ଚତୁର୍ଥ ଦିନରେ ଶିକ୍ଷକ ଅଧ୍ୟାପକଙ୍କ ଆନ୍ଦୋଳନ : ସ୍କୁଲ, କଲେଜରେ ତାଲା ପକାଇବାକୁ ଧମକ

୧୭ରେ ବିଜେପୁରରେ ଶୋଭାଯାତ୍ରା କରିବ ବ୍ଲକଗ୍ରାଣ୍ଟ ମାଧ୍ୟମିକ ସ୍କୁଲ ଶିକ୍ଷକ ଓ କର୍ମଚାରୀ ସଂଘ

ଭୁବନେଶ୍ୱର : ବ୍ଲକଗ୍ରାଣ୍ଟ ଉଚ୍ଛେଦ କରି ସପ୍ତମ ବେତନ କମିସନ ଲାଗୁ, ଚାକିରି ସର୍ତ୍ତାବଳୀ ପ୍ରଦାନ ସହ ସତ୍ୟପାଠ ଦେବା ଲାଗି ଜାରି ହୋଇଥିବା ଫତୁଆକୁ ପ୍ରତ୍ୟାହାର କରିବା ନେଇ ଅଡ଼ି ବସିଛନ୍ତି ଶିକ୍ଷକ ଓ ଅଧ୍ୟାପକ। ୪ ଦିନ ହେଲା ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ନେତୃତ୍ୱରେ ଆନ୍ଦୋଳନ ଜାରି ରହିଥିଲେ ମଧ୍ୟ ରାଜ୍ୟ ସରକାର ଦାବି ପୂରଣ ଦିଗରେ କୌଣସି ପଦକ୍ଷେପ ନେଉ ନାହାନ୍ତି। ମୁଖ୍ୟ ଶାସନ ସଚିବଙ୍କ ସହ ଗୋଟିଏ ପର୍ଯ୍ୟାୟ ଆଲୋଚନା ବି ଶେଷ ହୋଇଥିଲେ ମଧ୍ୟ ସମାଧାନର ବାଟ ବାହାରି ପାରି ନାହିଁ। ଫଳରେ ଶିକ୍ଷକମାନେ ଏବେ ବି ଲୋୟର ପିଏମ୍‌ଜିରେ ଆନ୍ଦୋଳନ ଜାରି ରଖିଛନ୍ତି। ଯେପର୍ଯ୍ୟନ୍ତ ଦାବି ପୂରଣ ନ ହୋଇଛି ସେପର୍ଯ୍ୟନ୍ତ ଆନ୍ଦୋଳନରୁ ହଟିବାର ପ୍ରଶ୍ନ ଉଠୁନାହିଁ ବୋଲି ମଧ୍ୟ ମିଳିତ ମଞ୍ଚ ପକ୍ଷରୁ ରୋକଠୋକ୍‌ ଶୁଣାଇ ଦିଆଯାଇଛି।

ମଙ୍ଗଳବାର ସୁଦ୍ଧା ଯଦି ଦାବିଗୁଡ଼ିକ ପୂରଣ କରିବା ଦିଗରେ ପଦକ୍ଷେପ ନିଆ ନ ଯାଏ ତେବେ ସ୍କୁଲ କଲେଜରେ ତାଲା ପକାଇବାକୁ ଚେତାବନୀ ଦେଇଛି ମିଳିତ ମଞ୍ଚ। ମିଳିତ ମଞ୍ଚର ଆବାହକ ମଣ୍ଡଳୀ ସଦସ୍ୟ ପବିତ୍ର ମହାଲା, ଗୋଲକ ନାୟକ ଓ ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି ଯେ, ପୂର୍ବରୁ ଅନେକ ପ୍ରତିଶ୍ରୁତି ମିଳିଥିଲେ ମଧ୍ୟ ପୂରଣ ହୋଇ ନାହିଁ। ଏବେ ଶିକ୍ଷକ, ଅଧ୍ୟାପକମାନେ ଛାତ୍ରଛାତ୍ରୀଙ୍କୁ ପଢ଼ାଇବା ସହ ପରୀକ୍ଷା ପରିଚାଳନାରେ ସହଯୋଗ କରୁଛନ୍ତି। ଏଥର ଆଉ କିଛି ବି ଶୁଣିବୁ ନାହିଁ। ଦାବି ପୂରଣ ନ ହେଲେ ସ୍କୁଲ କଲେଜରେ ତାଲା ପକାଇବୁ। ଆଗକୁ ମାଟ୍ରିକ୍‌ ଓ ଯୁକ୍ତ୨ ପରୀକ୍ଷା ଆସୁଥିବାରୁ ସେଥିରେ ଅସହଯୋଗ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

ଅନ୍ୟପକ୍ଷରେ ବ୍ଲକଗ୍ରାଣ୍ଟ ମାଧ୍ୟମିକ ସ୍କୁଲ ଶିକ୍ଷକ ଓ କର୍ମଚାରୀ ସଂଘ ମଧ୍ୟ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି। ୮ଦଫା ଦାବି ନେଇ ସଂଘ ଆନ୍ଦୋଳନ କରିବ ବୋଲି ଗତକାଲି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। ସଂଘର ସାଧାରଣ ସଂପାଦକ ପ୍ରଶାନ୍ତ କୁମାର ମହାପାତ୍ର କହିଛନ୍ତି ଯେ, ୨୦୧୭ ଅନୁଦାନ ନିୟମରେ ଥିବା ସର୍ତ୍ତାବଳୀ ଉଚ୍ଛେଦ କରାଯାଇ ୧୯୯୪ ଅନୁଦାନ ନିୟମର ପୁନଃ ପ୍ରଚଳନ, ୨୬୦୮ ହାଇସ୍କୁଲକୁ ୭ମ ବେତନ କମିସନ୍‌ ହାରରେ ଦରମା ପ୍ରଦାନ, ୪୦%,୬୦% ଓ ୭୫% ବ୍ଲକଗ୍ରାଣ୍ଟପ୍ରାପ୍ତ ବିଦ୍ୟାଳୟ ଓ କର୍ମଚାରୀଙ୍କୁ ଶତ ପ୍ର୍ରତିଶତ ଦରମା ଭିତ୍ତିକ ଅନୁଦାନ ପ୍ରଦାନ, ବାଦ୍‌ ପଡ଼ିଥିବା ୧୬୭ ଓ ଯୋଗ୍ୟ ବିବେଚିତ ବିଦ୍ୟାଳୟକୁ ଶତ ପ୍ରତିଶତ ଅନୁଦାନ ପରି ୮ ଦଫା ଦାବି ବାରମ୍ବାର ଉପସ୍ଥାପିତ କରାଯାଇଛି। ତଥାପି  ରାଜ୍ୟ ସରକାର ଏଥିପ୍ରତି କର୍ଣ୍ଣପାତ କରୁ ନ ଥିବାରୁ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ। ଶିକ୍ଷକମାନେ ୨୦୧୭ ଅନୁଦାନକୁ ଗ୍ରହଣ କରିବେ ନାହିଁ। ଆସନ୍ତା ୧୭ ତାରିଖରେ ବିଜେପୁର ନିର୍ବାଚନମଣ୍ଡଳୀରେ ଶୋଭାଯାତ୍ରା ହେବ, ଏପ୍ରିଲ ୧ରେ ଲୋୟର ପିଏମ୍‌ଜିରେ ବିଶାଳ ସମାବେଶ କରାଯିବା ସହ ସମସ୍ତ ସରକାରୀ କାର୍ଯ୍ୟକ୍ରମ ବର୍ଜନ କରିବାକୁ ସଂଘ ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି।

ସମ୍ବନ୍ଧିତ ଖବର