୩୮ଂ ତାତିରେ ଶିକ୍ଷକ ତାତିଲେ, ସ୍କୁଲ କଲେଜରେ ତାଲା ପକାଇବାକୁ ଧମକ

ଭୁବନେଶ୍ୱର : ପୁଣିଥରେ ରାଜଧାନୀ ରାଜରାସ୍ତାରେ ଶକ୍ତି ପ୍ରଦର୍ଶନ କରିଛି ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ। ମିଳିତ ମଞ୍ଚ ଡାକରାରେ ହଜାର ହଜାର ଶିକ୍ଷକ, ଅଧ୍ୟାପକ, କର୍ମଚାରୀ, ଛାତ୍ରଛାତ୍ରୀ, ଅଭିଭାବକ, ବୁଦ୍ଧିଜୀବୀ ୩୮ ଡିଗ୍ର୍ରି ଖରାରେ ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜନ କରିଛନ୍ତି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ରାଜରାସ୍ତାରେ ଲଢ଼େଇ ଚାଲିବ। ଦାବି ପୂରଣ ହାସଲ ନ ହେଲେ ସ୍କୁଲ କଲେଜରେ ତାଲା ପକାଇ ଦିଆଯିବ ବୋଲି ମିଳିତ ମଞ୍ଚର ଆବାହକ ମଣ୍ଡଳୀ ସଦସ୍ୟ ପ୍ରକାଶ ଚନ୍ଦ୍ର ମହାନ୍ତି, ଗୋଲକ ନାୟକ, ପବିତ୍ର ମହାଲା ମହାସଂଘର୍ଷ ସମାବେଶରେ କହିଛନ୍ତି।

ଗତକାଲି ରାଜ୍ୟ ସରକାରଙ୍କ ମନ୍ତ୍ରୀସ୍ତରୀୟ କମିଟି ସହ ମିଳିତ ମଞ୍ଚ ପ୍ରତିନିଧିଙ୍କ ଆଲୋଚନା ବିଫଳ ହେବା ପରେ ଆଜି ମହାସଂଘର୍ଷ ସମାବେଶ ଲାଗି ଡାକରା ଦିଆଯାଇଥିଲା। ସେହି ଅନୁଯାୟୀ ଶିକ୍ଷକମାନେ ପୂର୍ବାହ୍ନରେ ମାଷ୍ଟରକ୍ୟାଣ୍ଟିନ୍‌ ରେଳଷ୍ଟେସନ୍‌ରେ ଏକାଠି ହେବା ପରେ ବିରାଟ ଶୋଭାଯାତ୍ରାରେ ବିଧାନସଭା ଅଭିମୁଖେ ବାହାରିଥିଲେ। ଲୋୟର ପିଏମ୍‌ଜିରେ ପୁଲିସ ଆନ୍ଦୋଳନକାରୀଙ୍କୁ ଅଟକାଇବା ପରେ ସେଠାରେ ମହାସମାବେଶ ଅନୁଷ୍ଠିତ ହୋଇଥିଲା। ଏଥିରେ ଶିକ୍ଷକ ନେତାମାନେ ସାମିଲ ହୋଇ କହିଥିଲେ ଯେ, ଇତି ମଧ୍ୟରେ ମାଟ୍ରିକ ସମେତ ଯୁକ୍ତ୨ ମୂଲ୍ୟାୟନ ବାଧାପ୍ରାପ୍ତ ହୋଇଛି। ତଥାପି ରାଜ୍ୟ ସରକାରଙ୍କ କୁମ୍ଭକର୍ଣ୍ଣ ନିଦ ଭାଙ୍ଗୁନି। ଶିକ୍ଷକ ଓ ଅଧ୍ୟାପକଙ୍କ ଦାବି ପୂରଣ ଦିଗରେ ପଦକ୍ଷେପ ନିଆଯାଉ ନାହିଁ। ଡିଏ ବୃଦ୍ଧି ନେଇ ଯେଉଁ ନିଷ୍ପତ୍ତି ନିଆଯାଇଛି ସେଥିରେ ବି ତ୍ରୁଟି ପରିଲକ୍ଷିତ ହେଉଛି। କିନ୍ତୁ ସତ୍ୟପାଠ ଉଚ୍ଛେଦ ନେଇ ବିଜ୍ଞପ୍ତି ପ୍ରକାଶ କରିବାକୁ ସରକାରୀ ବାବୁମାନେ କାହିଁକି କୁନ୍ଥକୁନ୍ଥ ହେଉଛନ୍ତି ତାହା ଜଣାପଡ଼ୁ ନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଘୋଷଣା କରିଥିଲେ ତାହାକୁ ମଧ୍ୟ ସଚିବମାନେ ଫାଙ୍କି ଚାଲିଛନ୍ତି। ଏହା ପ୍ରତିବାଦରେ ଦାନା ବାନ୍ଧିଥିବା ଆନ୍ଦୋଳନ କୁହୁଳିବାରେ ଲାଗିଛି। କୌଣସି ବି ସମୟରେ ତାହା ବିସ୍ଫୋରକ ରୂପ ନେଇପାରେ। ଏହା ପୂର୍ବରୁ ରାଜ୍ୟ ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରନ୍ତୁ। ମୁଖ୍ୟମନ୍ତ୍ରୀ ସିଧାସଳଖ ଘଟଣାରେ ହସ୍ତକ୍ଷେପ କରି ସମସ୍ୟାର ସମାଧାନ କରନ୍ତୁ। ନ ହେଲେ ଭବିଷ୍ୟତରେ ମହଙ୍ଗା ପଡ଼ିବ ବୋଲି ମତପ୍ରକାଶ କରିଥିଲେ। ଏଥିରେ ସର୍ବଭାରତୀୟ ଗଣତାନ୍ତ୍ରିକ ଛାତ୍ର ସଙ୍ଗଠନ, ସର୍ବଭାରତୀୟ କିଷାନ ସଭାର ପ୍ରତିନିଧିମାନେ ମଧ୍ୟ ଯୋଗଦେଇଥିଲେ।

ଅନ୍ୟପକ୍ଷରେ ଯୁକ୍ତ୨ ଖାତା ଦେଖା ସୁରୁଖୁରୁରେ ଜାରି ରହିଛି। ପ୍ରଥମ ପର୍ଯ୍ୟାୟରେ ବାକି ଥିବା କିଛି ବିଷୟର ଖାତା ମୂଲ୍ୟାୟନ ଶେଷ ହୋଇଥିବା ନେଇ ପରିଷଦ କର୍ତୃପକ୍ଷ ସୂଚନା ଦେଇଛନ୍ତି। ଇତି ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଖାତା ଦେଖା ଆରମ୍ଭ ହୋଇଥିବାରୁ ନିର୍ଧାରିତ ସମୟରେ ମୂଲ୍ୟାୟନ ଶେଷ ହେବା ନେଇ କର୍ତୃପକ୍ଷ ଆଶାବାଦୀ ରହିଛନ୍ତି। ଯେଉଁ ଅଧ୍ୟାପକ ମୂଲ୍ୟାୟନରେ ସାମିଲ ହୋଇନାହାନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଉଚ୍ଚଶିକ୍ଷା ବିଭାଗ ଏବେ ବି କଲେଜ ପରିଚାଳନା କମିଟିକୁ ସୁପାରିସ କରୁଛି। ଅଧ୍ୟାପକମାନେ କାହିଁକି ମୂଲ୍ୟାୟନରେ ସାମିଲ ହୋଇ ନାହାନ୍ତି ସେନେଇ କୈଫତ ମାଗିବା ସହ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭାଗ ନିର୍ଦେଶ ଦେଉଛି। ଇତି ମଧ୍ୟରେ ପ୍ରାୟ ୭୦ କଲେଜର ୧୫୫ ଜଣ ଅଧ୍ୟାପକଙ୍କୁ କାରଣଦର୍ଶାଅ ରିପୋର୍ଟ ପଠାଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର