ଯୁକ୍ତ୨ ଖାତା ଦେଖା ପ୍ରଭାବିତ : ଅଧ୍ୟାପକଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

୩ ଦିନ ପରେ ବି ସାମିଲ ହୋଇଛନ୍ତି ୫୨% ଅଧ୍ୟାପକ
ଆନ୍ଦୋଳନକୁ ବ୍ୟାପକ କରିବାକୁ ମିଳିତ ମଞ୍ଚର ଚେତାବନୀ

ଭୁବନେଶ୍ୱର : ତିନି ଦିନ ବିତିଲାଣି। ତଥାପି ସ୍ୱାଭାବିକ ହୋଇପାରୁନି ଯୁକ୍ତ୨ ଖାତା ମୂଲ୍ୟାୟନ। ବ୍ଲକଗ୍ରାଣ୍ଟ ଅଧ୍ୟାପକମାନେ ଆନ୍ଦୋଳନ ଜାରି ରଖିଛନ୍ତି। ଅନ୍ୟ କିଛି ବର୍ଗର ଅଧ୍ୟାପକମାନେ ମଧ୍ୟ ଆନ୍ଦୋଳନକୁ ସମର୍ଥନ ଜଣାଇ ଖାତା ଦେଖାରେ ସାମିଲ ହୋଇନାହାନ୍ତି। ଡିଗି୍ର ଓ ସ୍ୱୟଂଶାସିତ କଲେଜଗୁଡ଼ିକର ଅଧ୍ୟାପକମାନେ ମଧ୍ୟ ଖାତା ଦେଖିବାକୁ ଆସୁ ନ ଥିବା ଜଣାପଡ଼ିଛି। ଯେଉଁ ଅଧ୍ୟାପକଙ୍କୁ ଖାତା ଦେଖିବାକୁ ଡକାଯାଇଥିଲା ସେମାନଙ୍କ ମଧ୍ୟରୁ ଆଜି ସୁଦ୍ଧା ୫୨ ପ୍ରତିଶତ ଅଧ୍ୟାପକ ଆସିଛନ୍ତି।

ଏପ୍ରିଲ ୧୪ରେ ପ୍ରଥମ ପର୍ଯ୍ୟାୟ ଖାତା ମୂଲ୍ୟାୟନ ଶେଷ ହେବାକୁ ଥିବା ବେଳେ ଏବେ ସୁଦ୍ଧା ସ୍ଥିତି ସ୍ୱାଭାବିକ ହୋଇପାରି ନ ଥିବାରୁ ହରଡ଼ଘଣାରେ ପଡ଼ିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଯେକୌଣସି ପ୍ରକାରେ ନିର୍ଧାରିତ ସମୟରେ ଖାତା ଦେଖା ସାରିବା ଲାଗି ଯୋଜନା ପ୍ରସ୍ତୁତ ହେଉଛି। ଯେଉଁ ଅଧ୍ୟାପକମାନେ ଖାତା ମୂଲ୍ୟାୟନରେ ସାମିଲ ହେଉନାହାନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭାଗ ନିଷ୍ପତ୍ତି ନେଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଏନେଇ ସମସ୍ତ ମୂଲ୍ୟାୟନ କେନ୍ଦ୍ରର ସୁପରଭାଇଜର୍‌ଙ୍କୁ ଅବଗତ କରାଇଛି। କେଉଁ ଅଧ୍ୟାପକ କେତେବେଳେ ଖାତା ଦେଖିବାକୁ ଆସୁଛନ୍ତି? କିଏ ଏପର୍ଯ୍ୟନ୍ତ ଖାତା ଦେଖିବାକୁ ଆସିନାହାନ୍ତି? ଯେଉଁମାନେ ଆସୁନାହାନ୍ତି ସେମାନେ ବାଧ୍ୟବାଧକତାରେ ରହୁଛନ୍ତି ନା ଅନ୍ୟ କିଛି କାରଣ ରହିଛି? ଏଭଳି ବିଭିନ୍ନ ବିଷୟରେ ତଥ୍ୟ ଦେବାକୁ କୁହାଯାଇଛି।

୭୨ ଘଣ୍ଟା ହେଲା ମୂଲ୍ୟାୟନ ପ୍ରଭାବିତ ହୋଇଥିଲେ ମଧ୍ୟ ଖାତାଦେଖା ସୁରୁଖୁରୁରେ ଚାଲିଛି ବୋଲି ପରିଷଦର ଅଧିକାରୀମାନେ କହୁଛନ୍ତି। ଏପଟେ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ ମହାପାତ୍ର କିନ୍ତୁ କହୁଛନ୍ତି ଯେ ନିର୍ଧାରିତ ସମୟରେ ସରିବ ଉତ୍ତର ଖାତା ମୂଲ୍ୟାୟନ। ଛାତ୍ରଛାତ୍ରୀଙ୍କର କୌଣସି ଅସୁବିଧା ହେବ ନାହିଁ। ଏପର୍ଯ୍ୟନ୍ତ ଖାତା ଦେଖା ସ୍ୱାଭାବିକ ହୋଇପାରି ନ ଥିବା ବେଳେ ନିର୍ଧାରିତ ସମୟରେ କିଭଳି ମୂଲ୍ୟାୟନ ସରିବ ତାହାକୁ ନେଇ ପ୍ରଶ୍ନବାଚ୍ଚୀ ସୃଷ୍ଟି ହୋଇଛି। ଏବେ ବିଭିନ୍ନ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ଡିଗ୍ରି କଲେଜରେ ପରୀକ୍ଷା ଚାଲିଥିବାରୁ ଅଧ୍ୟାପକମାନେ ଯୁକ୍ତ୨ ଖାତା ଦେଖିବାକୁ ଯାଉନାହାନ୍ତି। ଯେଉଁଥିପାଇଁ କିଛି ମୂଲ୍ୟୟନ କେନ୍ଦ୍ରରେ ଅଧ୍ୟାପକଙ୍କ ସଂଖ୍ୟା ୧୦ ପ୍ରତିଶତ ବି ଟପି ପାରୁ ନଥିବା ଦେଖାଯାଇଛି।

ଅନ୍ୟପକ୍ଷରେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ଏବେ ବି ଆନ୍ଦୋଳନ ଜାରି ରଖିଛି। ମଞ୍ଚର ଆବାହକ ମଣ୍ଡଳୀ ସଦସ୍ୟ ପ୍ରକାଶ ଚନ୍ଦ୍ର ମହାନ୍ତି, ଗୋଲକ ନାୟକ, ପବିତ୍ର ମହାଲା କହିଛନ୍ତି ଯେ ଗୋଟିଏ ମାତ୍ର ବିଜ୍ଞପ୍ତି ପ୍ରକାଶ କରିବାକୁ ଏତେ ବିଳମ୍ବ କାହିଁକି? ଆଲୋଚନା ବେଳେ ମନ୍ତ୍ରୀମାନେ ପ୍ରତିଶ୍ରୁତି ଦେଉଛନ୍ତି। ମୁଖ୍ୟମନ୍ତ୍ରୀ ବି ଏନେଇ ପୂର୍ବରୁ ଘୋଷଣା କରିସାରିଛନ୍ତି। ତଥାପି ସଚିବମାନେ କାହିଁକି ବିଜ୍ଞପ୍ତି ପ୍ରକାଶ କରୁନାହାନ୍ତି? ସେମାନଙ୍କର କେଉଁଠି ଅସୁବିଧା ରହୁଛି? ଭବିଷ୍ୟତରେ ଯୁକ୍ତ୨ ପରୀକ୍ଷାର୍ଥୀଙ୍କ ଯେଉଁ ସମସ୍ୟା ହେବ ସେଥିପାଇଁ ସରକାର ହିଁ ଦାୟୀ ରହିବେ। ଆଜି ଅପରାହ୍ଣରେ ମଞ୍ଚର ଗୁରୁତ୍ୱପୂର୍ଣ୍ଣ ବୈଠକ ବସି ପରବର୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଛି। ଯେପର୍ଯ୍ୟନ୍ତ ଦାବି ପୂରଣ ନ ହୋଇଛି ଆନ୍ଦୋଳନରୁ ନ ହଟିବାକୁ ନିଷ୍ପତ୍ତି ହୋଇଛି। ଯଦି କୌଣସି ବି ଅଧ୍ୟାପକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଏ ତେବେ ତାହାର ତୀବ୍ର ବିରୋଧ କରାଯିବ। ତୃଣମୂଳସ୍ତରରୁ ରାଜଧାନୀ ପର୍ଯ୍ୟନ୍ତ ବିଦ୍ରୋହର ସ୍ୱର ବ୍ୟାପିବ ବୋଲି ମିଳିତ ମଞ୍ଚ ଚେତାବନୀ ଦେଇଛି।

ସମ୍ବନ୍ଧିତ ଖବର