ଦାନା ବାନ୍ଧିଲାଣି ଶିକ୍ଷକ ଆନ୍ଦୋଳନ

ଆଗକୁ ଆସୁଛି ମାଟ୍ରିକ ଓ ଯୁକ୍ତ୨ ପରୀକ୍ଷା

ଭୁବନେଶ୍ୱର: ମୁଣ୍ଡ ଉପରେ ପରୀକ୍ଷା। ଫେବ୍ରୁଆରି ୨୩ରୁ ମାଟ୍ରିକ୍‌ ପରୀକ୍ଷା ଆରମ୍ଭ ହେଉଥିବା ବେଳେ ମାର୍ଚ୍ଚ ୬ରୁ ଯୁକ୍ତ୨ ଥିଓରି ପରୀକ୍ଷା। ପରୀକ୍ଷାକୁ ଆଉ ଅଳ୍ପ ଦିନ ବାକିଥିବା ବେଳେ ସାରା ରାଜ୍ୟରେ ପୁଣିଥରେ ଦାନା ବାନ୍ଧିଲାଣି ଶିକ୍ଷକ ଆନ୍ଦୋଳନ। ଶିକ୍ଷକ ଓ ଅଧ୍ୟାପକମାନେ ରାଜରାସ୍ତାକୁ ଓହ୍ଲାଇବାକୁ ଡାକରା ଦେଇଥିବାରୁ ଅକଳରେ ପଡ଼ିଛନ୍ତି ରାଜ୍ୟ ସରକାର। ପରୀକ୍ଷାଗୁଡ଼ିକର ପରିଚାଳନା ଏବେ ମୁଣ୍ଡ ବ୍ୟଥାର କାରଣ ପାଲଟିଥିବା ବେଳେ ଆଗକୁ ବିଜେପୁରରେ ଅନୁଷ୍ଠିତ ହେବ ଉପନିର୍ବାଚନ। ତାହାକୁ ବର୍ଜନ କରିବାକୁ ଶିକ୍ଷକମାନେ ଏବେଠାରୁ ଧମକ ଦେଲେଣି। ବ୍ଲକଗ୍ରାଣ୍ଟ ଶିକ୍ଷକ ଓ ଅଧ୍ୟାପକଙ୍କ ପାଇଁ ସପ୍ତମ ବେତନ କମିସନ ଲାଗୁ କରିବା ଓ ଚାକିରି ସର୍ତ୍ତାବଳୀ ପ୍ରଦାନ ଦାବିରେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଏକ ବିଶାଳ ପଦଯାତ୍ରା ଫେବ୍ରୁଆରି ୭ ଅର୍ଥାତ୍‌ ବୁଧବାର ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିରରୁ ବାହାରିବ। ଏଥିରେ ୧୦ ହଜାର ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷା କର୍ମଚାରୀ ସାମିଲ ହେବେ। ଅପରାହ୍ନ ୨ଟାରେ ପଦଯାତ୍ରା ପୁରୀକୁ ବାହାରି ଅପରାହ୍ନ ୪ଟାରେ ଚନ୍ଦନପୁରଠାରେ ପହଞ୍ଚିବ। ସେଠାରେ ଏକ ପଥପ୍ରାନ୍ତ ସଭା ହେବ। ସେଠାରେ ରାତ୍ରି ବିଶ୍ରାମ ନେବେ। ପରଦିନ ଅର୍ଥାତ୍‌ ଫେବ୍ରୁଆରି ୮ରେ ପଦଯାତ୍ରା ଭୁବନେଶ୍ୱରରେ ପହଞ୍ଚିବା ପରେ ଲୋୟର ପିଏମ୍‌ଜିରେ ସମାବେଶ ଅନୁଷ୍ଠିତ ହେବ। ଏଥିରେ ୫୦ ହଜାରରୁ ଅଧିକ ଶିକ୍ଷକ, ଅଧ୍ୟାପକ, କର୍ମଚାରୀ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ସେହିଦିନ ଅପରାହ୍ନ ୫ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦାବିପତ୍ର ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି।

ଆଜି ପୁରୀରୁ ବାହାରିବ ୧୦ ହଜାର ଶିକ୍ଷକଙ୍କ ପଦଯାତ୍ରା
୮ରେ ପିଏମ୍‌ଜିରେ ସମାବେଶ, ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ଏହା ପରେ ଲୋୟର ପିଏମ୍‌ଜିରେ ଅହୋରାତ୍ର ଧାରଣା ଜାରି ରହିବ। ଯଦି ରାଜ୍ୟ ସରକାର ଦାବି ପୂରଣ ଦିଗରେ ଉଦାସୀନ ରୁହନ୍ତି ତେବେ ଆସନ୍ତା ମାଧ୍ୟମିକ ଶିକ୍ଷା ପରିଷଦ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପରିଚାଳନା ଓ ମୂଲ୍ୟାୟନ କାର୍ଯ୍ୟ ବର୍ଜନ କରାଯିବ ବୋଲି ମିଳିତ ମଞ୍ଚର ଆବାହକ ମଣ୍ଡଳୀ ସଦସ୍ୟ ପବିତ୍ର ମହାଲା, ଗୋଲକ ନାୟକ ଓ ପ୍ରକାଶ ଚନ୍ଦ୍ର ମହାନ୍ତି ଏକ ପ୍ରେସ୍‌ ବିଜ୍ଞପ୍ତିରେ ଚେତାବନୀ ଦେଇଛନ୍ତି। ସେମାନେ ଆହୁରି କହିଛନ୍ତି ଯେ ଗତ ଅଗଷ୍ଟ ମାସରେ ଶିକ୍ଷକ ଓ କର୍ମଚାରୀଙ୍କର ବ୍ଲକଗ୍ରାଣ୍ଟ ଉଚ୍ଛେଦ କରାଯାଇ ପ୍ରତ୍ୟକ୍ଷ ଦରମା ପ୍ରସାନ କରିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ହେଲେ କେତେଜଣ ଉଚ୍ଚ ପଦାଧିକାରୀଙ୍କ ଚକ୍ରାନ୍ତ ଓ ଅଭିସନ୍ଧି ଯୋଗୁଁ ଶିକ୍ଷକ କର୍ମଚାରୀଙ୍କୁ ପ୍ରତ୍ୟକ୍ଷ ଦରମା ପ୍ରଦାନ କ୍ଷେତ୍ରରେ କାଳକ୍ଷେପଣ ଓ ଅଗଣତାନ୍ତ୍ରିକ ପଦ୍ଧତି ଗ୍ରହଣ କରାଯାଉଛି। ଏହା ବିରୋଧରେ ଶିକ୍ଷକ ଓ ଅଧ୍ୟାପକମାନେ ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧିତ ଖବର