ଲୋୟର ପିଏମ୍‌ଜିରେ ଶିକ୍ଷା ସହାୟକଙ୍କ ମହାସମାବେଶ : ମନ୍ତ୍ରୀଙ୍କ ସହ ଆଲୋଚନା ବିଫଳ

୪ଟି ଦାବି ପୂରଣ କରିବାକୁ ରାଜ୍ୟ ସରକାର ରାଜି
କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜିବେ ଶିକ୍ଷକ

ଭୁବନେଶ୍ୱର : ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶିକ୍ଷା ସହାୟକ। ୭୦ ହଜାରରୁ ଅଧିକ ଶିକ୍ଷକ ଇତିମଧ୍ୟରେ ସମୂହ ଛୁଟି ନେଇସାରିଥିବା ବେଳେ ଆଜି ଲୋୟର ପିଏମ୍‌ଜିରେ ଶକ୍ତି ପ୍ରଦର୍ଶନ କରିଛନ୍ତି। ୧୦ ହଜାରରୁ ଅଧିକ ଶିକ୍ଷକ ଏକାଠି ହୋଇ ୭ ଦଫା ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ଓହରିବାର ପ୍ରଶ୍ନ ଉଠୁ ନାହିଁ ବୋଲି ଶିକ୍ଷା ସହାୟକ ସଂଘର ନେତାମାନେ ସ୍ପଷ୍ଟ କରିଥିଲେ।

ପୂର୍ବାହ୍ନରେ ଶିକ୍ଷା ସହାୟକଙ୍କ ମହାସମାବେଶ ପରେ ତତ୍ପରତା ପ୍ରକାଶ କରିଥିଲେ ରାଜ୍ୟ ସରକାର। ଆଗକୁ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଥିବାରୁ ଶିକ୍ଷକଙ୍କୁ ଶାନ୍ତ କରିବାକୁ ଘନ ଘନ ବୈଠକ ଡାକି ଆଲୋଚନା କରିଥିଲେ। ପ୍ରଥମେ ମନ୍ତ୍ରୀସ୍ତରୀୟ ବୈଠକ ପରେ ଶିକ୍ଷା ସହାୟକ ସଂଘ ସହ ବୈଠକ କରିଥିଲେ। ୭ ଦଫା ଦାବି ମଧ୍ୟରୁ ୪ଟି ପୂରଣ ଲାଗି ସହମତି ପ୍ରକାଶ କରିଥିଲେ ମଧ୍ୟ ୩ଟି ଦାବି ପୂରଣ ନେଇ କୌଣସି ପ୍ରତିଶ୍ରୁତି ଦେଇ ନ ଥିଲେ। ବରଂ କେନ୍ଦ୍ର ସରକାରଙ୍କ ଉପରକୁ ଦୋଷ ଠେଲି ଦେଇଥିଲେ। ଯଦି କେନ୍ଦ୍ର ସରକାର ଅର୍ଥ ଦିଅନ୍ତି ତେବେ ଉକ୍ତ ଦାବିଗୁଡ଼ିକ ପୂରଣ ହେବ ବୋଲି କହିଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ର୍ରି ନାରାୟଣ ପାତ୍ରଙ୍କ ପ୍ରତିଶ୍ରୁତି ପରେ ଶିକ୍ଷା ସହାୟକ ସଂଘ ନିଜ ଆନ୍ଦୋଳନରେ ପରିବର୍ତନ ଆଣିଛି। ରାଜ୍ୟ ବଦଳରେ କେନ୍ଦ୍ର ସରକାରଙ୍କ ବିରୋଧରେ ଆନ୍ଦୋଳନ କରିବ ବୋଲି କହିଛି।

ପୂର୍ବ ନିଷ୍ପତ୍ତି ଅନୁଯାୟୀ ଆଜି ପୂର୍ବାହ୍ନରେ ହଜାର ହଜାର ଶିକ୍ଷକ ମାଷ୍ଟରକ୍ୟାଣ୍ଟିନ୍‌ ଛକରୁ ବିଶାଳ ଶୋଭାଯାତ୍ରାରେ ବାହାରି ଲୋୟର ପିଏମ୍‌ଜିରେ ପହଞ୍ଚିଥିଲେ। ବାରିକେଡ୍‌ ଡେଇଁ ଆଗକୁ ଯିବା ପୂର୍ବରୁ ପୁଲିସ ଅଧିକାରୀମାନେ ଶିକ୍ଷକଙ୍କୁ ଅଟକାଇଥିଲେ। ଏହାପରେ ସେଠାରେ ଆୟୋଜିତ ମହାସମାବେଶରେ ସଂଘର ଆଗଧାଡ଼ି ନେତାମାନେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ଦାବି ପୂରଣ ଲାଗି ବାରମ୍ବାର ପ୍ରତିଶ୍ରୁତି ମିଳିଥିଲେ ମଧ୍ୟ କୌଣସି ସୁଫଳ ମିଳିନି। ତେଣୁ ଏଥର ‘କର ନ ହେଲେ ମର’ ନୀତି ଆପଣାଇବାକୁ ନିଷ୍ପତ୍ତି ନେଇଥିଲେ। ମଧ୍ୟାହ୍ନରେ ଶିକ୍ଷକଙ୍କ ଏଭଳି ଆଭିମୁଖ୍ୟ ପରେ ସନ୍ଧ୍ୟାରେ ଗଣଶିକ୍ଷା ବିଭାଗ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯାଇଥିଲା। ପ୍ରଥମେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ମନ୍ତ୍ରୀ, ସଚିବଙ୍କୁ ନେଇ ବୈଠକ ହୋଇଥିଲା। ପରେ ଶିକ୍ଷା ସହାୟକ ସଂଘର ପ୍ରତିନିଧିଙ୍କ ସହ ବୈଠକ ହୋଇଥିଲା। ଏଥିରେ ସଂଘର ପ୍ର୍ରତିନିଧିମାନେ ସାମିଲ ହୋଇଥିଲେ।

ଦାବିଗୁଡ଼ିକ ମଧ୍ୟରୁ ୨୦୧୧ରେ ନିଯୁକ୍ତ ସମସ୍ତ ଶିକ୍ଷା ସହାୟକଙ୍କୁ ନିୟମିତ କରିବା, ଶିକ୍ଷା ସହାୟକଙ୍କ ନାମ ପରିବର୍ତନ, ମୃତ୍ୟୁକାଳୀନ ସହାୟତା ଘୋଷଣା, ବଦଳି ନୀତିରେ କୋହଳ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତିଶ୍ରୁତି ମିଳିଥିଲା। ବଳକା ୩ଟି ଦାବି ନେଇ କୌଣସି ପ୍ରକାର ପ୍ରତିଶ୍ରୁତି ମିଳି ନ ଥିଲା। ସରକାରଙ୍କ ପ୍ରତିନିଧି କହିଥିଲେ ଯେ ଶିକ୍ଷକ ସହାୟକ/କନିଷ୍ଠ ଶିକ୍ଷକଙ୍କ ଦରମାର ୨୫% ବୃଦ୍ଧି କରିବାରେ କୌଣସି ଅସୁବିଧା ନାହିଁ। ରାଜ୍ୟ ସରକାର ନିଜ ଭାଗ ୪୦% ଅର୍ଥ ବଢ଼ାଇବାକୁ ରାଜି ଅଛନ୍ତି। କେନ୍ଦ୍ର ସରକାରଙ୍କ ନିକଟକୁ ୩ ଥର ଚିଠି ଲେଖାଯାଇଥିଲେ ମଧ୍ୟ ୬୦% ଅର୍ଥ ଦେଉ ନ ଥିବାରୁ ବୃଦ୍ଧି କରାଯାଇ ପାରୁନି। ୨୦୧୨ ବ୍ୟାଚ୍‌ରେ ନିଯୁକ୍ତ ଶିକ୍ଷା ସହାୟକଙ୍କ ପାଇଁ ଓଟିଇଟିରେ କୋହଳ ନିଷ୍ପତ୍ତି କେନ୍ଦ୍ର ସରକାରଙ୍କ ଦ୍ୱାରା ଆସିବାକୁ ଗାଇଡ୍‌ଲାଇନ୍‌ ଉପରେ ନିର୍ଭର କରୁଛି। ସେମାନେ ଯେଉଁଭଳି ନିୟମ ଜାରି କରିବେ ତାହା ଲାଗୁ ହେବ। ନିୟମିତ ଶିକ୍ଷକଙ୍କ ଗ୍ରେଡ୍‌ ପେ’ ୨୨୦୦ରୁ ୨୮୦୦ ଟଙ୍କାକୁ ବୃଦ୍ଧି ନିଷ୍ପତ୍ତିି ନେଇ ବି କୌଣସି ସମାଧାନର ବାଟ ବାହାରିପାରିନି।

ଶିକ୍ଷା ସହାୟକ ସଂଘ ସଭାପତି ମଳୟ କୁମାର ଜେନାଙ୍କ କହିବାନୁଯାୟୀ ଲୋୟର ପିଏମ୍‌ଜିରେ ଆନ୍ଦୋଳନ ଜାରି ରହିବ। ହକ୍‌ ଲାଗି କେନ୍ଦ୍ର ମନ୍ତ୍ରୀମାନଙ୍କ ବିରୋଧରେ ଳଢ଼େଇ ହେବ। ଶିକ୍ଷକମାନେ ସମୂହ ଛୁଟିରେ ରହି ଧାରଣାରେ ବସିବେ। ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବାକୁ ଥିବା ଛାତ୍ରଛାତ୍ରୀଙ୍କ ବାର୍ଷିକ ପରୀକ୍ଷାକୁ ବର୍ଜନ କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର