କଲବଲ ହେଲା ସାରା ଓଡ଼ିଶା : ପଶ୍ଚିମରେ ବର୍ଷିଲା ନିଆଁ, ଉପକୂଳ, ଉତ୍ତରରେ ଗୁଳୁଗୁଳି

ଅଂଶୁଘାତ ନେଲା ଚାରି ପ୍ରାଣ, ବଜ୍ରପାତରେ ଦୁଇ, ଆଜି ୧୩ଜିଲ୍ଲାକୁ କାଳବୈଶାଖୀ ଡର

ଭୁବନେଶ୍ୱର : ମୁହଁ ହାତ ପୋଡ଼ି ଯାଉଥିଲା, କାନ ସିଝି ଯାଉଥିଲା। ଉପରୁ ଟାଏଁ ଟାଏଁ ବର୍ଷିଥିଲା ନିଆଁ। ପବନ ତ ଯେମିତି ଫୁଟୁଥିଲା।
ପ୍ରଚଣ୍ଡ ତାତି ଓ ଗୁଳୁଗୁଳିରେ ସାରା ରାଜ୍ୟ ଆଜି ଏମିତି କଲବଲ ହୋଇଥିଲା ଦିନତମାମ। ତତଲା କଡ଼େଇ ସଦୃଶ ପାଲଟି ଯାଇଥିଲା ପଶ୍ଚିମ ଓଡ଼ିଶା। ୧୩ଟି ସହରର ତାପମାତ୍ରା ୪୦ ଡିଗ୍ରି ସେଣ୍ଟିଗ୍ରେଡ୍‌ ଡେଇଁ ଯାଇଥିଲା। ବଲାଙ୍ଗୀର ତାତି ୪୪.୫ ଡିଗ୍ରୀ ଛୁଇଁଥିଲା। ଏପଟେ ଉପକୂଳରେ ତାତି ସେଭଳି ନ ଥିଲେ ହେଁ, ଦିନରେ ଆର୍ଦ୍ରତା ୫୫ପ୍ରତିଶତ ଉପରକୁ ଡେଇଁଥିଲା। ଏଣୁ ଗୁଳୁଗୁଳି ଓ ଝାଞ୍ଜିମାଡ଼ ପୂର୍ବାହ୍ନରେ କଷ୍ଟ ବଢାଇ ଦେଇଥିଲା। ଖରା ଓ ଗୁଳୁଗୁଳି ଅସ୍ତବ୍ୟସ୍ତ କରି ପକାଇଥିଲା।

ଏ ତାତିରୁ ଆଗକୁ ନିସ୍ତାର ମିଳିବ ବୋଲି ଆଶ୍ୱାସନା ଶୁଣାଇଛି ପାଣିପାଗ ବିଭାଗ। ଯଦିଓ ଆଜି ୮ଟି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ଥିଲା, କେତେକ ସ୍ଥାନକୁ ଛାଡ଼ି ଦେଲେ ଅଧିକାଂଶ ସ୍ଥାନରେ ଆକାଶରେ ମିଳାଇଯାଇଥିଲା ବାଦଲ।

ପାଣିପାଗ ବିଭାଗ ଆଜି ପୁଣି ପୂର୍ବାନୁମାନ କରିଛି, ଆସନ୍ତାକାଲି ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ, ଦେବଗଡ, ବଲାଙ୍ଗୀର,
କଳାହାଣ୍ଡି, ଭଦ୍ରକ, ଗଜପତି, କନ୍ଧମାଳ, ରାୟଗଡ଼ା, ଖୋର୍ଧା, ବାଲେଶ୍ୱର ଓ କେନ୍ଦ୍ରାପଡାରେ କାଳବୈଶାଖୀ ଜନିତ ଝ଼ଡ଼ ତୋଫାନ ହୋଇପାରେ। ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବ। ବଜ୍ରପାତ ଭୟ ବି ରହିଛି।

ଏପଟେ ଅସମର୍ଥିତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆଜି ଅଂଶୁଘାତରେ ୪ଜଣଙ୍କ ପ୍ରାଣହାନି ଘଟିଛି। ଆଠଗଡ଼ର ରାଧାବଲ୍ଲଭ ପୁରର ଗୋକୁଳାନନ୍ଦ ନାୟକ (୪୫)ଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ସେହିଭଳି ଉତ୍ତର ଓଡ଼ିଶାରେ ତିନିଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି। ତିହିଡି ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ଗାଁର ନାଗାର୍ଜୁନ ସେଠୀଙ୍କ ପୁଅ ପ୍ରଫୁଲ୍ଲ ସେଠୀ, ଭୋଗରାଇ କର୍ମଦାରେ (ମୟୂରଭଂଜ ଜିଲ୍ଲାରୁ କୃଷି ଶ୍ରମିକ ଭାବେ କାମ କରିବାକୁ ଆସିଥିବା) ରେମୁ ପିଙ୍ଗୁଆର ନବ ବିବାହିତା ପତ୍ନୀ ମାସୁରୀ ତାମାଡ଼ (୨୫) ଓ ରେମୁଣାର ନରେନ୍ଦ୍ର ବାରିକ (୫୮) ଅଂଶୁଘାତରେ ପ୍ରାଣ ହରାଇଛନ୍ତି।

ସ୍ୱତନ୍ତ୍ର ରିଲିଫ୍‌ କମିସନରଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ମୁତାବକ, ଏଯାଏ ଅଂଶୁଘାତରେ ୧୬ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଛି। ହେଲେ ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିନଥିବା କାରଣରୁ କୌଣସି ଗୋଟିଏ ଘଟଣାରେ ବି ଜିଲ୍ଲାପାଳଙ୍କ ରିପୋର୍ଟ ହସ୍ତଗତ ହୋଇନାହିଁ।

ମାଲକାନଗିରିରେ ମଧ୍ୟ ସନ୍ଧ୍ୟାରେ ବଜ୍ରପାତ କାରଣରୁ ଦୁଇଜଣ ପ୍ରାଣ ହରାଇଛନ୍ତି। କାଲିମେଳା ଥାନା ଅନ୍ତର୍ଗତ ଏମଭି-୨୭ ଗ୍ରାମର ନିତାଇ ପୋଦ୍ଦାର ଓ ତାଙ୍କ ପତ୍ନୀ ଘର ବାରଣ୍ଡାରେ ବସିଥିବା ବେଳେ ବଜ୍ରପାତ ହୋଇଥିଲା। ଫଳରେ ଘଟଣା ସ୍ଥଳରେ ପତ୍ନୀଙ୍କ ମୃତ୍ୟୁ ହୋଇଥିଲା। ତେବେ ସ୍ୱାମୀ ନିତାଇ ଗୁରୁତର ହୋଇପଡ଼ିଥିଲେ। ସେହିଭଳି ଭେଜାଗୁଡା ପଞ୍ଚାୟତ ଅଧୀନସ୍ଥ ଅଁଳାପଦ ଗାଁର ସନ୍ୟା କଟିଆଙ୍କ ସ୍ତ୍ରୀ ଦୀତିକା କଟିଆ ପିଇବା ପାଣି ଆଣିବାକୁ ଯାଇଥିବା ବେଳେ ବଜ୍ରପାତ ହୋଇଥିଲା। ଘଟଣାସ୍ଥଳରେ ହିଁ ସେ ପ୍ରାଣ ହରାଇଥିଲେ।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ମୁଖ୍ୟ ଡ. ଶରତ ସାହୁଙ୍କ ପୂର୍ବାନୁମାନ କହୁଛି, ଉପକୂଳରେ ତାତି ଅଧିକ ଅନୁଭୂତ ହେଉନାହିଁ, ତାର କାରଣ ହେଉଛି, ଏଠାରେ ଦିନରେ ହାରାହାରି ୩୦ରୁ ୩୫ କିଲୋମିଟର ବେଗରେ ପବନ ବହୁଛି। ଉତ୍ତର ପଶ୍ଚିମା ପବନ କେନ୍ଦ୍ର ଓଡ଼ିଶା ଆକାଶରେ ଦିଗ ପରିବର୍ତନ କରୁଛି। ଉପକୂଳରେ ଦକ୍ଷିଣ ପଶ୍ଚିମା ପବନ ବହୁଛି। ଖରାର ପ୍ରକୋପ ନ ଥିଲେ ହେଁ, ଗୁଳୁଗୁଳି କାରଣରୁ ସ୍ଥିତି ଅସହ୍ୟ ହୋଇପଡୁଛି। ଆଜି ଆକାଶରେ ବାଦଲ ଦେଖାଦେଇଥିଲା। ହେଲେ ଗୋଟିଏ ଦୁଇଟି ସ୍ଥାନ ଛାଡିଦେଲେ ଅନ୍ୟ ସ୍ଥାନରେ କାଳବୈଶାଖୀ ବର୍ଷା ହେଲା ନାହିଁ। ସମ୍ଭବତଃ, ଆସନ୍ତାକାଲି ପୂର୍ବାହ୍ନରେ କିଛି ସ୍ଥାନରେ ବର୍ଷା ହୋଇପାରେ।

ଡ. ସାହୁ ଆହୁରି କହିଛନ୍ତି, ଓଡ଼ିଶା ସୀମାନ୍ତ ଛତିଶଗଡ଼ ଆଦି ରାଜ୍ୟରେ ଏବେ ପ୍ରବଳ ତାତି ଅନୁଭୂତ ହେଉଛି। ଏହାର ପ୍ରଭାବ ପଶ୍ଚିମ ଓଡ଼ିଶାରେ ପଡୁଛି। ଯେହେତୁ ସାମୁଦ୍ରିକ ପବନ ସେ ଅଞ୍ଚଳରେ ପ୍ରବାହିତ ହେଉନାହିଁ, ଏଣୁ ଉପର ଆକାଶରେ ଉତ୍ତର ପଶ୍ଚିମା ବହୁଛି ଓ ତାତି ବଢୁଛି।

ପଶ୍ଚିମ ଓଡ଼ିଶାରେ ଲଗାତାର ୪ ଦିନ ହେଲା ତାତି ବଢ଼ୁଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଲାଣି। ଲୋକେ ଡହଳବିକଳ ହେଉଛନ୍ତି। ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଘରୁ ପଦାକୁ ବାହାରିବା ମୁସ୍କିଲ ହୋଇପଡ଼ୁଛି। ଅପରାହ୍ନରେ ହାଲକା ପବନ ହେଉଥିଲେ ମଧ୍ୟ ତାତି କମାଇବା ଦିଗରେ ତାହା ପର୍ଯ୍ୟାପ୍ତ ହୋଇପାରୁ ନାହିଁ। ଅପରାହ୍ନ ୫ଟା ଯାଏ ତାତିର ଜବରଦସ୍ତ ପ୍ରଭାବ ଅନୁଭୂତ ହେଉଛି। ଆଜି ବି ବଲାଙ୍ଗୀର (୪୪.୫) ଓ ସୋନପୁର ତାପମାତ୍ରା ୪୪ ଡିଗ୍ରି ଉପରେ ଥିଲା। ପଶ୍ଚିମ ଓଡ଼ିଶା ଅନ୍ତର୍ଗତ ସମ୍ବଲପୁର (୪୩.୮), ହୀରାକୁଦ (୪୩.୫), ଟିଟିଲାଗଡ (୪୩.୫), ଝାରସୁଗୁଡା(୪୩.୪), ସୁନ୍ଦରଗଡ (୪୨) ଓ ଭବାନୀପାଟଣା (୪୧.୭) ଆଦି ୮ଟି ସହରରେ ସ୍ଥିତି ଅତ୍ୟନ୍ତ ଉତ୍କଟ ଅବସ୍ଥାରେ ପହଞ୍ଚିଥିଲା। ସେହିଭଳି ଏହାବ୍ୟତୀତ ଅନୁଗୁଳ (୪୧.୧), ଢେଙ୍କାନାଳ(୪୦.୫), କେନ୍ଦୁଝରଗଡ଼ (୪୦.୦), ତାଳଚେର (୪୩) ରେ ବି ଆଜି ପ୍ରବଳ ତାତି ଅନୁଭୂତ ହୋଇଥିଲା। ମାଲକାନଗିରି ତାପମାତ୍ରା ୪୨.୪ ଡିଗ୍ରି ରହିଥିଲା।

ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୩୭.୨ ଡିଗ୍ରି ଓ କଟକରେ ୩୬.୫ ଡିଗ୍ରି ଥିଲେ ହେଁ, ଅସହ୍ୟ ଗୁଳୁଗୁଳି କାରଣରୁ ପୂର୍ବାହ୍ନକୁ ତତାଇ ଦେଇଥିଲା।

ତେବେ ଆଜି ମାଲକାନଗିରିରେ ଝଡ଼ବର୍ଷା ସହ ବଜ୍ରପାତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହି ଜିଲ୍ଲାରେ ୨୭ ମି.ମି. ବର୍ଷା ହୋଇଛି। ଏଥିସହ ବଜ୍ରପାତରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ପ୍ରାଥମିକ ସୂଚନା ମିଳିଛି। ଦାରିଙ୍ଗବାଡ଼ିରେ ବି କାଳବୈଶାଖୀ ପ୍ରଭାବରେ ୧୧ ମି.ମି. ବର୍ଷା ହୋଇଥିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଭଞ୍ଜନଗର ଅଞ୍ଚଳରେ କାଳବୈଶାଖୀ କାରଣରୁ ଲୋକେ ଟିକିଏ ଆଶ୍ୱସ୍ତ ହୋଇଛନ୍ତି।

ସମ୍ବନ୍ଧିତ ଖବର