୫ ଦିନ ଯାଏ ତାତି : ଆହୁରି ବଢ଼ିବ ତାପମାତ୍ର, ଅଧିକାଂଶ ସ୍ଥାନରେ ପାରଦ ୪୫ ଡିଗ୍ରି ପର୍ ହୋଇଯିବାର ଆଶଙ୍କା
ଭୁବନେଶ୍ବର : ପ୍ରଚଣ୍ଡ ତାତିରେ ଜଳୁଛି ପଶ୍ଚିମ ଓଡ଼ିଶା। ଅଧିକାଂଶ ସ୍ଥାନରେ ପାରଦ ଉପର ମୁହାଁ। ପାରଦ କମିବାର ନାଁ ଧରୁ ନଥିବା ବେଳେ ଶନିବାରଠାରୁ ଆହୁରି ତାପମାତ୍ର ବଢ଼ିବ। ଅଧିକାଂଶ ସ୍ଥାନରେ ପାରଦ ୪୫ ଡିଗ୍ରି ପର୍ ହୋଇଯିବାର ଆଶଙ୍କା ରହିଛି। ଟିଟିଲାଗଡ଼, ସୋନପୁର, ତାଳଚେର, ବଲାଙ୍ଗୀର, ଝାରସୁଗୁଡ଼ା, ବରଗଡ଼ ଆଦି ସ୍ଥାନରେ ସାଂଘାତିକ ସ୍ଥିତି ହେବ। ପ୍ରବଳ ଖରା ଯୋଗୁଁ ଅଂଶୁଘାତ ଆଶଙ୍କା ବଢ଼ିପାରେ। ବୟସ୍କଙ୍କ ସମେତ ଛୋଟ ପିଲା, ମହିଳାମାନେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ତେଣୁ ଯେତେଦୂର ସମ୍ଭବ ସେମାନେ ତାତିରୁ ରକ୍ଷା ପାଇବା ଲାଗି ସତର୍କତା ଅବଲମ୍ବନ କରନ୍ତୁ ବୋଲି ପରାମର୍ଶ ଦିଆଯାଇଛି।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ହେଉଛି ଯେ ମେ’ ୩୦ ଯାଏ ଓଡ଼ିଶାରେ ସମାନ ସ୍ଥିତି ଲାଗିରହିବ। ସାରା ଓଡ଼ିଶାରେ ତାପମାତ୍ରା ବଢ଼ିବ। ଗୋଟିଏ ଦୁଇଟି ସ୍ଥାନରେ ୪୭ ଡିଗ୍ରି ଡେଇଁବାର ଆଶଙ୍କା ରହିଛି। ବିଶେଷକରି ସକାଳ ୯ଟାରୁ ଅପରାହ୍ଣ ୫ଟା ଯାଏ ପ୍ରଚଣ୍ତ ଖରାରେ ଜଳିବ ଓଡ଼ିଶା। ଭୁବନେଶ୍ବରରୁ ଟିଟିଲାଗଡ଼ ପର୍ଯ୍ୟନ୍ତ ସମାନ ସ୍ଥିତି ଉପୁଜିବ। ଘରୁ ବାହାରିବା କଷ୍ଟକର ହୋଇପଡ଼ିବ। ଆସନ୍ତା ୩ ଦିନ ଯାଏ ପ୍ରତିଦିନ ଗୋଟିଏରୁ ଦୁଇ ଡିଗ୍ରି ପର୍ଯ୍ୟନ୍ତ ତାପମାତ୍ରା ବଢ଼ିବ। ଖରା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିବ। ୨୭ ତାରିଖ ବେଳକୁ ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ପାରଦ ୪୭ ଡିଗ୍ରି ଉପରେ ପହଞ୍ଚିବ। ଭୁବନେଶ୍ବର, କଟକ, କେନ୍ଦ୍ରାପଡ଼ା, ବାଲେଶ୍ବର, ନୟାଗଡ଼ ଆଦି ସ୍ଥାନରେ ପାରଦ ୪୦ ଡିଗ୍ରି ଉପରକୁ ଚାଲିଯାଇପାରେ। ଏହି ସମୟ ମଧ୍ୟରେ କାଳବୈଶାଖୀ ପ୍ରଭାବ ବି ଦେଖିବାକୁ ମିଳିବ। ମାଲକାନଗିରି, କୋରାପୁଟ, ଗଜପତି, କନ୍ଧମାଳ, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କଟକ, ନୟାଗଡ଼ ଓ ଯାଜପୁର ଜିଲ୍ଲାରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି।
ପାଣିପାଗ ବିଶେଷଜ୍ଞଙ୍କ ଆକଳନ ହେଉଛି ଯେ ୫ ଦିନ ଯାଏ ତାତିରୁ ନିସ୍ତାର ମିଳିବ ନାହିଁ। ପାରଦ ଉପର ମୁହାଁ ରହିବ। ତେବେ ୨୮ ତାରିଖ ବେଳକୁ ପାରଦ ଧୀରେ ଧୀରେ ତଳକୁ ଖସିବ। ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ଆଶଙ୍କା ରହିଛି। ତେବେ ଜୁନ୍ ପ୍ରଥମ ସପ୍ତାହ ବେଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବାର ସମ୍ଭାବନା ରହିଛି। ଯେଉଁଥିପାଇଁ ପାରଦ ସାମାନ୍ୟ କମିପାରେ। ଜୁନ୍ ଦ୍ବିତୀୟ ସପ୍ତାହ ଅର୍ଥାତ୍ ୧୦ରୁ ୧୫ ତାରିଖ ମଧ୍ୟରେ ମୌସୁମୀ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି।
ଗତ ସପ୍ତାହକ ପରି ଆଜି ମଧ୍ୟ ଟିଟିଲାଗଡ଼ ତାପମାତ୍ରା ରାଜ୍ୟରେ ସର୍ବୋଚ୍ଚ ରହିଛି। ଏଠାରେ ୪୪.୨ ଡିଗ୍ରି ରେକର୍ଡ କରାଯାଇଛି। ଏହାବ୍ୟତୀତ ସମ୍ବଲପୁରରେ ୪୩.୯, ହୀରାକୁଦରେ ୪୩.୮, ତାଳଚେରରେ ୪୩.୭, ଝାରସୁଗୁଡ଼ାରେ ୪୩.୬, ସୋନପୁରରେ ୪୩.୨, ବଲାଙ୍ଗୀରରେ ତାପମାତ୍ରା ୪୨.୭ ଡିଗ୍ରି ରହିଥିଲା। ଉପକୂଳ ଓଡ଼ିଶାର ଚାନ୍ଦବାଲି, କଟକ, ଭୁବନେଶ୍ବର ତାପମାତ୍ରା ୩୭ ଡିଗ୍ରି ଉପରେ ରହିଥିଲା।