ଶିକାରୀ ଖୋଜିବା ପାଇଁ ଗଠନ ହେଲା ଟିମ୍‌, ଆଉ ଜଣକୁ ଧରିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର : ଦେବଗଡ଼ ଜିଲ୍ଲା ବାରକୋଟ୍‌ ଅଞ୍ଚଳରେ ଚିତାବାଘ ଛାଲ ଧରାପଡ଼ିବା ମାମଲାରେ କ୍ରାଇମ୍‌ବ୍ରାଞ୍ଚର ସ୍ପୋସାଲ ଟାସ୍କ ଫୋର୍ସ ହାତରେ ଧରା ପଡ଼ିଥିବା ୩ ଅଭିଯୁକ୍ତଙ୍କୁ ୪ ଦିନିଆ ରିମାଣ୍ଡରେ ଅଣାଯାଇଛି। ସେମାନଙ୍କୁ ଜେରା ଚାଲିଥିବା ବେଳେ ଶିକାରୀଙ୍କୁ ଖୋଜିବା ପାଇଁ ଏକ ଟିମ୍‌ ଗଠନ ହୋଇଛି। ଏ ନେଇ ସୂଚନା ଦେଇଛନ୍ତି ପିସିସିଏଫ୍‌ (ବନ୍ୟପ୍ରାଣୀ) ଅଜୟ ମହାପାତ୍ର। ସେ କହିଛନ୍ତି, ବାଘଛାଲ ଜବତ ହେବା ଘଟଣାରେ କେବଳ ବେପାରୀ ଧରା ପଡ଼ିଛନ୍ତି। ଶିକାରୀ ଧରାପଡ଼ି ନାହାନ୍ତି। ଏଣୁ ଜଙ୍ଗଲରେ ଥିବା ବାଘଙ୍କ ପାଇଁ ବିପଦ ରହିଛି। ଶିକାରୀମାନଙ୍କୁ ଧରିବା‌ ପାଇଁ ବନବିଭାଗ ଉଦ୍ୟମ ଜାରି ରଖିଛି। ଦେବଗଡ଼ ଡିଏଫ୍ଓଙ୍କ ଅଧୀନରେ ଏକ ସ୍ବତନ୍ତ୍ର ଦଳ ଗଠନ ହୋଇଛି। ପାଖ ଗ୍ରାମରେ ଏହି ଦଳ ଛାପା ମାରିବା ସହ ସମସ୍ତ ବାସିନ୍ଦାଙ୍କ ଉପରେ ନଜର ରଖିଛି। ପୂର୍ବରୁ ବନ୍ଧୁକ ରଖି ଗିରଫ ହୋଇଥିବା ବା ସନ୍ଦେହରେ ଥିବା ଶିକାରୀଙ୍କୁ ଟା‌ର୍ଗେଟ କରାଯାଇଛି। ଆବଶ୍ୟକ ପଡ଼ିଲେ ଏମାନଙ୍କୁ ପ୍ରିଭେଣ୍ଟିଭ୍‌ ଆରେଷ୍ଟ କରାଯିବ। ତେବେ ବାଘଛାଲ କେତେ ଦିନର, ଏହି ଜଙ୍ଗଲରୁ କିମ୍ବା ଆଉ କେଉଁଠୁ, ବେପାରୀଙ୍କର ଶିକାରୀଙ୍କ ସହ ସମ୍ପର୍କ ରହିଛି କି ନାହିଁ, ଏ ସବୁର ତଦନ୍ତ ହେବାକୁ ରହିଛି। ଏହା ଜଣାପଡ଼ିବା ପରେ ଶିକାରୀଙ୍କ ପାଖରେ ପହଞ୍ଚିବା ସହଜ ହେବ।

ଏସ୍‌ଟିଏଫ୍‌ର ଜଣେ ଡିଏସ୍‌ପିଙ୍କ ସମେତ ଏକ ସ୍ବତନ୍ତ୍ର ଦଳ ଦେବଗଡ଼ରେ ପହଞ୍ଚି ରିମାଣ୍ଡରେ ଆସିଥିବା ଅଭିଯୁକ୍ତମାନଙ୍କୁ ମାରାଥନ୍‌ ଜେରା ଚଳାଇଛନ୍ତି। ଇତିମଧ୍ୟରେ ଏହି ବାଘଛାଲ ମାମଲାରେ ଏସ୍‌ଟିଏଫ୍‌ ଆଉ ଜଣଙ୍କୁ ଗିରଫ କରିଛି। ସେ ହେଉଛି କେଉଁଝରର ବାଂଶପାଳ ଥାନା ଅଧୀନ ଅଁଳା ଗ୍ରାମର କାଳୀଚରଣ ଦାସ। ସେହିପରି ଶିକାରୀ ସନ୍ଦେହରେ ଦୁଇଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି। କାଳୀଚରଣ କେଉଁଝର ଜିଲ୍ଲାର ହୋଇଥିବାରୁ ଏହି ରୢାକେଟ୍‌ କେଉଁଝର ପର୍ଯ୍ୟନ୍ତ ଲମ୍ବିଥିବା ସ୍ପଷ୍ଟ ହୋଇଛି। ଅନ୍ୟପଟେ ବାଘ ଶିମିଳିପାଳ ଜଙ୍ଗଲର ହୋଇଥାଇ ପାରେ ବୋଲି ମଧ୍ୟ ସନ୍ଦେହ କରାଯାଉଛି। ସନ୍ଦେହରେ ଏସ୍‌ଟିଏଫ୍‌ର ଆଉ ଏକ ଟିମ୍‌ କେଉଁଝର ସମେତ ମୟୂରଭଞ୍ଜରେ ମଧ୍ୟ ଚଢ଼ଉ କରିଥିବା ଜଣାପଡ଼ିଛି।

ଗତ ମାର୍ଚ୍ଚ ମାସ ୧୬ ତାରିଖ‌ରେ କୁଚିଣ୍ଡା ସ୍ରିଷ୍ଟି ଲଜ୍‌ରୁ ବାଘଛାଲ ଜବତ ମାମଲାରେ ୪ ଜଣ ଗିରଫ ହୋଇଥିଲେ। ବନବିଭା‌ଗ ଏକ ସ୍ବତନ୍ତ୍ର ଟିମ୍‌ କରି ଶିକାରୀଙ୍କୁ ଗିରଫ କରିବ ବୋଲି ଯୋଜନା କରିଥିଲା। ହେଲେ କିଛି ଦିନ ପରେ ବନବିଭାଗ ଭୁଲି ଯାଇଥିଲା। ଏହି ଘଟଣାର ୩ ମାସ ପରେ ପୁଣି ଏବେ ଏହି ବାଘ ଛାଲ ଜବତ ହୋଇଛି।

ଏଠାରେ ସୂଚାଇ ଦିଆଯାଇ ପାରେ ଯେ, ଶିମିଳିପାଳ ଅଭୟାରଣ୍ୟ ଭିତରେ ବନବିଭାଗ କର୍ମଚାରୀଙ୍କ ଉପସ୍ଥିତିରେ ଜଣେ ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ନିଜ ପୁଅକୁ ବନ୍ଧୁକ ଶିକ୍ଷା ଦେଉଥିବା ଭିଡିଓ ଭାଇରାଲ ହୋଇଥିଲା। ଚୋରା ବନ୍ଧୁକରେ ଏହି ବନ୍ଧୁକ ଚାଳନା ଶିକ୍ଷା ଦିଆଯାଉଥିବା ନେଇ ଶିମିଳିପାଳର ତତ୍‌କାଳୀନ ଡେପୁଟି ଡାଇରେକ୍ଟର ପିସିସିଏଫ୍‌ଙ୍କୁ ରିପୋର୍ଟ ଦେଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନଥିଲା। ଏଣୁ ଚୋରା ବନ୍ଧୁକ ଓ ଶିକାରୀଙ୍କ ସହ ବନବିଭାଗ କର୍ମଚାରୀଙ୍କର ଭିତିରିଆ ସମ୍ପର୍କ ରହୁଥିବାରୁ ବାଘ ଶିକାର ଅନାୟାସରେ ଚାଲିଛି ବୋଲି ଅଭିଯୋଗ ହୋଇଛି। ଅନ୍ୟପଟେ କୁଚିଣ୍ଡା ସ୍ରିଷ୍ଟି ଲଜ୍‌ରୁ ଚମଡ଼ା ଜବତ ମାମଲ‌ାରେ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ସେନା କର୍ମଚାରୀ, ଜଣେ ଛାତ୍ର ଓ ଜଣେ ବନବିଭାଗ କର୍ମଚାରୀ ରହିଥିବା ବେଳେ ବାର୍‌କୋଟ୍‌ ଅଞ୍ଚଳରେ ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ପୁଲିସ କର୍ମଚାରୀଙ୍କ ପୁଅ ରହିଛି। ଯେଉଁଥିପାଇଁ, ପୂର୍ବରୁ ଜବତ ବାଘ ଛାଲରେ ଗୁଳି ଦାଗ ରହିଥିଲା। ଏବେ ବି ଏହି ଚମଡ଼ାରେ ଗୁଳି ଦାଗ ରହିଛି। ଯେଉଁ ବନ୍ଧୁକରେ ଏହି ଶିକାର ହେଉଛି ତାହାକୁ ଧରିବା ସମ୍ଭବ ହେଉ ନାହିଁ। ନା ପୁଲିସ, ନା ଏସ୍‌ଟିଏଫ୍‌ ନା ବନବିଭାଗ କେହି ଏହି ସବୁ ବନ୍ଧୁକ ପାଉ ନାହାନ୍ତି।

ସମ୍ବନ୍ଧିତ ଖବର