ତେଲେଙ୍ଗାନା କଂଗ୍ରେସ ନେତାଙ୍କ ଚାଞ୍ଚଲ୍ୟକର ଅଭିଯୋଗ : ପୁଅ ପାଇଁ ଆଉ ଜଣେ ନେତା ଅଡ଼ୁଆରେ, ଏବେ ଭକ୍ତଙ୍କ ପାଳି

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଦନ୍ତ କରୁ; ଅଭିଯୋଗକାରୀଙ୍କ ଔକାତ୍ ପରଖିବା ଦରକାର: ଭକ୍ତ

ବିଶାଖାପାଟଣା/ବ୍ରହ୍ମପୁର : ପୁଅମାନଙ୍କ ଅପକୀର୍ତ୍ତି ପାଇଁ ନେତାମାନଙ୍କୁ ଅଡ଼ୁଆରେ ପଡ଼ିବା ଦେଖାଯାଇଥାଏ। ବିଜେଡି ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ଅଡ଼ୁଆ ରାଜ୍ୟବାସୀଙ୍କ ମନରୁ ନ ଲିଭୁଣୁ ଏବେ ଜଣେ ବରିଷ୍ଠ କଂଗ୍ରେସ ନେତା ବିବାଦରେ ଛନ୍ଦି ହୋଇଛନ୍ତି। ଡିସେମ୍ବର ୭ ତାରିଖରେ ହେବାକୁ ଥିବା ତେଲେଙ୍ଗାନା ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଟିକେଟ ବଣ୍ଟାକୁ ନେଇ ବଡ଼ ବିବାଦ ସୃ୍ଷ୍ଟି ହୋଇଛି। ଏହି ବିବାଦରେ ଫସିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ତେଲେଙ୍ଗାନା ପାଇଁ ଏଆଇସିସି ସ୍କ୍ରିନିଂ କମିଟି ମୁଖ୍ୟ ଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସ। ରାଙ୍ଗାରେଡ୍ଡି ଜିଲ୍ଲା କଂଗ୍ରେସ ସଭାପତି କେ.ମାଲେଶ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ଭକ୍ତଙ୍କ ପୁଅ ସାଗରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। କହିଛନ୍ତି, ରାଙ୍ଗାରେଡ୍ଡି ଜିଲ୍ଲା ଇବ୍ରାହିମପଟ୍ଟନମ୍ ଆସନରୁ ଟିକେଟ୍ ପାଇଁ ସେ ପ୍ରବଳ ଦାବିଦାର ଥିଲେ। ହେଲେ ଦଳ ଏଥିପାଇଁ ତାଙ୍କଠାରୁ ୩ କୋଟି ଟଙ୍କା ଦାବି କରିଥିଲା। ଏଆଇସିସି ସ୍କ୍ରିନିଂ କମିଟି ମୁଖ୍ୟ ଭକ୍ତ ଚରଣ ଦାସଙ୍କ ପୁଅ ସାଗର ଏଥିପାଇଁ ମଧ୍ୟସ୍ଥି ସାଜିଥିବା ସେ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ଏଥିସହ ସେ ସାଗରଙ୍କ କଥାବାର୍ତାର ଏକ ଅଡିଓ ଟେପ୍ ମଧ୍ୟ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଇଛନ୍ତି। ଏହି ଅଭିଯୋଗ ଓ ଅଡିଓ ଟେପ୍ ପ୍ରକାଶ ପରେ ତେଲେଙ୍ଗାନା କଂଗ୍ରେସରେ ହଇଚଇ ସୃଷ୍ଟି ହୋଇଛି। ସୋସିଆଲ ମିଡିଆ ଓ ବିଭିନ୍ନ ଗଣମାଧ୍ୟମରେ ଏହି ଖବର ଛାଇ ଯାଇଛି। ଟିଭି-୯, ଏବିଏନ୍, ସାକ୍ଷୀ ଆଦି ପ୍ରମୁଖ ଟେଲିଭିଜନ ଚାନେଲରେ ପ୍ରସାରିତ ଏ ସଂପର୍କିତ ଖବର ଏବେ ୟୁଟ୍ୟୁବ୍‌ରେ ମଧ୍ୟ ଦେଖିବାକୁ ମିଳୁଛି। ସୂଚନାଯୋଗ୍ୟ, ମାଲେଶ ଏହାପରେ ବିଦ୍ରୋହୀ ପ୍ରାର୍ଥୀ ଭାବେ ଉକ୍ତ ଆସନରୁ ଦଳୀୟ ପ୍ରାର୍ଥୀଙ୍କ ବିରୋଧରେ ଲଢ଼ିବେ ବୋଲି ଘୋଷଣା ମଧ୍ୟ କରି ସାରିଛନ୍ତି।

ଅନ୍ୟପକ୍ଷରେ ଏହି ଅଭିଯୋଗ ସଂପର୍କରେ ଭକ୍ତଚରଣ ଦାସ କିମ୍ବା ତାଙ୍କ ପୁଅ ସାଗର ଦାସଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ଗତକାଲିଠାରୁ ସମ୍ବାଦ ପକ୍ଷରୁ ସେମାନଙ୍କ ମୋବାଇଲକୁ ବାରମ୍ବାର ଫୋନ୍ କରାଯାଇଥିଲେ ମଧ୍ୟ ଉତ୍ତର ମିଳିନାହିଁ। ତେବେ ତେଲେଙ୍ଗାନାରେ ଟିକଟ ପାଇଁ ଟଙ୍କା କାରବାର ସଂପର୍କିତ ଏକ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଦାସ ସୋମବାର ଦିଲ୍ଲୀରେ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଥିଲେ ଯେ ‘ତାଙ୍କ ସାଧୁତା ସଂପର୍କରେ ସମସ୍ତେ ଜାଣିଛନ୍ତି। ଏଭଳି ଅଭିଯୋଗ ଭିତ୍ତିହୀନ। ଯେଉଁମାନେ ତାଙ୍କୁ ଟଙ୍କା ଦେଇଥିବା କଥା ଅଭିଯୋଗ କରୁଛନ୍ତି, ସେମାନେ ସେ ଟଙ୍କା କେଉଁଠୁ ଆଣିଲେ ତାହା ପ୍ରବର୍ତ୍ତନ ନିର୍ଦେଶାଳୟ ତଦନ୍ତ କରିବା ଦରକାର’ ବୋଲି ସେ କହିଥିବା ଡେକାନ କ୍ରୋନିକଲ୍‌ରେ ପ୍ରକାଶ ପାଇଛି। ଅବଶ୍ୟ ପୁଅ ସାଗରଙ୍କ କଥାବାର୍ତ୍ତାର ଅଡିଓ ଟେପ୍ ଭାଇରାଲ ହେବା ପରେ ଭକ୍ତଙ୍କ ପ୍ରତିକ୍ରିୟା ଜଣାପଡ଼ିନି। ‘ନୋଟ ବଦଳରେ ଟିକଟ’ ଅଭିଯୋଗର ପ୍ରତିକ୍ରିୟାରେ ଅନ୍ୟ କିଛି ଗଣମାଧ୍ୟମକୁ ଭକ୍ତ ଦାସ କହିଛନ୍ତି, ତାଙ୍କର ପ୍ରତିବଦ୍ଧତା ଓ ପ୍ରତିଷ୍ଠା ସାରା ଦେଶ ଜାଣନ୍ତି। ଯେଉଁମାନେ ଏଭଳି ଅଭିଯୋଗ କରୁଛନ୍ତି ତାଙ୍କର ଅସ୍ତିତ୍ବ ଏବ˚ ଵୗକାତ କଣ ପରଖିବା ଆବଶ୍ୟକ। ସେମାନେ ଦଳପାଇଁ ସତରେ କାମ କରୁଛନ୍ତି ନା ନାହିଁ, ଟିକଟ ପାଇଁ ଯୋଗ୍ୟ ନା ନାହିଁ ତାହା ବିଚାର କରିବା ଦରକାର। ତାଙ୍କ ବିରୋଧରେ ଅଭିଯୋଗ ଭିତ୍ତିହୀନ ।

ସମ୍ବନ୍ଧିତ ଖବର