୩୪ଂ ଟପିଲା ରାଜଧାନୀ
ଭୁବନେଶ୍ବର : ଥଣ୍ଡା କମିନି। ହେଲେ ତାତି ବଢ଼ି ଚାଲିଛି। ପ୍ରତିଦିନ ତାପମାତ୍ରା ଗୋଟିଏ ଡିଗ୍ରି ଲେଖାଏ ବଢ଼ୁଛି। ସୋମବାର ଭୁବନେଶ୍ବରରେ ଦିନର ତାପମାତ୍ରା ୩୩ ଡିଗ୍ରି ଛୁଇଁଥିବା ବେଳେ ଆଜି ୩୪ଡିଗ୍ରି ପାର୍ ହୋଇଛି। ଏଠାରେ ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ୩୪.୮ଡିଗ୍ରି ରହିଥିଲା। ଯାହାକି ଚଳିତବର୍ଷ ରାଜ୍ୟରେ ସର୍ବାଧିକ ତାପମାତ୍ରା। ଭୁବନେଶ୍ବର ସମେତ ମାଲକାନଗିରି ତାପମାତ୍ରା ବି ଆଜି ୩୪ ଡିଗ୍ରିରେ ପହଞ୍ଚିଛି। ଦିନରେ ତାତି ଅନୁଭୂତ ହେଉଥିଲେ ମଧ୍ୟ ରାତିରେ ଥଣ୍ଡା ଜାରି ରହିଛି। ରାଜଧାନୀରେ ରାତିର ତାପମାତ୍ରା ୧୩ ଡିଗ୍ରି ରହୁଥିବା ବେଳେ ମାଲକାନଗିରିରେ ୧୨ ଡିଗ୍ରି ଭିତରେ ରହୁଛି। ପୁରୀ, ଗୋପାଳପୁର ଓ ସୁନ୍ଦରଗଡ଼ ବ୍ୟତୀତ ରାଜ୍ୟର ଅନ୍ୟ ସମସ୍ତ ସହରର ସର୍ବନିମ୍ନ ତାପମାତ୍ରା ଏବେ ୧୧ରୁ ୧୫ ଡିଗ୍ରି ଭିତରେ ରହିଥିବା ଦେଖିବାକୁ ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ହେଉଛି ଯେ ଗୁରୁବାର ରାତିଠାରୁ ଖୋର୍ଧା, ପୁରୀ, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, କଟକ, ଯାଜପୁର, ଭଦ୍ରକ ଜିଲ୍ଲାର କେତେକ ସ୍ଥାନରେ ହାଲକା କୁହୁଡ଼ି ହେବ। ମଧ୍ୟ ରାତିଠାରୁ ଭୋର ୭ ପର୍ଯ୍ୟନ୍ତ କୁହୁଡ଼ିର ପ୍ରଭାବ ରହିବ। ହେଲେ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅର୍ଧାଧିକ ଜିଲ୍ଲାରେ କାଳବୈଶାଖୀ ବର୍ଷା ହୋଇପାରେ। ୮ ଓ ୯ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ବରଗଡ଼, ସୋନପୁର, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନ, ୯ ଓ ୧୦ ତାରିଖରେ କନ୍ଧମାଳ ସମେତ ବୌଦ୍ଧ, ଢ଼େଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡ଼ା ସମେତ ଉପକୂଳ ଓଡ଼ିଶାରେ ବର୍ଷାର ସମ୍ଭାବନା ରହିଛି। ଏହାପରେ ପୁଣିଥରେ ଦିନର ତାପମାତ୍ରା କମିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।