ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ନାମଲେଖା: ଆଶୀର୍ବାଦ ନା ଅଭିଶାପ?

ଆନ୍ଦୋଳନରେ ଶିକ୍ଷକ, ନିର୍ବିକାର ମନ୍ତ୍ରୀ, ୩୦ଲକ୍ଷ ଛାତ୍ରଛାତ୍ରୀଙ୍କ ଜୀବନ ବାଜି ଲାଗିଛି

ଭୁବନେଶ୍ୱର: ଦାବି ସମାନ। ୪ବର୍ଷ ଧରି ଆନ୍ଦୋଳନ ଚାଲିଛି। ସଂଗଠନ ଲୋୟର ପିଏମ୍‌ଜି କମ୍ପାଉଛନ୍ତି, ସମାନ ପ୍ରସଙ୍ଗ ଉଠାଇ ବିଧାୟକ ବି ଗର୍ଜୁଛନ୍ତି ବିଧାନସଭା ଭିତରେ। ସରକାରଙ୍କ ସହିତ ଆଲୋଚନା କରୁଛନ୍ତି ପ୍ରତିନିଧି ଦଳ। ପ୍ରତିଶ୍ରୁତି ମିଳୁଛି। କିଛି ପୂରଣ ହେଉଛି, କିଛି ରହୁଛି। ପୁଣି ରାସ୍ତାକୁ ଓହ୍ଲାଇଛନ୍ତି ଓ ଆନ୍ଦୋଳନ କରୁଛନ୍ତି। ଗତ ୪ ବର୍ଷ ଧରି ସରକାର ଓ ଶିକ୍ଷକଙ୍କ ମଧ୍ୟରେ ଚାଲିଥିବା ଏଭଳି ଛକାପଞ୍ଝା ଭିତରେ ରାଜ୍ୟର ପାଖାପାଖି ୩୦ଲକ୍ଷ ଛାତ୍ରଛାତ୍ରୀଙ୍କ ଜୀବନ ବାଜି ଲାଗିଛି। କେତେବେଳେ ବିଦ୍ୟାଳୟରେ ଗଣେଶ ପୂଜା ପ୍ରଭାବିତ ହେଲାଣି ତ କେତେବେଳେ ସରସ୍ୱତୀ ପୂଜା। ଆସନ୍ତାକାଲି ଶିକ୍ଷକ ସଂଗଠନ ଘୋଷଣା କରିଛନ୍ତି ଗୁରୁଦିବସକୁ କଳାଦିବସ ଭାବେ ପାଳିବେ। ୬ ତାରିଖରୁ ତାଲା ପକାଇଦେବେ ବିଦ୍ୟାଳୟରେ। ନାପସନ୍ଦ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ। ବାସ୍‌ ସେତିକିରେ ସେ ନିଜର ଉତ୍ତରଦାୟିତ୍ୱ ଖସାଇଦେଇଛନ୍ତି। ଏବେ ରାଜ୍ୟର ୩୦ଲକ୍ଷ ଛାତ୍ରଛାତ୍ରୀଙ୍କ ମୁଣ୍ଡ ଘୂରାଇଲାଣି। ସେମାନଙ୍କ ମନକୁ ଗୋଟିଏ ପ୍ରଶ୍ନ ଆନ୍ଦୋଳିତ କରୁଛି। ଏସବୁ ବିଦ୍ୟାଳୟରେ ନାମ ଲେଖାଇବା ଆଶୀର୍ବାଦ ନା ଅଭିଶାପ? ଶିକ୍ଷକ ଦାବି କରୁଛନ୍ତି, ସରକାର ପୂରଣ କରୁନାହାନ୍ତି। ଆମ ଭବିଷ୍ୟତ ପାଇଁ କିଏ ଉତ୍ତରଦାୟୀ? ଛାତ୍ରଛାତ୍ରୀଙ୍କୁ ଗୁରୁଙ୍କୁ ପୂଜା କରିବାର ଅଧିକାର ଛ଼ଡାଇ ନେବା ଗର୍ହିତ ଅପରାଧ ନୁହେଁ? ଅଭିଭାବକଙ୍କ ଚିନ୍ତା ବହୁଗୁଣିତ ହେଲାଣି। ସେପ୍‌ଟେମ୍ବର ୧୭ ତାରିଖରୁ ମାଟି୍ରକ୍‌ ଛାତ୍ରଛାତ୍ରୀଙ୍କ ପ୍ରି-ଟେଷ୍ଟ ପରୀକ୍ଷା ଆରମ୍ଭ ହେବ। ଏଇ ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ପ୍ରସ୍ତୁତ ହୋଇପାରିବେ ତ? ସେମାନଙ୍କ ଦ୍ୱନ୍ଦ୍ୱ କିଭଳି ଦୂର ହେବ? ଗୋଟିଏ ପଟେ ସରକାର ପାଠ୍ୟକ୍ରମକୁ ସଜାଡୁଛନ୍ତି। ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ମନ ବିଚଳିତ। ଏମିତି ସମୟରେ ଓଡ଼ିଶାର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଦିନ ଦିପହରେ ଖେଳ ଚାଲିଛି। ସରକାର ପରୋକ୍ଷରେ ଟ୍ୟୁସନ ବ୍ୟବସାୟକୁ ଉତ୍ସାହିତ କରୁନାହାନ୍ତି? ଏଭଳିସ୍ଥିତି ଜାରି ରହିଲେ ଓଡ଼ିଶାରୁ ମେଧା ବାହାରିବେ?

ଉଲ୍ଲେଖଯୋଗ୍ୟ, ରାଜ୍ୟରେ ଶିକ୍ଷା ଅଧିକାର ଆଇନ କାର୍ଯ୍ୟକାରୀ ହୋଇଛି। ବର୍ଷର ୩୬୫ ଦିନ ମଧ୍ୟରୁ ୫୪ ଦିନ ରବିବାର ପାଇଁ ବିଦ୍ୟାଳୟ ଛୁଟି। ଏହାବ୍ୟତୀତ ପାଖାପାଖି ୮୨ଦିନ ସରକାରୀ ଛୁଟି। ବର୍ଷକୁ ପାଖାପାଖି ୨୨୦ରୁ ୨୨୫ ଦିନ ନିଶ୍ଚୟ ପାଠପଢା ହେବା କଥା। ନ ହେଲେ ଆଇନ ଉଲ୍ଲଂଘନ ଅଭିଯୋଗରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ। ତଥ୍ୟ କହୁଛି, ୨୦୧୫ରେ ଅଗଷ୍ଟ ୧୦ରୁ ସେପ୍‌ଟେମ୍ବର ୨୪ ତାରିଖ ଯାଏ ଶିକ୍ଷକ ଆନ୍ଦୋଳନରେ ଥିଲେ। ୨୦୧୬ରେ କଲେଜ ଶିକ୍ଷକମାନେ ଜୁନ୍‌ ୧ରୁ ୩୦ଯାଏ ଆନ୍ଦୋଳନକୁ ଓହ୍ଲାଇଥିଲେ। ୨୦୧୭ରେ ଅଗଷ୍ଟ ୧୬ରୁ ସେପ୍‌ଟେମ୍ବର ୧ ଯାଏ ଆନ୍ଦୋଳନ ହେଲା। ଗତ ଫେବ୍ରୁୁଆରି ୬ରୁ ୮, ମାର୍ଚ ୨୯ରୁ ଏପ୍ରିଲ ୧୮। ଏବଂ ୨୦ ଦିନ ଧରି ପୁଣି ଆନ୍ଦୋଳନ ଚାଲିଛି, ଶିକ୍ଷକ ଲୋୟର ପିଏମ୍‌ଜିରେ ଖରାବର୍ଷା ମାଡ଼ ଖାଇ ବସିଛନ୍ତି। ଶିକ୍ଷକମାନଙ୍କ ସଫେଇ ହେଉଛି, ସେମାନେ ପିଲାଙ୍କୁ ଗୁରୁତ୍ୱ ଦେଉଛନ୍ତି। ଆନ୍ଦୋଳନରେ ଥିଲେ ବି କେତେବେଳେ ରୋଷ୍ଟର ଡ୍ୟୁଟି କରି ପିଲାଙ୍କୁ ପଢାଯାଇଛି। କେତେବେଳେ ଶନିବାର ଓ ରବିବାର ସ୍କୁଲ ଯାଇ ପଢାଇଥିବା ସୂଚନା ଦେଇଛନ୍ତି। ହେଲେ ଏହାଦ୍ୱାରା ଛାତ୍ରଛାତ୍ରୀଙ୍କର କେତେ କ୍ଷତି ହୋଇଛି ସରକାର ଆକଳନ କରିଛନ୍ତି? ଶିକ୍ଷକ ହେଜିଲେଣି? ସରକାର ଦାବି ପୂରଣ କରୁନାହାନ୍ତି କି ବିକଳ୍ପ ବ୍ୟବସ୍ଥା ବି କରୁନାହାନ୍ତି। କେବଳ ଆନ୍ଦୋଳନରେ ଥିବା ଦିନର ଦରମା ବନ୍ଦ। ପିଲାଙ୍କ ଭବିଷ୍ୟତର ମୂଲ୍ୟ କଣ ଏତିକି? କିଭଳି ପିଲାମାନେ ପାଠ ପଢିବେ, ସେ ଉତ୍ତରଦାୟିତ୍ୱଟି ତେବେ କାହାର? ଏବେ ୬୦ ହଜାର ଶିକ୍ଷକ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଏଥିରେ ୨୫ଶହ ପାଖାପାଖି ହାଇସ୍କୁଲ, ୧୫୦୦ ପାଖାପାଖି ମହାବିଦ୍ୟାଳୟ ରହିଛି। ଶିକ୍ଷକ ସଂଗଠନ ଦାବିକୁ ଜୋରଦାର କରିବା ଲାଗି ଅନ୍ୟ ଶିକ୍ଷକଙ୍କ ସାହାଯ୍ୟ ଲୋଡିଛନ୍ତି। ସରକାର ଏତେ ସବୁ ଜାଣିବା ପରେ ବି ଆଉ କେଉଁ ପରିଣାମକୁ ଅପେକ୍ଷା କରିଛନ୍ତି, ତାହା ବୁଝାପଡୁନାହିଁ। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶିକ୍ଷକଙ୍କୁ ଉଠାଉନାହାନ୍ତି କି ପିଲାଙ୍କ ପାଠପଢା ନେଇ ବିକଳ୍ପ ବ୍ୟବସ୍ଥା କରୁନାହାନ୍ତି।
ବୁଦ୍ଧିଜୀବୀ ମହଲର କହିବା କଥା ହେଉଛି, ନିକଟରେ ଅଦାଲତ ଏକ ମାମଲାର ଶୁଣାଣି ଆଳରେ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଶିଳ୍ପାନୁଷ୍ଠାନ କର୍ମଚାରୀ ଭଳି ଶିକ୍ଷକମାନେ ସରକାରଙ୍କ ପାଖରେ ଦାବି ହାସଲ କରିବା ଲାଗି କାମ ବନ୍ଦ କରିପାରିବେ ନାହିଁ। ଏହାପରେ ବି ଶିକ୍ଷକ ଜିଦ୍‌ରୁ ଓହରୁନାହାନ୍ତି। ବିଭାଗ ବି ତତ୍ପରତା ଦେଖାଉନାହାନ୍ତି।

ସମ୍ବନ୍ଧିତ ଖବର