ବ୍ଲକଗ୍ରାଣ୍ଟ ଶିକ୍ଷକ ଓ ରାଜ୍ୟ ସରକାରଙ୍କ ଆଲୋଚନା ସଫଳ : ଜୁଲାଇ ଯାଏ ଆନ୍ଦୋଳନ ସ୍ଥଗିତ
ଯୁକ୍ତ୨ ଖାତା ମୂଲ୍ୟାୟନରେ ସାମିଲ ହେବେ ଅଧ୍ୟାପକ
ଭୁବନେଶ୍ୱର : ଶେଷରେ ବ୍ଲକଗ୍ରାଣ୍ଟ ଅଧ୍ୟାପକଙ୍କୁ ବୁଝାଇବାରେ ସକ୍ଷମ ହୋଇଛନ୍ତି ରାଜ୍ୟ ସରକାର। ଗତକାଲିର ମହାସମାବେଶ ପରେ ଆଜି ପୂର୍ବାହ୍ନରେ ମିଳିତ ମଞ୍ଚ ସହ ରାଜ୍ୟ ସରକାରଙ୍କ ପ୍ରତିନିଧିମାନଙ୍କ ଆଲୋଚନା ହୋଇଥିଲା। ପ୍ର୍ରାୟ ଦୁଇ ଘଣ୍ଟା ଧରି ଚାଲିଥିବା ଆଲୋଚନାରେ ଦାବିଗୁଡ଼ିକ ଉପରେ ବିଚାରବିମର୍ଶ କରାଯାଇଥିଲା। ଜୁନ୍ ୩୦ ମଧ୍ୟରେ ଦାବି ପୂରଣ ନେଇ ବିଜ୍ଞପ୍ତି ପ୍ରକାଶ କରିବାକୁ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନରୁ ହଟିଛନ୍ତି ବ୍ଲକଗ୍ରାଣ୍ଟ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀ। ଯଦି ଆସନ୍ତା ଜୁଲାଇ ୧୮ ସୁଦ୍ଧା ଦାବିଗୁଡ଼ିକ ପୂରଣ ଦିଗରେ ପଦକ୍ଷେପ ନିଆ ନ ଯିବ ତେବେ ପୁଣିଥରେ ବ୍ୟାପକ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ। ଏଥିସହ ଯୁକ୍ତ୨ ମୂଲ୍ୟାୟନରେ ବ୍ଲକଗ୍ରାଣ୍ଟ ଅଧ୍ୟାପକମାନେ ସାମିଲ ହେବେ ବୋଲି ମିଳିତ ମଞ୍ଚ ପକ୍ଷରୁ ଘୋଷଣା କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ବ୍ୟକ୍ତିଗତ ସତ୍ୟପାଠ ପ୍ରକ୍ରିୟାରୁ ଓହରି ଯାଇ ରାଜ୍ୟ ସରକାର ନୋସନାଲ ଅନୁଦାନ ପ୍ରଦାନ କରିବା ପାଇଁ ରାଜି ହୋଇଛନ୍ତି। ଏହାଦ୍ୱାରା ସମସ୍ତ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ମୂଳ ଚାକିରିକୁ ଭିତ୍ତିକରି ସର୍ତାବଳୀ ସହ ପୂର୍ଣ୍ଣ ଅନୁଦାନ ପାଇବେ। ଏହି ପ୍ରକ୍ରିୟାକୁ କାର୍ଯ୍ୟକାରୀ କରିବା ଲାଗି ୩ ମାସର ସମୟ ଲାଗିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଥିଲା। ସେହିପରି ରିସାଇନ୍ଣ୍ଡ ଅର୍ଡର ଖୁବ୍ଶୀଘ୍ର୍ର ପ୍ରକାଶ କରାଯିବ। ଅଧ୍ୟାପକଙ୍କ ୨୦୧୬ ଜୁନ୍ ମାସ ଓ ବ୍ଲକଗ୍ରାଣ୍ଟ ସ୍କୁଲଗୁଡ଼ିକର ୪୬ ଦିନର ବକେୟା ଦରମା ଶୀଘ୍ର ପ୍ରଦାନ କରିବାକୁ ପ୍ରତିଶ୍ରୁତି ମିଳିଥିବା ନେଇ ମିଳିତ ମଞ୍ଚର ଆବାହକ ମଣ୍ଡଳୀ ସଦସ୍ୟ ପବିତ୍ର ମହାଲା, ଗୋଲକ ନାୟକ ଓ ପ୍ରକାଶ ଚନ୍ଦ୍ର ମହାନ୍ତି ଏକ ପ୍ରେସ୍ ବିଜ୍ଞପ୍ତିରେ କହିଛନ୍ତି। ଏହି ଆଲୋଚନାରେ ମିଳିତ ମଞ୍ଚର ୧୦ ଜଣିଆ ପ୍ରତିନିଧି ଦଳ ସହ ମୁଖ୍ୟ ଶାସନ ସଚିବ, ଉନ୍ନୟନ ସଚିବ, ଅର୍ଥ ବିଭାଗ ସଚିବ, ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବଙ୍କ ସମେତ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଅରୁଣ ସାହୁ ଉପସ୍ଥିତ ରହିଥିଲେ।
ସୂଚନାଯୋଗ୍ୟ ଯେ ୨୦୧୭ ସେପ୍ଟେମ୍ବର ୧ରେ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ ୪୦%, ୬୦% ଓ ୭୫% ବ୍ଲକଗ୍ରାଣ୍ଟ ପାଉଥିବା ବିଦ୍ୟାଳୟ ଓ ମହାବିଦ୍ୟାଳୟର ଅନୁଦାନ ପ୍ରଦାନ କରାଯିବ। କିନ୍ତୁ ତାହା ହୋଇପାରି ନ ଥିଲା। ୬ ମାସ ବିତିଯାଇଥିଲେ ମଧ୍ୟ ବିଜ୍ଞପ୍ତି ପ୍ରକାଶ କରା ଯାଇ ନ ଥିଲା। ବାରମ୍ବାର ଦାବି ପରେ ଯେଉଁ ବିଜ୍ଞପ୍ତି ବାହାରିଥିଲା ସେଥିରେ ବ୍ୟକ୍ତିଗତ ସତ୍ୟପାଠ ଦାଖଲ କରିବାକୁ ସର୍ତ ରଖାଯାଇଥିଲା। ଦାବିଗୁଡ଼ିକ ପୂରଣ ନ ହେବାରୁ ଫେବ୍ରୁଆରି ୬ରୁ ମିଳିତ ମଞ୍ଚ ଆନ୍ଦୋଳନକୁ ଓହ୍ଲାଇଥିଲା। ଫେବ୍ରୁଆରି ୧୮ରେ ରାଜ୍ୟ ସରକାରଙ୍କ ଦୁଇ ମନ୍ତ୍ରୀ ଓ ସଚିବଙ୍କ ସହ ଆଲୋଚନା ବେଳେ ୭ ଦଫା ଦାବିରୁ ୬ଟି ଦାବିକୁ ମାର୍ଚ ୮ ସୁଦ୍ଧା ପୂରଣ କରାଯିବ ବୋଲି କୁହାଯାଇଥିଲା। କିନ୍ତୁ ତାହା ନ ହେବାରୁ ମିଳିତ ମଞ୍ଚ ଆନ୍ଦୋଳନକୁ ଓହ୍ଲାଇଥିଲା।