ଶିକ୍ଷକଙ୍କ ଗ୍ରେଡ଼ ପେ’ ହ୍ରାସ ପ୍ରସଂଗ: ସ୍ୟାଟଙ୍କ ରାୟକୁ ହାଇକୋର୍ଟରେ ସରକାରଙ୍କ ଚାଲେଞ୍ଜ

କଟକ : ବିନା ତାଲିମରେ କାର୍ଯ୍ୟରତ ଥିବା ଶିକ୍ଷକଙ୍କ ଗ୍ରେଡ ପେ’ ହ୍ରାସ ପ୍ରସଂଗରେ ରାଜ୍ୟ ପ୍ରଶାସନିକ ଟ୍ରିବୁନାଲ(ସ୍ୟାଟ) ପ୍ରଦାନ କରିଥିବା ରାୟକୁ ରାଜ୍ୟ ସରକାର ହାଇକୋର୍ଟରେ ଚାଲେଞ୍ଜ କରିଛନ୍ତି। ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ କେ.ଆର. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ସମୟରେ ସରକାରଙ୍କ ପକ୍ଷରୁ ଅଧିକ ମହଲତ ଲୋଡା ଯାଇଥିଲା। ଫଳରେ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୩୦ ତାରିଖରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି।

ପଦୋନ୍ନତି ପାଉନଥିବା ଶିକ୍ଷକଙ୍କ ପାଇଁ ୨୦୧୩, ଫେବ୍ରୁଆରି ୬ରେ ସରକାରଙ୍କ ଅର୍ଥ ବିଭାଗ ଏକ ବିଜ୍ଞପ୍ତି ପ୍ରକାଶ କରି ଆରଏସିପି ଯୋଜନା ଲାଗୁ କରିଥିଲେ। ଫଳରେ ବିନା ତାଲିମରେ କାର୍ଯ୍ୟରତ ଶିକ୍ଷକଙ୍କ ଗ୍ରେଡ ପେ ୪ହଜାର ୨ଶହ ଟଙ୍କା ଧାର୍ଯ୍ୟ ହୋଇଥିଲା। ପରବର୍ତ୍ତୀ ସମୟରେ ୨୦୧୬, ଅଗଷ୍ଟ ୯ରେ ସରକାର ଏକ ବିଜ୍ଞପ୍ତି ପ୍ରକାଶ କରି ଗ୍ରେଡ଼ ପେ ୪ହଜାର ୨ଶହ ଟଙ୍କାକୁ ପ୍ରତ୍ୟାହାର କରି ୨ହଜାର ୪ଶହ ଟଙ୍କା ଲାଗୁ ହେବ ବୋଲି ଦର୍ଶାଇଲେ। ଏହାକୁ ଚାଲେଞ୍ଜ କରି ସରସ୍ୱତୀ ଭୋଇଙ୍କ ସମେତ କେତେକ ଶିକ୍ଷକ କଟକ ଓ ଭୁବନେଶ୍ୱର ସ୍ୟାଟ ଖଣ୍ଡପୀଠରେ ମାମଲା ଦାୟର କରିଥିଲେ। ସ୍ୟାଟ ଏହି ମାମଲାରେ ଚୂଡାନ୍ତ ଶୁଣାଣି କରି ସରକାରଙ୍କ ନିଷ୍ପତ୍ତି ବେଆଇନ ବୋଲି ଦର୍ଶାଇବା ସହ ଯେଉଁମାନେ ୬ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି କାର୍ଯ୍ୟରତ ଅଛନ୍ତି ସେମାନଙ୍କ ଗ୍ରେଡ ପେ ହ୍ରାସ ନକରିବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶକୁ ଚାଲେଞ୍ଜ କରି ସରକାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ପ୍ରତିପକ୍ଷ ଶିକ୍ଷକଙ୍କ ପକ୍ଷରୁ ଆଇନଜୀବୀ ଶଶି ଭୂଷଣ ଜେନା ଓ ଗୁରୁ ପ୍ରସାଦ ପଟ୍ଟନାୟକ ପ୍ରମୁଖ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର