୭ ଦିନରେ ଶିକ୍ଷକ ଓ ଅଧ୍ୟାପକଙ୍କ ଗଣଧାରଣା : ରାସ୍ତାରେ କଟୁଛି ଶିକ୍ଷକଙ୍କ ରାତି

ଭୁବନେଶ୍ୱର : ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀମାନେ ୭ ଦିନ ହେଲା ରାଜରାସ୍ତାରେ ବସିଛନ୍ତି। ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ସେମାନଙ୍କ ରାତି କଟୁଥିଲେ ମଧ୍ୟ ରାଜ୍ୟ ସରକାରଙ୍କର ଏଥିପ୍ରତି ଧ୍ୟାନ ନାହିଁ। ଦାବି ପୂରଣ କରିବା ତ ଦୂରର କଥା ମନ୍ତ୍ରୀସ୍ତରୀୟ କମିଟିର ସଦସ୍ୟମାନେ ଏପର୍ଯ୍ୟନ୍ତ ଶିକ୍ଷକମାନଙ୍କ ସହ ଆଲୋଚନା କରିନାହାନ୍ତି।  ସେପଟେ ଶିକ୍ଷକ ଓ ଅଧ୍ୟାପକମାନେ ଆନ୍ଦୋଳନରେ ସାମିଲ ହୋଇଥିବାରୁ ୩୦ ଲକ୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବ୍ୟାହତ ହୋଇଛି।  ୪ ହଜାର ବିଦ୍ୟାଳୟ ଓ ଦେଢ଼ ହଜାର କଲେଜରେ ଶିକ୍ଷାଦାନ ବନ୍ଦ ରହିଛି ବୋଲି ମିଳିତ ମଞ୍ଚର ଆବାହକ ମଣ୍ଡଳୀ ସଦସ୍ୟ ପବିତ୍ର ମହାଲା, ଗୋଲକ ନାୟକ ଓ ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି।

ମିଳିତ ମଞ୍ଚ ପକ୍ଷରୁ ଅଭିଯୋଗ କରାଯାଇଛି ଯେ ଶିକ୍ଷକଙ୍କ ଦାବି ସମ୍ପର୍କରେ ଆଲୋଚନା ପାଇଁ ମଙ୍ଗଳବାର ବସିଥିବା ମନ୍ତ୍ରୀସ୍ତରୀୟ କମିଟି ବୈଠକ ମାତ୍ର ୭ ମିନିଟ୍‌ ମଧ୍ୟରେ ଶେଷ ହୋଇଗଲା। ୩୦ ବର୍ଷ ଧରି ଚାକିରି କରୁଥିବା ଶିକ୍ଷକଙ୍କ ପେନ୍‌ସନ୍‌ ବାବଦରେ ଆଲୋଚନା ନ କରି ଶିକ୍ଷୟିତ୍ରୀ ଓ ଅଧ୍ୟାପିକାଙ୍କୁ ପ୍ରସବକାଳୀନ ଛୁଟି ବିଷୟରେ ଆଲୋଚନା ହୋଇଛି। ଅବସର ନେବାକୁ ଯାଉଥିବା ୫୫ରୁ ୬୦ ବର୍ଷ ବୟସର ଶିକ୍ଷୟିତ୍ରୀଙ୍କୁ ପ୍ରସବକାଳୀନ ଛୁଟି ଦେବାର ବିଚାର ବିମର୍ଶ କରିବା ଏକ ହାସ୍ୟାସ୍ପଦ ଘଟଣା। ମୂଳ ଦାବିକୁ ଟାଳିଦେଇ ଶିକ୍ଷକଙ୍କୁ ପୁଣିଥରେ ପ୍ରତାରିତ କରିବାର ଅପଚେଷ୍ଟାକୁ ଶିକ୍ଷକମାନେ ସହଜରେ ହଜମ କରିପାରୁନାହାନ୍ତି। ରାଜ୍ୟ ସରକାର ଯାହା ପ୍ରତିଶ୍ରୁତି ଦେଇଥିଲେ ତାହା ପୂରଣ କରନ୍ତୁ।

ଆହୁରି ଅଭିଯୋଗ କରାଯାଇଛି ଯେ କେତେକ ପ୍ରଶାସନିକ ଅଧିକାରୀଙ୍କ କୁମନ୍ତ୍ରଣା ଯୋଗୁଁ ଶିକ୍ଷକମାନେ ହଇରାଣ ହେଉଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ଲକଗ୍ରାଣ୍ଟ ବ୍ୟବସ୍ଥା ଉଚ୍ଛେଦ କରି ପୂର୍ଣ୍ଣ ଅନୁଦାନ ଘୋଷଣା କରିଥିଲେ। ଅଥଚ ପ୍ରଶାସନିକ ଅଧିକାରୀମାନେ ଏଥିରେ ସତ୍ୟପାଠ ଭଳି ଏକ ମଧ୍ୟଯୁଗୀୟ ନିର୍ଦ୍ଦେଶନାମା ଖଞ୍ଜି ଦେଇଥିଲେ। ଶିକ୍ଷକମାନଙ୍କ ମୌଳିକ ଅଧିକାରକୁ ହତ୍ୟା କରିବା ପାଇଁ ଅପଚେଷ୍ଟା କରାଯାଇଛି। ଗତକାଲି ହାଇକୋର୍ଟଙ୍କ ରାୟ ଆସିବା ପରେ ସରକାରଙ୍କୁ ଝଟ୍‌କା ଲାଗିଛି। ଅନୁଦାନ ଦେବା ଆଳରେ କାହାଠାରୁ ସତ୍ୟାପାଠ କିମ୍ବା ଲିଖିତ ସୂଚନା ନେବାର ଅଧିକାର ସରକାରଙ୍କର ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ଶିକ୍ଷକମାନଙ୍କ ବିଜୟ ହୋଇଛି। ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷା କର୍ମଚାରୀଙ୍କ ହକ୍‌ ପ୍ରତି ଆଉ ଅଣଦେଖା ନ କରି ସେମାନଙ୍କର ମୂଳ ଦାବି ଚାକିରି ସର୍ତ୍ତ ଓ ଅବସରକାଳୀନ ସୁବିଧା ସହ ପୂର୍ଣ୍ଣ ଅନୁଦାନ ପ୍ରଦାନ କରନ୍ତୁ। ସମସ୍ତ ଯୋଗ୍ୟ ବିବେଚିତ ସ୍କୁଲ ଓ କଲେଜକୁ ଅନୁଦାନ, ସପ୍ତମ ବେତନ କମିସନ ଲାଗୁ କରାଯାଉ, ନଚେତ ସରକାରଙ୍କୁ ସବୁଠି ଘେରାଉ କରାଯିବ ବୋଲି ମିଳିତ ମଞ୍ଚ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର