ଗୁରୁଙ୍କ ଦେହରେ କଳା ବ୍ୟାଜ୍‌ : ଆଜିଠୁ ୪ ହଜାର ସ୍କୁଲ, କଲେଜରେ ତାଲା, ବିଧାୟକଙ୍କ ଘର ଘେରାଉ

ଆନ୍ଦୋଳନକୁ ବିଜେପି, କଂଗ୍ରେସର ସମର୍ଥନ, ସାମିଲ ହେଲେ ଛାତ୍ର ସଙ୍ଗଠନ; ମନ୍ତ୍ରୀ କହିଲେ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯିବ

ଭୁବନେଶ୍ୱର : ଜୋରଧରିଛି ଶିକ୍ଷକ ଆନ୍ଦୋଳନ। ୨୧ ଦିନ ହେଲା ଖରା ବର୍ଷାରେ ଆନ୍ଦୋଳନ ଚଲିବା ପରେ ବି ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିନି। ଦାବି ପୂରଣ ଦୂରର କଥା ଏପର୍ଯ୍ୟନ୍ତ ଶିକ୍ଷକଙ୍କ ସହ ଥରୁଟିଏ ଆଲୋଚନା କରାଯାଇନି। ଯେଉଁଥିପାଇଁ ଆନ୍ଦୋଳନରତ ଶିକ୍ଷକମାନେ ଆଜି ବିଧାନସଭା ସମ୍ମୁଖରେ କଳା ବ୍ୟାଜ୍‌ ପିନ୍ଧି ଗୁରୁ ଦିବସକୁ କଳା ଦିବସ ଭାବେ ପାଳନ କରିଛନ୍ତି। ଏପଟେ ବିିଜେପି, କଂଗ୍ରେସର ନେତାମାନେ ଆଜି ଶିକ୍ଷକ ଆନ୍ଦୋଳନରେ ସାମିଲ ହୋଇ ସମର୍ଥନ ଜଣାଇଛନ୍ତି। ଆସନ୍ତାକାଲିଠାରୁ ରାଜ୍ୟର ୪ ହଜାର ସ୍କୁଲ କଲେଜରେ ତାଲା ପଡ଼ିବାକୁ ଥିବା ବେଳେ ବିକଳ୍ପ ବ୍ୟବସ୍ଥା ଆପଣାଇବାକୁ ଆଲୋଚନା ଚାଲିଛି ବୋଲି ବିିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର କହିଛନ୍ତି।

ପୂର୍ବ ନିଷ୍ପତ୍ତି ଅନୁଯାୟୀ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ଆଜି ଗୁରୁ ଦିବସ ବର୍ଜନ କରାଯାଇଥିଲା। ୪୦ ହଜାରରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ବିଧାନସଭା ସମ୍ମୁଖରେ ଏକାଠି ହୋଇ କଳା ବ୍ୟାଜ୍‌ ପରିଧାନ କରିଥିଲେ। ତୁହାକୁ ତୁହା ବର୍ଷା ମାଡ଼ରେ ଶିକ୍ଷକ, ଅଧ୍ୟାପକ, କର୍ମଚାରୀମାନେ ରାଜ୍ୟ ସରକାରଙ୍କ ବିରୋଧରେ ପ୍ରତିବାଦର ସ୍ୱରକୁ ଟାଣ କରିଥିଲେ। ଆନ୍ଦୋଳନ ବ୍ୟାପକ ହେଉଥିବା ବେଳେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସର ଏକ ପ୍ରତିନିଧି ଦଳ ଆଜି ଶିକ୍ଷକମାନଙ୍କୁ ଭେଟିଥିଲା। ଶିକ୍ଷକମାନଙ୍କ ଦାବି ଯୁକ୍ତିଯୁକ୍ତ। ତେଣୁ ତାହାକୁ ପୂରଣ କରିବା ଦିଗରେ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ। ନହେଲେ ବିଧାନସଭା ଭିତରେ ଓ ବାହାରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି କଂଗ୍ରେସ ପ୍ରତିନିଧି ଦଳ ଚେତାବନୀ ଦେଇଛି। ପ୍ରତିନିଧି ଦଳରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର, ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ସମେତ ୪ ଜଣ ବିଧାୟକ ରହିଥିଲେ।

ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ ଅରୁଣ ସିଂହ ମଧ୍ୟ ଧାରଣା ସ୍ଥଳରେ ପହଞ୍ଚି ଶିକ୍ଷକମାନଙ୍କ ସହ ଆଲୋଚନା କରିଛନ୍ତି। ସେ କହିଥିଲେ ଗୁରୁ ଦିବସ ପରି ପବିତ୍ର ଦିନରେ ଶିକ୍ଷକମାନେ ରାଜରାସ୍ତାରେ ଆନ୍ଦୋଳନ କରିବା ଲଜ୍ଜାର ବିଷୟ। ବିଜେପି ସବୁବେଳେ ଶିକ୍ଷକମାନଙ୍କୁ ସମ୍ମାନ ଦିଏ। ଦୀର୍ଘଦିନ ଧରି ଶିକ୍ଷକମାନେ ଯେଉଁ ଦାବି କରୁଛନ୍ତି ତାହା ଯଥାର୍ଥ। ବିଜେପି ଏହି ଆନ୍ଦୋଳନକୁ ସମର୍ଥନ କରୁଛି। ଶିକ୍ଷକଙ୍କ ସହ ସରକାରୀ କର୍ମଚାରୀ, ନର୍ସ, ଅଙ୍ଗନବାଡି କର୍ମୀ, ଆଶା କର୍ମୀ ଦାବି ପୂରଣ ପାଇଁ ରାସ୍ତାକୁ ଓହ୍ଲାଉଛନ୍ତି। ରାଜ୍ୟରେ କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ସଡ଼କ, ପାନୀୟ ଜଳ ସଙ୍କଟ ସଙ୍ଗୀନ ରୂପ ଧାରଣ କରିଥିବା ଶିକ୍ଷା ପରି ଏକ ସମ୍ବେଦନଶୀଳ ବିଷୟ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ସେ କହିଥିଲେ। ବିଜେପି ପ୍ର୍ରତିନିଧି ଦଳରେ ବିଧାୟକ ରବି ନାଏକ, ପ୍ରଦୀପ ପୁରୋହିତ ରହିଥିଲେ।

ଶିକ୍ଷକଙ୍କ କଳା ଦିବସ ପାଳନ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର କହିଛନ୍ତି ଯେ ଗୁରୁ ଦିବସ କେବେ କଳା ଦିବସ ହେବନି। କିଏ ପାଳିବ କିଏ ନ ପାଳିବ ନିଜ ଉପରେ ନିର୍ଭର କରେ। କିନ୍ତୁ ସମାଜ ଗୁରୁ ଦିବସ ପାଳନ କରୁଛି। କଳା ଦିବସ ପାଳନ କରୁଥିବା ଶିକ୍ଷକମାନେ ବୁଝିବା ଦରକାର ସେମାନେ କ’ଣ? ଶିକ୍ଷକ ଏକ ଭଲ ସମାଜ ଗଠନ କରିପାରିବେ। ଆଜି ଗୋଟିଏ ଦିନ ଆନ୍ଦୋଳନରୁ ଓହରିଯାଇ କାଲିଠାରୁ ବସିଥିଲେ କିଛି ଅସୁବିଧା ହୋଇ ଯାଇ ନଥାନ୍ତା। ଶିକ୍ଷକମାନଙ୍କ ମୁଖ୍ୟ ଦାବିକୁ ସରକାର ମାନି ନେଇଛନ୍ତି। ବ୍ଲକଗ୍ରାଣ୍ଟ ଉଚ୍ଛେଦ ହୋଇଛି। ଗ୍ରାଣ୍ଟ-ଇନ୍‌-ଏଡ୍‌ ବ୍ୟବସ୍ଥା ଲାଗୁ ହୋଇଛି। ସୁପ୍ରିମକୋର୍ଟର୍ର କିଛି ନିୟମ ପାଇଁ ସମ୍ପୂର୍ଣ୍ଣ ଦାବି ପୂରଣ ହୋଇପାରୁନି। ଶିକ୍ଷକଙ୍କ ଦାବି ନେଇ ଶିକ୍ଷା ବିଭାଗ ନିକଟରେ ଏବେ ଆଉ କୌଣସି କାମ ବାକି ନାହିଁ। ଅର୍ଥ ଓ ଆଇନ ବିଭାଗରେ ସବୁ କିଛି ଅଟକି ରହିଛି। ଶିକ୍ଷକମାନେ ଯଦି ଗୁରୁବାରଠାରୁ ତାଲା ପକାଇବେ ତେବେ ବିକଳ୍ପ ବ୍ୟବସ୍ଥା ନେଇ ଆଲୋଚନା କରାଯାଉଛି।

ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ କହିଛନ୍ତି ଯେ ଗୁରୁମାନେ ଯଦି ଗୁରୁ ଦିବସକୁ ଯଦି କଳା ଦିବସ ଭାବେ ପାଳନ କରିବେ ତେବେ ଆଉ କାହାକୁ କହିବା। ଗୁରୁଙ୍କ ସ୍ଥାନ ବହୁ ଉପରେ। ଆଜି ପରି ପବିତ୍ର ଦିବସରେ ଗୁରୁମାନେ କଳା ବ୍ୟାଜ୍‌ ପିନ୍ଧି ପରମ୍ପରାକୁ ଅସମ୍ମାନ କରୁଛନ୍ତି। ମୋତେ ବହୁତ ଦୁଃଖ ଲାଗୁଛି। ଦାବି କରନ୍ତୁ, ହେଲେ ଦାୟିତ୍ୱବୋଧକୁ ଭୁଲି ଯାଆନ୍ତୁ ନାହିଁ ବୋଲି ସେ କହିଛନ୍ତି।

ରାଜ୍ୟର ପ୍ରମୁଖ ଛାତ୍ର ସଙ୍ଗଠନଗୁଡ଼ିକ ମଧ୍ୟ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଅଖିଳ ଭାରତୀୟ ବିଦ୍ୟାର୍ଥର୍ୀ ପରିଷଦ(ଏବିଭିପି)ର ରାଜ୍ୟ ସମ୍ପାଦିକା ପ୍ରିୟଙ୍କା ପ୍ରିୟଦର୍ଶିନୀ ମଲ୍ଲିକ ଓ ମହାନଗର ସମ୍ପାଦକ ସଞ୍ଜୟ ମଲ୍ଲିକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆନ୍ଦୋଳନ ସ୍ଥଳରେ ପହଞ୍ଚି ଗୁରୁ ଦିବସ ପାଳନ କରିଥିଲେ। ସେହିପରି ଏଆଇଡିଏସ୍‌ଓର ରାଜ୍ୟ କମିଟି ସଭାପତି ଗଣେଶ ତ୍ରିପାଠୀ, ସମ୍ପାଦକ ସୁବାସ ନାୟକଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏଥିରେ ସର୍ବଭାରତୀୟ ସାଧାରଣ ସମ୍ପାଦକ ଅଶୋକ ମିଶ୍ର ସାମିଲ ହୋଇଥିଲେ। ଛାତ୍ର କଂଗ୍ରେସ ପକ୍ଷରୁ ମଧ୍ୟ ଲୋୟର ପିଏମ୍‌ଜିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

ସମ୍ବନ୍ଧିତ ଖବର