୧୩ ସହରରେ ପାରଦ ୪୦ଡିଗ୍ରି ପାର୍‌

ଭୁବନେଶ୍ୱର : ସାରା ରାଜ୍ୟରେ ଗ୍ରୀଷ୍ମ ଲହରୀ ବହୁ ଥିବାବେଳେ ଆଜି ରାଜ୍ୟର ୧୩ଟି ସହରରେ ପାରଦ ୪୦ଡିଗ୍ରି ଉପରେ ରହିଛି। ଏଥିରେ ୩ଟି ସହରରେ ପାରଦ ୪୩ଡିଗ୍ରି ଅତିକ୍ରମ କରିଛି। ପଶ୍ଚିମ ଓଡ଼ିଶାର ସମସ୍ତ ସହରରେ ତାପମାତ୍ରା ବଢ଼ୁଥିବାବେଳେ ଉପକୂଳ ଓଡ଼ିଶାରେ ପାରଦ ୪୦ଡିଗ୍ରି ତଳକୁ ଖସିଛି। କିନ୍ତୁ ସାରା ରାଜ୍ୟରେ ଆଜି ବି ଅସହ୍ୟ ତାତି ଅନୁଭୂତ ହୋଇଛି। ବଲାଙ୍ଗୀର ଆଜି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି।

ଭୁବନେଶ୍ୱର ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ଆଜି ରାଜ୍ୟରେ ପ୍ରବଳ ଖରା ଅନୁଭୂତ ହୋଇଥିବାବେଳେ ଆସନ୍ତା କିଛି ଦିନ ପର୍ଯ୍ୟନ୍ତ ଏହିଭଳି ପାଗ ଲାଗି ରହିବ। ସେହିପରି ଏବେ ସମୁଦ୍ରରୁ ସ୍ଥଳ ଭାଗକୁ ପବନ ବହୁଥିବାରୁ ଉପକୂଳ ଓଡ଼ିଶାରେ ତାତି ଅପେକ୍ଷାକୃତ କମ୍‌ ରହିଛି। ପ୍ରାୟ ସମସ୍ତ ସ୍ଥାନରେ ୪୦ଡିଗ୍ରି ତଳେ ପାରଦ ରହିଛି। କିନ୍ତୁ ଦିନବେଳା ଟାଣ ଖରା ହେଉଥିବାରୁ ଅପରାହ୍ନରେ କାଳବୈଶାଖୀର ସମ୍ଭାବନା ଅଛି। ଆସନ୍ତା ୪୮ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷାପବନ ହେବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ଆଜି ଅପରାହ୍ନରେ ଚାନ୍ଦବାଲିରେ କାଳବୈଶାଖୀ ଜନିତ ବର୍ଷା ପବନ ହୋଇଛି। ଏଥିରେ ୧୧ମିଲିମିଟର ବର୍ଷା ହୋଇଥିବାବେଳେ ପ୍ରାୟ ୫୦କିମି ବେଗରେ ପବନ ବହିଛି।

ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ପଶ୍ଚିମ ଓଡ଼ିଶାର ପ୍ରାୟ ସମସ୍ତ ସ୍ଥାନରେ ପାରଦ ୪୦ଡିଗ୍ରି ଉପରେ ଥିବାବେଳେ ବଲାଙ୍ଗୀର ଏବଂ ଏହା ନିକଟବର୍ତ୍ତୀ ସହରରେ ପାରଦ ୪୩ଡିଗ୍ରି ଉପରେ ରହିଛି ବଲାଙ୍ଗୀର ଓ ସୋନପୁରରେ ରାଜ୍ୟର ସର୍ବାଧିକ ତାପମାତ୍ରା ୪୩.୨ଡିଗ୍ରି ରେକର୍ଡ ହୋଇଥିବାବେଳେ ଟିଟିଲାଗଡ଼ରେ ୪୩ଡିଗ୍ରି ରେକର୍ଡ ହୋଇଛି। ସେହିପରି ଅନୁଗୁଳରେ ୪୧.୭, ଝାରସୁଗୁଡ଼ାରେ ୪୧.୨, ସମ୍ବଲପୁରରେ ୪୨, ସୁନ୍ଦରଗଡ଼ରେ ୪୦, ହୀରାକୁଦରେ ୪୨.୧, ତାଳଚେରରେ ୪୦.୭, ଭବାନିପାଟଣାରେ ୪୧.୨, ଫୁଲବାଣୀରେ ୪୦.୨, ମାଲକାନଗିରିରେ ୪୦.୬, ଢେଙ୍କାନାଳରେ ୪୦.୩ ଡିଗ୍ରି ରେକର୍ଡ ହୋଇଛି। ସେହିପରି ଭୁବନେଶ୍ୱରରେ ୩୯.୪, କଟକରେ ୩୮.୪, ଚାନ୍ଦବାଲିରେ ୩୮.୭, ବାଲେଶ୍ୱରରେ ୩୫.୧, ପାରାଦୀପରେ ୩୨, ଗୋପାଳପୁରରେ ୩୨, ପୁରୀରେ ୩୩.୬ଡିଗ୍ରି ରେକର୍ଡ ହୋଇଛି।

ସମ୍ବନ୍ଧିତ ଖବର