ଶିକ୍ଷକ ଶିକ୍ଷା ତାଲିମ ପାଠ୍ୟକ୍ରମ ପାଇଁ ଜୁନ୍‌ ୨୦ ସୁଦ୍ଧା ଆବେଦନ : ଏଣିକି ଅନ୍‌ଲାଇନ୍‌ରେ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର : ୨୦୧୮-୧୯ ଶିକ୍ଷାବର୍ଷରୁ ବଦଳିବ ଶିକ୍ଷକ ଶିକ୍ଷା ତାଲିମ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଢାଞ୍ଚା। ଆଉ ଅଫ୍‌ଲାଇନ୍‌ରେ ପ୍ରବେଶିକା ପରୀକ୍ଷା ହେବ ନାହିଁ। ଏଣିକି ଅନ୍‌ଲାଇନ୍‌ରେ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଡିଇଏଲ୍‌ଇଡି(ଡିପ୍ଲୋମା ଇନ୍‌ ଏଲିମେଣ୍ଟାରି ଏଜୁକେସନ), ବି ଇଡି, ବି ଏଚ୍‌ ଇଡି, ବି ପି ଇଡି ଏବଂ ଏମ୍‌ ଫିଲ୍‌(ଶିକ୍ଷା) ପାଠ୍ୟକ୍ରମ ପାଇଁ ଅନ୍‌ଲାଇନ୍‌ରେ ପ୍ରବେଶିକା ପରୀକ୍ଷା କରାଯିବ। ଏନେଇ ଶିକ୍ଷକ ଶିକ୍ଷା ନିର୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ପକ୍ଷରୁ ଉକ୍ତ ପାଠ୍ୟକ୍ରମଗୁଡ଼ିକରେ ନାମଲେଖା ପାଇଁ ଦରଖାସ୍ତ ଆହ୍ଵାନ କରାଯାଇଛି।

ଇଚ୍ଛୁକ ଛାତ୍ରଛାତ୍ରୀ ଜୁନ୍‌ ୨୦ ତାରିଖ ମଧ୍ୟରେ ଅନ୍‌ଲାଇନ୍‌ରେ ନାମ ପଞ୍ଜୀକରଣ କରିପାରିବେ। ଗତ ମେ’ ୨୫ ତାରିଖଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ‘www.sme.odisha.gov.in/www.samsodisha.gov.in/www.scertodisha.nic.in’ ଓ୍ଵବସାଇଟ୍‌ ମାଧ୍ୟମରେ ଛାତ୍ରଛାତ୍ରୀ ପଞ୍ଜୀକରଣ କରିପାରିବେ। ଆବଶ୍ୟକ ସୂଚନା ପୁସ୍ତିକା ମଧ୍ୟ ଉପରୋକ୍ତ ଓ୍ଵବସାଇଟ୍‌ରେ ଉପଲବ୍ଧ ହେଉଛି। ବିଭିନ୍ନ ପାଠ୍ୟକ୍ରମ ପାଇଁ ଅନ୍‌ଲାଇନ୍‌ ପରୀକ୍ଷା ଭିନ୍ନ ଭିନ୍ନ ଦିନରେ ଅନୁଷ୍ଠିତ ହେବ। ପ୍ରାର୍ଥୀମାନଙ୍କୁ ଏସ୍‌ଏମ୍‌ଏସ୍‌ ଏବଂ ଇ-ମେଲ୍‌ ଜରିଆରେ ଅନ୍‌ଲାଇନ୍‌ ପରୀକ୍ଷା ପାଇଁ ଜିଲ୍ଲା, ସ୍ଥାନ ଓ ତାରିଖ ଆଦି ସମ୍ପର୍କରେ ଜଣାଇ ଦିଆଯିବ। ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀଙ୍କର ପ୍ରାକ୍‌ ପ୍ରସ୍ତୁତି ପାଇଁ ମକ୍‌ ଟେଷ୍ଟର ମଧ୍ୟ ଆୟୋଜନ କରାଯାଉଛି। ଶିକ୍ଷକ ଶିକ୍ଷା ତାଲିମ ନେବାକୁ ଇଚ୍ଛୁକ ସମସ୍ତ ପ୍ରାର୍ଥୀ ଆବେଦନ ପୂର୍ବରୁ ସୂଚନା ପୁସ୍ତିକାକୁ ଭଲ ଭାବେ ପଢ଼ିବା ପାଇଁ ଶିକ୍ଷକ ଶିକ୍ଷା ନିର୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ପକ୍ଷରୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର