ସଚିବଙ୍କ ନିର୍ଦ୍ଦେଶ ମାନୁନାହାନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ : ଚାକିରିର ୭ବର୍ଷ ପରେ ବି ୩୬୯୨ ଶିକ୍ଷକ ନିୟମିତ ହେଲେନି

ଭୁବନେଶ୍ୱର : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅଜବ ନୀତି। ବିଭାଗୀୟ ସଚିବଙ୍କ ନିର୍ଦ୍ଦେଶକୁ ଜିଲ୍ଲା ଶିକ୍ଷା ଅଧିକାରୀମାନେ ମାନିବାକୁ ବି ପ୍ରସ୍ତୁତ ନାହାନ୍ତି। ୪ଟି ଜିଲ୍ଲାର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅପାରଗତା ଯୋଗୁଁ ଏବେ ୭ବର୍ଷରୁ ଅଧିକ କାର୍ଯ୍ୟ କରିଥିବା ୩୬୯୨ଜଣ ଶିକ୍ଷା ସହାୟକ/ଜୁନିଅର ଶିକ୍ଷକଙ୍କ ଚାକିରି ନିୟମିତ ହୋଇପାରିନଥିବାବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବଦନାମ୍‌ ମୁଣ୍ଡାଇଛି।

୬ବର୍ଷରୁ ଅଧିକ କାର୍ଯ୍ୟ କରିଥିବା ଶିକ୍ଷା ସହାୟକ/ଜୁନିଅର ଶିକ୍ଷକମାନଙ୍କ ଚାକିରି ତୁରନ୍ତ ନିୟମିତ କରିବା ସହ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଦେବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ପି.କେ ମହାପାତ୍ର ୧୪ ମାର୍ଚ୍ଚ, ୨୦୧୮ରୁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ୩୦ଟି ଜିଲ୍ଲାର ମୋଟ୍‌ ୨୪,୭୦୨ ଜଣ ଜୁନିଅର ଶିକ୍ଷକଙ୍କୁ ଏଥିରେ ନିୟମିତ କରିବାକୁ କୁହାଯାଇଥିଲା। ଏପରିକି ଜୁନିଅର ଶିକ୍ଷକମାନଙ୍କୁ ସେମାନଙ୍କ ଚାକିରି ନିୟମିତ ହେବାର ଚିଠି ଦେବା ସହ ସେହି ଅନୁଯାୟୀ ଦରମା ଧାର୍ଯ୍ୟ କରିବା, ସୁବିଧା ସୁଯୋଗ ଦେବା, ପେନସନ୍‌ ବ୍ୟବସ୍ଥା କରିବାକୁ କୁହାଯାଇଥିଲା। ୨୬ଟି ଜିଲ୍ଲାର ଜିଲ୍ଲା ଶିକ୍ଷା ଅଧିକାରୀମାନେ ସଚିବଙ୍କ ନିର୍ଦ୍ଦେଶକୁ ମାନିଲେ। ସେମାନଙ୍କ ଜିଲ୍ଲାର ଜୁନିଅର ଶିକ୍ଷକମାନଙ୍କୁ ନିୟମିତ କରିଲେ। ନୂଆ ନିୟମ ଅନୁଯାୟୀ ଶିକ୍ଷକମାନେ ଦରମା ବି ପାଇସାରିଲେଣି। କିନ୍ତୁ ଗଞ୍ଜାମ, ପୁରୀ, କୋରାପୁଟ ଏବଂ ନବରଙ୍ଗପୁର ଜିଲ୍ଲାର ଜିଲ୍ଲା ଶିକ୍ଷା ଅଧିକାରୀମାନେ ଏହାକୁ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ କରିପାରିଲେନି। ଏହି ୪ଟି ଜିଲ୍ଲାରେ ୩୬୯୨ଜଣ ଜୁନିଅର ଶିକ୍ଷକଙ୍କ ଚାକିରି ୭ବର୍ଷରୁ ଅଧିକ ହୋଇଯାଇଥିଲେ ହେଁ ସେମାନଙ୍କ କ୍ଷେତ୍ରରେ ସରକାରଙ୍କ ନିୟମ ଲାଗୁ ହେଉନି। ବରଂ ଏହି ୪ଟି ଜିଲ୍ଲାର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅପାରଗତା ଏବଂ ବେପରୁଆ ମନୋଭାବ ଯୋଗୁଁ ଶିକ୍ଷକମାନେ ଅନିଶ୍ଚିତତା ମଧ୍ୟରେ ରହିଛନ୍ତି। ଯଦି ତୁରନ୍ତ ସେମାନଙ୍କୁ ନିୟମିତ କରାନଯାଏ ତେବେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ଧମକ ଦେଲେଣି।

ମିଳିଥିବା ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲାରେ ରାଜ୍ୟର ସବୁଠୁ ଅଧିକ ଜୁନିଅର ଶିକ୍ଷକ ୨୧୯୩ଜଣ ଥିବାବେଳେ ଏଠାରେ ଏପର୍ଯ୍ୟନ୍ତ ଜୁନିଅର ଶିକ୍ଷକଙ୍କୁ ନିୟମିତ କରାଯାଇନି। ସେହିପରି କୋରାପୁଟରେ ୪୪୦ଜଣ, ନବରଙ୍ଗପୁରରେ ୭୫୩ଜଣ ଏବଂ ପୁରୀରେ ୩୦୬ଜଣ ଜୁନିଅର ଶିକ୍ଷକ ଏବେ ନିୟମିତ ହେବାରୁ ବଞ୍ଚିତ ହୋଇଛନ୍ତି।

ସମ୍ବନ୍ଧିତ ଖବର