ଗାନ୍ଧୀମାର୍ଗ ପାଲଟିବ ଜନସମୁଦ୍ର, ୧୬ରୁ ଦିବାରାତ୍ର ଧାରଣା ଦେବେ ଏକ ଲକ୍ଷ ଶିକ୍ଷକ-ଅଧ୍ୟାପକ

ଭୁବନେଶ୍ୱର: ତିନି ଦିନ ପରେ ସ୍ଥାନୀୟ ଗାନ୍ଧୀମାର୍ଗ ଜନସମୁଦ୍ର ପାଲଟିବ। ଲକ୍ଷାଧିକ ଶିକ୍ଷକ ଓ ଅଧ୍ୟାପକମାନେ ସେମାନଙ୍କ ଦାବି ପୂରଣ ନେଇ ଦିନରାତି ଧାରଣା ଦେବେ। ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତମଞ୍ଚର ଆହ୍ଵାନରେ ଏହି ବିଶାଳ ଗଣଧାରଣା ହେବାକୁ ଯାଉଛି। ସମଗ୍ର ରାଜ୍ୟକୁ ୪ ଭାଗରେ ବିଭକ୍ତ କରି ଆଲୋଚନା ହୋଇଛି। ସରକାରଙ୍କ ସର୍ତ୍ତମୂଳକ ଅନୁଦାନ ଆଇନକୁ ପ୍ରତ୍ୟାହାର କରିବା ସହିତ ଯୋଗ୍ୟ ବିବେଚିତ ଦିନଠାରୁ ପୂର୍ଣ୍ଣଅନୁଦାନ ଆଇନ ଲାଗୁକରି ଚାକିରି ସର୍ତ୍ତାବଳୀ ସହ ଅବସରକାଳୀନ ସୁବିଧା ସୁଯୋଗ ନ ଦେଲେ ସରକାରଙ୍କୁ ଅସହଯୋଗ କରାଯିବ ବୋଲି ଶପଥ ନେଇଛନ୍ତି।

ପ୍ରାୟ ୨୫ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଚାକିରି କରିଆସିଥିବା ଶିକ୍ଷକ-ଅଧ୍ୟାପକଙ୍କର ଚାକିରିକାଳକୁ ବାଦଦେଲେ ଏବେଠାରୁ ଗଣନା କରିବାର ଯେଉଁ ଗୁପ୍ତ ଷଡଯନ୍ତ୍ର ସରକାର କରୁଛନ୍ତି ତାହାକୁ ପଣ୍ଡ କରିବା ପାଇଁ ‘କର ବା ମର’ ନିଷ୍ପତ୍ତି ନେଇ ଏକ ଲକ୍ଷ ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷାକର୍ମଚାରୀ ଭୁବନେଶ୍ୱର ଆସିବେ। ସେମାନେ ଦାବି ପୂରଣ ନହେବା ଯାଏ ଦିନରାତି ଧାରଣା ଦେବେ ବୋଲି ମିଳିତମଞ୍ଚର ଆହାବକ ମଣ୍ଡଳୀ ପ୍ରକାଶ ଚନ୍ଦ୍ର ମହାନ୍ତି, ଗୋଲକ ନାୟକ ଓ ପବିତ୍ର ମାହାଲା ପ୍ରକାଶ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର