୪୧ ଡିଗ୍ରି ଛୁଇଁଲା ମାଲକାନଗିରି

ଭୁବନେଶ୍ବର : ସାରା ରାଜ୍ୟରେ ବଢ଼ୁଛି ତାତି। ଭୁବନେଶ୍ବରରୁ ଭବାନୀପାଟଣା ହେଉ ଅଥବା ମୟୂରଭଞ୍ଜରୁ ମାଲକାନଗିରି। ସବୁଠି ଦିନର ସର୍ବୋଚ୍ଚ ତାପମାତ୍ରା ୩୬ ଡିଗ୍ରି ଉପରକୁ ଚାଲିଯାଇଛି। ଗୋପାଳପୁର, ପୁରୀ, ପାରାଦୀପ, ଦାରିଙ୍ଗବାଡ଼ିକୁ ଛାଡ଼ି ଦେଲେ ଅନ୍ୟ ସମସ୍ତ ସ୍ଥାନରେ ଆଜି ଦିନର ତାପମାତ୍ରା ୩୫ ଡିଗ୍ରି ଉପରକୁ ଚାଲିଯାଇଛି। ମାଲକାନଗିରିର ତାପମାତ୍ରା ଇତି ମଧ୍ୟରେ ୪୧ ଡିଗ୍ରି ଛୁଇଁଛି। ଚଳିତବର୍ଷର ସର୍ବୋଚ୍ଚ ତାପମାତ୍ରା ଆଜି ଏଠାରେ ରେକର୍ଡ କରାଯାଇଛି। ଆଗକୁ ଆହୁରି ବଢ଼ିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

କୁହାଯାଇଛି ଯେ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଦକ୍ଷିଣ, ପଶ୍ଚିମ, ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଖୋର୍ଧା, କଟକ, ନୟାଗଡ଼ ଜିଲ୍ଲାରେ ତାପମାତ୍ରା ୨ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଭୁବନେଶ୍ବର ସହରର ତାପମାତ୍ରା ୩୯ ଡିଗ୍ରି ଉପରକୁ ଚାଲିଯିବ। ପଶ୍ଚିମ ଓଡ଼ିଶାର କେତେକ ସ୍ଥନରେ ତାପମାତ୍ରା ୪୦ ଡିଗ୍ରି ଟପିଯିବ। ତେବେ ଏହି ସମୟରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଯାଜପୁର, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ଆଶଙ୍କା ରହିଛି। ଏହାପରେ ତାପମାତ୍ରା ପୁଣିଥରେ ବଢ଼ିବ।

ସମ୍ବନ୍ଧିତ ଖବର