ନାବାଳକ ନକ୍ସଲର ଆତ୍ମସମର୍ପଣ

ମାଲକାନଗିରି: ନକ୍ସଲ ସଂଗଠନରେ ବାଲ୍‌ ସଂଗମ୍‌ ସକ୍ରିୟ ରହିଥିବା ପୁଣି ଥରେ ପ୍ରମାଣିତ ହୋଇଛି। ଆଜି ମାଲକାନଗିରି ପୁଲିସ ନିକଟରେ ଜଣେ ନାବାଳକ ନକ୍ସଲ ଆତ୍ମସମର୍ପଣ କରିବା ପରେ ନକ୍ସଲଙ୍କ ବାଲ୍‌ ସଂଗମ୍‌ ସକ୍ରିୟ ଥିବା ସ୍ପଷ୍ଟ ହୋଇଯାଇଛି। ଆତ୍ମସମର୍ପଣ କରିଥିବା ଏହି ନାବାଳକ ନକ୍ସଲ (୧୬ ) ନାମରେ ଓଡ଼ିଶା ସରକାରଙ୍କ ପକ୍ଷରୁ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା। ଏହି ନାବାଳକ ନକ୍ସଲର ଘର ଛତିଶଗଡ଼ର ଦନ୍ତେଓ୍ଵାଡା ଜିଲ୍ଲାରେ ବୋଲି ଜଣାପଡିଛି। ସେ ୨୦୧୫ ମସିହାରେ ବାଲସାଗାଁରେ ସିପିଆଇ ମାଓବାଦୀ ପାର୍ଟିର ବାଲ୍‌ ସଂଗଠନର ସଦସ୍ୟ ଥିଲା। ଗତ ଜୁଲାଇ ୨୦୧୭ ମସିହାରେ ତାକୁ ପଦୋନ୍ନତି ଦିଆଯାଇ ନକ୍ସଲ ସଂଗଠନର ସକ୍ରିୟ ସଦସ୍ୟ ରୂପେ ଗ୍ରହଣ କରାଯାଇଥିଲା । ପ୍ରଥମେ ଛତିଶଗଡର ଦନ୍ତେୱାଡା ଜିଲ୍ଲାର କୋଟେକଲ୍ୟାଣ ଅଂଚଳର ଗୁମ୍ମା ଏଲଓସିକୁ ପଠାଯାଇଥିଲା। ପରେ ସେଠାରୁ ମାଥିଲିର ମହୁପଦର ଏଲଓସିକୁ ପଠାଯାଇଥିଲା। ମହୁପଦର ମାଓ ସଂଗଠନର ଡେପୁଟି କମାଣ୍ଡାଣ୍ଟ ସଂଜୁ ନିକଟରେ କାମ କରୁଥିଲା। ସଂଜୁର ବ୍ୟବହାର ଅତି ଖରାପ ଥିଲା। ବିଭିନ୍ନ ସମୟରେ ସେ ନିର୍ଯାତନା ଦେବାରୁ ଆତ୍ମସମର୍ପଣ କରିବାକୁ ସ୍ଥିର କରିଥିଲା ବୋଲି ସେ କହିଛି। ଆତ୍ମସମର୍ପଣ ନୀତି ଅନୁଯାୟୀ ତାକୁ ସବୁ ପ୍ରକାର ସହଯୋଗ ସହ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର