୍‌ ଡିଜାୟର୍‌ କାର୍‌ ସେମାନଙ୍କୁ ସାମନା ପଟୁ ଧକ୍କା ଦେଇଥିଲା। ଫଳରେ ବାଇକ୍‌ ସମେତ ସେମାନେ ରାସ୍ତାକଡ଼କୁ ପ୍ରାୟ ୩୦ ଫୁଟ ତଳକୁ ଘୋଷାରି ହୋଇଯାଇଥିଲେ। ବାଇକ୍‌ଟି ସଂପୂର୍ଣ୍ଣ ଚୂରମାର ହୋଇଯାଇଥିଲା। ସ୍ଥାନୀୟ ଲୋକେ ସେମାନଙ୍କୁ ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

ଅପରପକ୍ଷେ ଦୁର୍ଘଟଣା ଭିଆଇଥିବା ସ୍ୱିଫଟ୍‌ ଡିଜାୟର୍‌ କାର ମଧ୍ୟ ରାସ୍ତା ତଳକୁ ଖସି ପଡ଼ିଥିଲା। କାର୍‌ରେ ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡିରେ କାମ କରୁଥିବା କନିଷ୍ଠ ଯନ୍ତ୍ରୀ ଜଗବନ୍ଧୁ ନାଏକ, ସହକାରୀ ଫିସରି ଅଫିସର ଆକାଶ ନାଏକ, କୋଷାଗୁମୁଡ଼ା କନିଷ୍ଠ ଯନ୍ତ୍ରୀ ଦୁର୍ଗାଚରଣ ହାଁସଦା ଓ ମଧୁସୁଦନ ଦାସ ଥିଲେ ବୋଲି ଜଣାପଡ଼ିଛି। ସେମାନେ କାର୍‌ରେ ନବରଙ୍ଗପୁରରୁ ବୌଦ୍ଧ ଦେଇ ମୟୁରଭଂଜ ଯାଉଥିଲେ। କେତେକ ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ଏହି ସରକାରୀ ଅଧିକାରୀମାନେ ଦୁର୍ଘଟଣା ପରେ ଆହତଦ୍ୱୟଙ୍କୁ ସାହାଯ୍ୟ କରିବା ବଦଳରେ ସେଠାରୁ ଖସି ପଳାଇବା ପାଇଁ ଉଦ୍ୟମ କରୁଥିଲେ। ଏମିତିକି ସଂଜ୍ଞାହୀନ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସେମାନେ ଘୋଷାରି ଘୋଷାରି ନିକଟସ୍ଥ ଏକ ନାଳକଡ଼କୁ ପକାଇ ଦେଇଥିଲେ ବୋଲି ମଧ୍ୟ ସ୍ଥାନୀୟ କିଛି ବ୍ୟକ୍ତି କହିଥିଲେ।

ଏହି କଥା ପ୍ରଚାର ହେବା ପରେ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଦେଖା ଦେଇଥିଲା। ଘଟଣାସ୍ଥଳରୁ ପ୍ରାୟ ଏକ କିଲୋମିଟର ଦୂରରେ ଥିବା ଚମ୍ପାମାଲ ଗାଁରୁ ସେମାନଙ୍କୁ ଧରି ସ୍ଥାନୀୟ ଲୋକେ ରାଣ୍ଡିକଟା ଗାଁକୁ ଆଣିଥିଲେ। ସେଠାରେ ନିସ୍ତୁକ ମାଡ଼ ମାରିଥିଲେ। ଖବର ପାଇ ପୁଲିସ୍‌ ପିସିଆର ଭ୍ୟାନ୍‌ ଗାଁରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଥାନାକୁ ନେଇଥିଲା। ଖବର ଲେଖାହେବା ସୁଦ୍ଧା ସେମାନେ ଥାନାରେ ଅଟକ ଅଛନ୍ତି। ସେମାନେ କାର୍‌ରେ ଥିଲେ ବୋଲି ସ୍ୱୀକାର କରିଛନ୍ତି। ତେବେ ଜଣେ ଡ୍ରାଇଭର କାର୍‌ ଚଳାଉଥିଲା ଓ ଦୁର୍ଘଟଣା ପରେ ସେ ଫେରାର ହୋଇଯାଇଥିବା ସେମାନେ ପୁଲିସକୁ କହିଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ଉତ୍ୟକ୍ତ ଅଞ୍ଚଳବାସୀ ଦୁର୍ଘଟଣା ଘଟାଇଥିବା କାର୍‌କୁ ପୋଡ଼ି ଦେବା ସହ ପ୍ରାୟ ଦୁଇ ଘଣ୍ଟା ଧରି ରାସ୍ତାରୋକ କରିଥିଲେ।

ସମ୍ବନ୍ଧିତ ଖବର