ତାତି ବଢ଼ିଲା: ୧୦ ପରେ କମିବ

ଭୁବନେଶ୍ୱର : ଆଜିଠୁ ସାରା ରାଜ୍ୟରେ ତାତି ବଢ଼ିଛି। କାଳବୈଶାଖୀ ଜନିତ ବର୍ଷା ଯୋଗୁଁ ଗତ କିଛି ଦିନ ଧରି ରାଜ୍ୟରେ କମ୍‌ ତାତି ଅନୁଭୂତ ହେଉଥିବାବେଳେ ଆଜିଠାରୁ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ୪୦ଡିଗ୍ରି ଉପରେ ରହିଛି। ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଗ୍ରୀଷ୍ମ ଲହରୀ ବହିବ। କାଁ ଭାଁ କାଳବୈଶାଖୀ ଜନିତ ବର୍ଷା ପବନ ହେବ। ୧୧ତାରିଖରୁ ତାତି କମିବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ଆସନ୍ତା ସପ୍ତାହେ ଯାଏ ତାତି ଅଧିକ ଅନୁଭୂତ ହେବ। ଏପରିକି ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପାରଦ ୪୩ଡିଗ୍ରି ଛୁଇଁପାରେ। ଉତ୍ତର, ଦକ୍ଷିଣ ଓ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ପାରଦ ୪୦ରୁ ୪୨ଡିଗ୍ରି ମଧ୍ୟରେ ରହିବ। ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ଯାଏଁ ଗ୍ରୀଷ୍ମପ୍ରବାହ ଅଧିକ ରହିବାର ସମ୍ଭାବନା ଥିବାରୁ ଏହି ସମୟରେ ଆବଶ୍ୟକ ନଥିଲେ ଘରୁ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି।

ଆଜି ବଲାଙ୍ଗୀରରେ ରାଜ୍ୟର ସର୍ବାଧିକ ତାପମାତ୍ରା ୪୨.୭ଡିଗ୍ରି ରେକର୍ଡ ହୋଇଥିବାବେଳେ ୮ଟି ସହରରେ ପାରଦ ୪୦ଡିଗ୍ରି ଉପରେ ରହିଛି। ଅନୁଗୁଳରେ ୪୦.୭, ଝାରସୁଗୁଡ଼ାରେ ୪୧.୭, ସମ୍ବଲପୁରରେ ୪୧.୫, ହୀରାକୁଦରେ ୪୧.୧, ତାଳଚେରରେ ୪୨, ଭବାନିପାଟଣାରେ ୪୦, ବଲାଙ୍ଗୀରରେ ୪୨.୭, ସୋନପୁରରେ ୪୨.୪ ଡିଗ୍ରି ରେକର୍ଡ ହୋଇଛି। ଏହାବାଦ୍‌ ଭୁବନେଶ୍ୱରରେ ୩୬.୯, କଟକରେ ୩୬.୪, ଚାନ୍ଦବାଲିରେ ୩୮.୫, ଢେଙ୍କାନାଳରେ ୩୮.୬ଡିଗ୍ରି ରେକର୍ଡ ହୋଇଛି।

ଅପରପକ୍ଷେ ବାରିପଦାରେ ଗତ ୨୪ଘଣ୍ଟା ମଧ୍ୟରେ ୧୯.୬ମିମି ବର୍ଷା ହୋଇଥିବାବେଳେ ବାଲେଶ୍ୱରରେ ୦.୬ମିମି ବର୍ଷା ହୋଇଛି। ଆସନ୍ତା ୪୮ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାର ଗୋଟିଏ/ଦୁଇଟି ସ୍ଥାନ ସମେତ କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଭଳି ପ୍ରମୁଖ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ଅଛି।

ସମ୍ବନ୍ଧିତ ଖବର