୪୦ ଡିଗ୍ରି ଛୁଇଁବ ତାତି

ଭୁବନେଶ୍ୱର : ତାତିରୁ ଉତ୍ତର ଓଡ଼ିଶାବାସୀଙ୍କୁ ମିଳିଛି ଟିକିଏ ଆଶ୍ୱସ୍ତି। ଗତକାଲି ବାଲେଶ୍ୱରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଆଜି ୩ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇଛି। ଏଥିସହ ମୟୂରଭଞ୍ଜ, କେନ୍ଦୁଝର, ଝାରସୁଗୁଡ଼ାର ତାପମାତ୍ରା କିଛି ମାତ୍ରାରେ କମିଛି। ଉପକୂଳ ଓଡ଼ିଶାରେ ବି ମିଳିଛି ସାମାନ୍ୟ ଆଶ୍ୱସ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶାର କେତେକ ସ୍ଥାନରେ ଝିପିଝିପି ବର୍ଷା ହୋଇଥିବାରୁ ତାପମାତ୍ରାରେ ଏଭଳି ପରିବର୍ତନ ଦେଖିବାକୁ ମିଳିଛି। ଉପକୂଳ ଓ ଅଭ୍ୟନ୍ତରୀଣ ଓଡ଼ିଶାରେ କାଳବୈଶାଖୀ ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଥିଲେ ମଧ୍ୟ ସେଭଳି କିଛି ହୋଇ ନାହିଁ। ସୁନ୍ଦରଗଡ଼ରେ ଦୁଇ ମି.ମି. ବର୍ଷା ହୋଇଥିବା ବେଳେ ବାଲେଶ୍ୱରରେ ୦.୩ ମି.ମି., ଝାରସୁଗୁଡ଼ା, କେନ୍ଦୁଝର, ଯାଜପୁରର କେତେକ ସ୍ଥାନରେ ଝିପିଝିପି ବର୍ଷା ହୋଇଛି। ପାଗ ବି କୋହଲା ରହିଥିଲା।

ଅନ୍ୟପକ୍ଷରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା ତାପମାତ୍ରା ବଢ଼ିଛି। ମାଲକାନଗିରି ଓ ସୋନପୁରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୮.୪ ଡିଗ୍ରି ରେକର୍ଡ ହୋଇଛି। ଏଥିସହ ଟିଟିଲାଗଡ଼ ତାପମାତ୍ରା ୩୭ ଡିଗ୍ରି ଥିବା ବେଳେ ଭୁବନେଶ୍ୱରର ତାପମାତ୍ରା ଟିକିଏ ହ୍ରାସ ପାଇ ୩୭.୬, ତାଳଚେରରେ ୩୭, ଭବାନୀପାଟଣାରେ ୩୬.୨, ବଲାଙ୍ଗିର ଓ ବାରିପଦାରେ ୩୬ ଡିଗ୍ରି ରେକର୍ଡ ହୋଇଛି। ସମସ୍ତ ସହରର ସର୍ବୋଚ୍ଚ ତାପମାତ୍ରା ୩୦ ଡିଗ୍ରି ଉପରେ ରହିଥିଲା। ୧୫ଟି ସହରର ତାପମାତ୍ରା ୩୫ ଡିଗ୍ରି ଡେଇଁଛି।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦେଶକ ଶରତ ସାହୁଙ୍କ କହିବାନୁଯାୟୀ ଏଣିକି ତାପମାତ୍ରା ବଢ଼ିବ। ସବୁ ସହରର ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ମାର୍ଚ୍ଚ ୨ ବେଳକୁ କେତେକ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରି ଛୁଇଁବାର ସମ୍ଭାବନା ରହିଛି। ଆଉ ବର୍ଷା କିମ୍ବା କାଳବୈଶାଖୀର ସମ୍ଭାବନା ହିଁ ନାହିଁ।

ସମ୍ବନ୍ଧିତ ଖବର