ଶିକ୍ଷକ-ସରକାରଙ୍କ ମଧ୍ୟରେ ଛକାପଞ୍ଝା : ଧମକକୁ ଡରିଲେନି ଅଧ୍ୟାପକ

ମୂଲ୍ୟାୟନ କେନ୍ଦ୍ରଗୁଡ଼ିକ ଆଗରେ ଧାରଣା ଜାରି

ମାତ୍ର ୩୬% ଅଧ୍ୟାପକ ଯୋଗଦେଇଛନ୍ତି: ମିଳିତ ମଞ୍ଚ
ମୂଲ୍ୟାୟନକାରୀଙ୍କ ସଂଖ୍ୟା ୬୦% ଟପିଛି: ସିଏଚ୍‌ଏସ୍‌ଇ

ଭୁବନେଶ୍ୱର : ୫ ଦିନ ବିତିଲାଣି। ତଥାପି ଯୁକ୍ତ୨ ଖାତା ମୂଲ୍ୟାୟନ ସ୍ୱାଭାବିକ୍‌ ହୋଇପାରିନି। ଏବେ କୌଣସି ଗୋଟିଏ ବି ମୂଲ୍ୟାୟନ କେନ୍ଦ୍ରରେ ଶତ ପ୍ରତିଶତ ଅଧ୍ୟାପକ ଖାତା ଦେଖିବାକୁ ଆସିନାହାନ୍ତି। ଗତକାଲି ଅଧ୍ୟାପକମାନଙ୍କୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ଧମକ ଦିଆଯାଇଥିଲେ ମଧ୍ୟ ତାହାର କୌଣସି ପ୍ରଭାବ ପଡ଼ିନାହିଁ। ଶନିବାରଠାରୁ ୧୦ ପ୍ରତିଶତ ଅଧିକ ଅଧ୍ୟାପକ ଖାତା ଦେଖୁଥିବା ନେଇ ସିଏଚ୍‌ଏସ୍‌ଇ କର୍ତୃପକ୍ଷ କହିଛନ୍ତି। ଯେତିକି ଅଧ୍ୟାପକଙ୍କୁ ଖାତା ଦେଖିବା ଲାଗି ଡକାଯାଇଥିଲା ସେମାନଙ୍କ ମଧ୍ୟରୁ ୬୦ ପ୍ରତିଶତ ଯୋଗଦେଇଥିବା ପରିଷଦ ପକ୍ଷରୁ ସୂଚନା ମିଳିଛି।

ଅନ୍ୟପକ୍ଷରେ ସିଏଚ୍‌ଏସ୍‌ଇର ଧମକକୁ ଖାତିର କରିନାହାନ୍ତି ବ୍ଲକଗ୍ରାଣ୍ଟ ଅଧ୍ୟାପକ। ବିଗତ ଦିନଗୁଡ଼ିକ ପରି ଆଜି ମଧ୍ୟ ରାଜ୍ୟର ୫୬ଟି ମାନୁଆଲ ଓ ୨୯ଟି ଇ-ମୂଲ୍ୟାୟନ କେନ୍ଦ୍ର ସମ୍ମୁଖରେ ଆନ୍ଦୋଳନ ଜାରି ରହିଛି। ନୂଆ କରି ମୂଲ୍ୟାୟନରେ ଯୋଗଦେବାକୁ ଆସୁଥିବା ଅଧ୍ୟାପକଙ୍କୁ ଖାତା ମୂଲ୍ୟାୟନରେ ସାମିଲ ନ ହେବାକୁ ଆନ୍ଦୋଳନରତ ଅଧ୍ୟାପକମାନେ ଅନୁରୋଧ କରିଥିଲେ। ଯୁବ କଂଗ୍ରେସ ନେତା ମନୋଜ ବିଶ୍ୱାଳ, ଚେତନ ଜେନା, ଅଶୋକ ନାୟକ, ବଳରାମ ମହାନ୍ତି ଶିକ୍ଷକମାନଙ୍କ ଆନ୍ଦୋଳନରେ ଆଜି ସାମିଲ ହୋଇଥିଲେ।

ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଆବାହକ ମଣ୍ଡଳୀ ସଦସ୍ୟ ପବିତ୍ର ମହାଲା, ଗୋଲକ ନାୟକ, ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି ଯେ, ଧମକ ଦେଲେ ବି ଆମେ ଡରିବୁନି। ମାଟ୍ରିକ ମୂଲ୍ୟାୟନ ସମୟରେ ଯେଉଁଭଳି ଭାବେ ପୁଲିସ ଲଗାଇ ମାଡ଼ ମାରିଥିଲେ ଏଥର ସେଭଳି କଲେ ପରିସ୍ଥିତି ଭୟାନକ ହେବ। ୫ ଦିନର ମୂଲ୍ୟାୟନ ପରେ ସରକାର ଜାଣିସାରିଲେଣି ଯେ କୌଣସି ପରିସ୍ଥିତିରେ ଆମେ ଆନ୍ଦୋଳନରୁ ହଟିବୁ ନାହିଁ। ତେଣୁ କାର୍ଯ୍ୟାନୁଷ୍ଠାନ ଭୟ ଦେଖାଇ ଅଧ୍ୟାପକଙ୍କ ଏକତାକୁ ଭାଙ୍ଗିବାକୁ ଉଦ୍ୟମ କରୁଛନ୍ତି। ଏଥିରେ କୌଣସି ପ୍ରକାରେ ସଫଳ ହେବେ ନାହିଁ। ଆନ୍ଦୋଳନ ଜାରି ରହିବ।

ମିଳିତ ମଞ୍ଚ ଦାବି କରିଛି ଯେ, ଅନେକ ଅଧ୍ୟାପକ ଖାତା ଦେଖିବାକୁ ଆସୁନାହାନ୍ତି। ଭୁବନେଶ୍ୱର ଓ କଟକ ପରି ସହରରେ ସରକାରୀ କଲେଜ ଥିବାରୁ ସେଠାରେ ମୂଲ୍ୟାୟନକାରୀଙ୍କ ସଂଖ୍ୟା ଟିକିଏ ବଢ଼ିଛି। କଟକ ଜିଲ୍ଲାର ବାଙ୍କୀରେ ଏପର୍ଯ୍ୟନ୍ତ ମୂଲ୍ୟାୟନ ହୋଇପାରିନି। ଯାଜପୁର ଜିଲ୍ଲାର ଚଣ୍ଡିଖୋଲରେ ମାତ୍ର ୧୨ ଜଣ ଅଧ୍ୟାପକ ଖାତା ଦେଖୁଛନ୍ତି। ଆଜି ସୁଦ୍ଧା ମାତ୍ର ୩୫ ପ୍ରତିଶତ ଅଧ୍ୟାପକ ଖାତା ମୂଲ୍ୟାୟନରେ ସାମିଲ ହୋଇଛନ୍ତି। ବାରିପଦା, ନୟାଗଡ଼, କଳାହାଣ୍ଡି ଜିଲ୍ଲାରେ ସ୍ୱଚ୍ଛ ମୂଲ୍ୟାୟନ ଦାବି କରି ଛାତ୍ରଛାତ୍ରୀ ରାଜରାସ୍ତାକୁ ଓହ୍ଲାଇଛନ୍ତି। ସୋମବାରଠାରୁ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ବ୍ୟାପକ ହେବ ବୋଲି ମିଳିତ ମଞ୍ଚ ପକ୍ଷରୁ କୁହାଯାଇଛି।

ସିଏଚ୍‌ଏସ୍‌ଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଖାତା ଦେଖା ନିର୍ଧାରିତ ସମୟରେ ସରିବ। ପରୀକ୍ଷା ଫଳ ମଧ୍ୟ ନିର୍ଧାରିତ ସମୟରେ ବାହାରିବ। କୌଣସି ଅସୁବିଧା ହେବନି। ଏପର୍ଯ୍ୟନ୍ତ ଅନୁପସ୍ଥିତ ଥିବା ଅଧ୍ୟାପକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ଅନୁପସ୍ଥିତ ଥିବା ଅଧ୍ୟାପକଙ୍କ ତାଲିକା ଆଜି ଆସି ପହଞ୍ଚିଛି। ରବିବାର ଛୁଟି ଦିନ ଥିବାରୁ କେତେଜଣ ଅଧ୍ୟାପକ ନିଜ କଲେଜରୁ ଛାଡ଼ ପାଇ ନାହାନ୍ତି। ସୋମବାର ମୂଲ୍ୟାୟନକାରୀଙ୍କ ସଂଖ୍ୟା ଆହୁରି ବଢ଼ିବ। ମୂଲ୍ୟାୟନରେ ଘରୋଇ କଲେଜ ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯିବ। ରେଗୁଲାରରେ ଦୁଇ ବର୍ଷ ପୂରଣ କରିଥିବା ଅଧ୍ୟାପକମାନେ ମଧ୍ୟ ଖାତା ଦେଖାରେ ସାମିଲ ହେବେ। ଯୁକ୍ତ୨ ଓ ଯୁକ୍ତ୩ କଲେଜର ସରକାରୀ ଓ ପୂର୍ଣ୍ଣ ଅନୁଦାନପ୍ର୍ରାପ୍ତ ଅଧ୍ୟାପକଙ୍କୁ ମୂଲ୍ୟାୟନରେ ସାମିଲ କରାଯିବ ବୋଲି ଅଧିକାରୀ ଜଣକ କହିଛନ୍ତି।

ସମ୍ବନ୍ଧିତ ଖବର