ଗୁରୁ ଦିବସରେ ଗୁରୁ ବାନ୍ଧିବେ କଳାପଟି : ୧୮ ଦିନରେ ମିଳିତ ମଞ୍ଚର ଅହୋରାତ୍ର ଗଣଧାରଣା

ଭୁବନେଶ୍ୱର : ୧୮ ଦିନ ବିତିଲାଣି। ବ୍ଲକଗ୍ରାଣ୍ଟ ସ୍କୁଲ ଓ କଲେଜ ଶିକ୍ଷକ ଏବେ ବି ରାଜଧାନୀ ରାସ୍ତାରେ ହକ୍‌ ପାଇଁ ଲଢ଼େଇ କରୁଛନ୍ତି। ଦିନରାତି ଏକ କରି ଧାରଣାରେ ବସିଥିଲେ ମଧ୍ୟ ସରକାରଙ୍କ ନିଦ ଭାଙ୍ଗୁନି। ଦାବି ପୂରଣ କରିବା ଦୂରର କଥା ଏପର୍ଯ୍ୟନ୍ତ କୌଣସି ମନ୍ତ୍ରୀ କିମ୍ବା ସରକାରୀ ଅଧିକାରୀ ଏପର୍ଯ୍ୟନ୍ତ ଶିକ୍ଷକଙ୍କୁ ଭେଟିବାକୁ ଆସିନାହାନ୍ତି। ମନ୍ତ୍ରୀସ୍ତରୀୟ କମିଟି ବୈଠକ ଥରୁଟିଏ ବସିଥିଲେ ମଧ୍ୟ ଏଥିରେ ଶିକ୍ଷକଙ୍କୁ ସାମିଲ କରାଗଲା ନାହିଁ କି ଆଉ ଆଲୋଚନା ହେଲାନି। ଏହାକୁ ନେଇ ଶିକ୍ଷକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।

ଆଉ ୩ ଦିନ ପରେ ଗୁରୁ ଦିବସ ପଡ଼ୁଥିବାରୁ ସେହିଦିନ ଶିକ୍ଷକ ଓ ଅଧ୍ୟାପକମାନେ ଲୋୟର ପିଏମ୍‌ଜିରେ ବିଶାଳ ସମାବେଶ କରିବା ସହ ଆଖିରେ କଳାପଟି ବାନ୍ଧିବେ। ସ୍କୁଲ କଲେଜରେ ତାଲା ପକାଇ ରାସ୍ତାରେ ଲଢ଼େଇ କରିବାକୁ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ଆହ୍ଵାନ ଦିଆଯାଇଛି।

୨୦୧୭ ସେପ୍ଟେମ୍ବର ୧ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରୁ ବ୍ଲକଗ୍ରାଣ୍ଟ ଉଚ୍ଛେଦ କରି ପୂର୍ଣ୍ଣ ଅନୁଦାନ ନୀତି ଘୋଷଣା କରିଥିଲେ। ପରବର୍ତୀ ସମୟରେ ଏହି ଘୋଷଣା ଶିକ୍ଷକଙ୍କୁ ପ୍ରତାରିତ କରିଥିବା ଅଭିଯୋଗ କରି ମିଳିତ ମଞ୍ଚ ଗତକାଲି ‘ବିଶ୍ୱାସଘାତକତା ଦିବସ’ ପାଳନ କରିଥିଲା। ମିଳିତ ମଞ୍ଚର ଆବାହକ ମଣ୍ଡଳୀ ସଦସ୍ୟ ପବିତ୍ର ମହାଲା, ଗୋଲକ ନାୟକ ଓ ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ କଥାକୁ ବିଶ୍ୱାସ କରି ଶିକ୍ଷକମାନେ ଆନ୍ଦୋଳନକୁ ସ୍ଥଗିତ ରଖିଥିଲେ।

ଶିକ୍ଷାନୁଷ୍ଠାନକୁ ଫେରି ଶିକ୍ଷାଦାନରେ ଲାଗି ପଡ଼ିଥିଲେ। କିନ୍ତୁ ଗତବର୍ଷ ସେପ୍ଟେମ୍ବର ୨୨ରେ ଅନୁଦାନ ଆଇନ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ଶିକ୍ଷକମାନଙ୍କୁ ବହୁତ କଷ୍ଟ ଦେଇଛି।

ବ୍ଲକ୍‌ଗ୍ରାଣ୍ଟ ଉଚ୍ଛେଦ ହେଲା ସତ କିନ୍ତୁ ପୂର୍ଣ୍ଣ ଅନୁଦାନ ମିଳିଲା ନାହିଁ। ଯେଉଁ ଅନୁଦାନ ଆଇନ ପ୍ରକାଶ ପାଇଲା ସେଥିରେ ସର୍ତ୍ତମୂଳକ ଅନୁଦାନ ବ୍ୟବସ୍ଥା ରହିଲା। ସର୍ତ୍ତର୍ ରଖାଗଲା ଯେ ଶିକ୍ଷକ ଅଧ୍ୟାପକମାନଙ୍କ ଉପରେ ଯେତେ ଅନ୍ୟାୟ କରାଗଲେ ମଧ୍ୟ କୋର୍ଟର ଦ୍ୱାରସ୍ଥ ହେବେ ନାହିଁ। ନ୍ୟାୟ ପାଇବା ପାଇଁ ଯଦି କୋର୍ଟର ଦ୍ୱାରସ୍ଥ ହୋଇଥିବେ ତେବେ ତାହା ପ୍ରତ୍ୟାହାର କରାଯିବ।

ଏଭଳି ଏକ କୁତ୍ସିତ ସତ୍ୟପାଠ ଶିକ୍ଷକଙ୍କର ମାନବାଧିକାରକୁ କ୍ଷୁଣ୍ଣ କରିଛି। ଆଉ କେଉଁ ସରକାରୀ କର୍ମଚାରୀଙ୍କ କ୍ଷେତ୍ରରେ ଏଭଳି ବ୍ୟବସ୍ଥା ନାହିଁ। କ’ଣ ପାଇଁ ଶିକ୍ଷକଙ୍କ କ୍ଷେତ୍ରରେ ଲାଗୁ କରାଯାଇଛି ବୋଲି ସେମାନେ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର