ମନ୍ଦିରର ୧୨୧୦ ଏକର ଜମି ଗାଏବ

ସବୁ ଥାଇ ବି ନାରାୟଣ ‘ଦରିଦ୍ର’!

ରତ୍ନଭଣ୍ଡାରରେ ମିଳୁନି ବହୁମୂଲ୍ୟ ଅଳଙ୍କାର

ଭଂଜନଗର (ସୁରେଶ କୁମାର ନାଇଡୁ): ଶ୍ରୀକ୍ଷେତ୍ରରେ ମହାପ୍ରଭୁ ଜଗତରନାଥ ଜଗନ୍ନାଥଙ୍କ ରତ୍ନ ଭଣ୍ଡାରରେ କଣ ରହିଛି? ଏହା ପଛରେ କଣ ରହସ୍ୟ ଅଛି? ଏଭଳି ନାନା ପ୍ରଶ୍ନକୁ ନେଇ ଆଜି ସାରା ରାଜ୍ୟରେ ଚାଲିଛି ନାନା ତର୍କବିତର୍କ ଓ ଚର୍ଚ୍ଚା। ତେବେ ରାଜ୍ୟର ଗଡ଼ଜାତ ଅଞ୍ଚଳରେ ରାଜରାଜୁଡ଼ା ଅମଳରେ ନିର୍ମିତ ଅନେକ ମନ୍ଦିର ଓ ଦୁର୍ଗ ଆଜି ବି ରହିଛି ଯାହାର ରହସ୍ୟ ଭେଦିବାକୁ କେହି ବି ସାହସ କରିପାରିନାହାନ୍ତି। ଅର୍ଦ୍ଧାଧିକ ଐତିହାସିକ ମନ୍ଦିର ଓ ମଠ ବର୍ତମାନ ଜବରଦଖଲ କବଳରେ ରହିଛି। କେଉଁଠି ମନ୍ଦିର ଜମି ହଡ଼ପ ତ ଆଉ କେଉଁଠି ଲକ୍ଷାଧିକ ଟଙ୍କାର ବହୁମୂଲ୍ୟ ଅଳଙ୍କାରର ଖୋଜ୍‌ଖବର ମିଳୁନି। ବହୁ ମନ୍ଦିର ଦେବୋତ୍ତର ବିଭାଗ ଅଧୀନରେ ରହିଥିଲେ ବି ଏହାର ରକ୍ଷଣାବେକ୍ଷଣ ହୋଇପାରୁ ନଥିବାର ନଜିର୍‌ ରହିଛି। କିଛି ସ୍ଥାନରେ ବଦାନ୍ୟ ବ୍ୟକ୍ତି ଓ ପୂର୍ବ ପୂଜକ ତଥା ବଡପଣ୍ଡାଙ୍କ ପରିବାରର ଦୟାରେ ମନ୍ଦିର ପରିଚାଳିତ ହେଉଛି।

ଏହାର ଏକ ନଜିର୍‌ ହେଉଛି ଗଂଜାମ ଜିଲ୍ଲା ଭଂଜନଗର ଉପକଣ୍ଠ ନାରାୟଣପାଟଣାରେ (ନାରାୟଣପୁରଶାସନ) ବିରାଜିତ ନାରାୟଣ ମନ୍ଦିର। ଦିନ ଥିଲା ଏହି ଐତିହାସିକ ମନ୍ଦିର ଘୁମୁସର ମାଟିର ଗୌରବ ବହନ କରୁଥିଲା। ହେଲେ ଆଜି ମହାପ୍ରଭୁ ନାରାୟଣ ନିଜେ ଦରିଦ୍ର ପାଲଟିଯାଇଛନ୍ତି। ୧୨୭୦ ଏକର ଜମିରୁ ୧୨୦୧ ଜମି ଏବେ ଜବରଦଖଲକାରୀଙ୍କ କବଳରେ ଥିବା ବେଳେ ରତ୍ନ ଭଣ୍ଡାରରେ ଥିବା ବିଭିନ୍ନ ସୁନା, ରୁପା, ଅଳଙ୍କାର ଆଦି ଉଭାନ୍‌ ହୋଇସାରିଛି। ସ୍ଥିତି ଏମିତି ହୋଇଛି ଯେ, ନିୟମିତ ପୂଜା କରିବାକୁ ପୂଜକ ବି ନାହାନ୍ତି। ପରିଚାଳନା କମିଟିରେ ଥିବା ବଡ଼ ପଣ୍ଡା ୨ଜଣଙ୍କୁ ବହୁତ କଷ୍ଟରେ ନିଯୁକ୍ତି ଦେଇଛନ୍ତି।

୧୭୬୦ ମସିହାରେ ଘୁମୁସର ଅଂଚଳରେ କୃଷ୍ଣଚନ୍ଦ୍ର ଭଂଜ ଶାସନଙ୍କ ଶାସନ ଅମଳରେ ଏହି ମନ୍ଦିର ପ୍ରତିଷ୍ଠିତ ହୋଇଥିଲା। ୫ଟି ବ୍ରାହ୍ମଣଶାସନ ଗାଁ ମଧ୍ୟରୁ ନାରାୟଣପାଟଣା ଗୋଟିଏ ଥିଲା। ପରବର୍ତୀ ସମୟରେ ତାମିଲନାଡୁର ଶ୍ରୀରଙ୍ଗମ୍‌ରୁ ଲକ୍ଷ୍ମୀନାରାୟଣ ପ୍ରତିମୂର୍ତ୍ତି ଅଣାଯାଇ ସ୍ଥାପନ କରାଯାଇଥିଲା। ମନ୍ଦିରର ଚତୁଃପାର୍ଶ୍ୱରେ ମହାଦେବ, ଗୋବିନ୍ଦ ନୃସିଂହ, ମଦନମୋହନ, ହନୁମାନ ଆଦି ମନ୍ଦିର ଆଜି ବି ରହିଛି। ମହାପ୍ରଭୁ ନାରାୟଣଙ୍କ ପାଇଁ ରାଜା ବିଭିନ୍ନ ଗାଁରେ ୧୨୭୨ ଏକର ଜମି ଦାନ ଆକାରରେ ଦେଇଥିଲେ। ପରିଚାଳନା ପାଇଁ ୧୯୨୭ ମସିହାରେ ଦେବୋତ୍ତର ବିଭାଗ ମନ୍ଦିରକୁ ନିଜ ଅଧୀନକୁ ନେଇଥିଲା। ସେତେବେଳେ ମନ୍ଦିରଟି ଟ୍ରଷ୍ଟ ବୋର୍ଡ ଦ୍ୱାରା ଚାଲୁଥିଲା। ୧୯୨୭ମସିହାରୁ ୧୯୫୦ ମସିହା ପର୍ଯ୍ୟନ୍ତ ୧୨ଜଣ ଟ୍ରଷ୍ଟର ଅଧ୍ୟକ୍ଷ ରହିଥିବା ନେଇ ଦେବୋତ୍ତର କମିସନ୍‌ଙ୍କ ଦ୍ୱାରା ୧୯୫୩ ମସିହା ଅଡିଟ୍‌ ରିପୋର୍ଟରେ ଦର୍ଶାଯାଇଛି।

ମନ୍ଦିରର ରେକର୍ଡ ଅନୁସାରେ ଜିରୋଳିରେ ୪୬୩ ଏକର ୮୦ ସେଣ୍ଟ, ପଥରାପଲିରେ ୨୯୧ ଏକର ୬୮ ସେଣ୍ଟ, ଢ଼ୁଢ଼ୁବାରେ ୧୨୧ଏକର ୭୮ ସେଣ୍ଟ, ଅଗଝୋଳରେ ୧୬୩ଏକର ୭୪ ସେଣ୍ଟ, ଖପରାରେ ୬୨ ଏକର ୯୯ ସେଣ୍ଟ, ଗୋପୀନାଥପୁରରେ ୨୩ ଏକର, ନାରାୟଣପୁର ଓ କୁରୁମୁପଢ଼ାଳରେ ୨୦ ଏକର ୭୨ସେଣ୍ଟ, ଲକ୍ଷ୍ମଣପୁରରେ ୫ଏକର, ଭାରସାପଲିରେ ୨୨ଏକର ୨୬ସେଣ୍ଟ, ଓଉପାଲିରେ ୫ଏକର, ଭେଜିପୁଟରେ ୩୪ ସେଣ୍ଟ, ବାରୁଡାରେ ୨ଏକର ୫୦ସେଣ୍ଟ, ସାନକୋଦଣ୍ଡାରେ ୩୧ଏକର ୫୦ସେଣ୍ଟ, ବରଗାଁରେ ୨୮ଏକର ୨୮ସେଣ୍ଟ, ବେଙ୍ଗସରରେ ୮୮ ସେଣ୍ଟ, ଜିଲୁଣ୍ଡିରେ ୧ଏକର ୬୫ସେଣ୍ଟ, ନିଳାଦ୍ରିପୁରରେ ୬ ଏକର, ନାରାୟଣପୁରରେ ୨୦ଏକର ୪୩ ସେଣ୍ଟ ଏଭଳି ସର୍ବମୋଟ ୧୨୭୧ ଏକର ୮୫ସେଣ୍ଟ ଜମି ମନ୍ଦିର ନାମରେ ରହିଥିଲ। ସେ ସମୟରେ ଜମି ଗୁଡିକର ସେଟଲ୍‌ମେଣ୍ଟ ହୋଇ ନଥିବାରୁ ଆନୁମାନିକ ଭାବେ ଜମିର ପରିମାଣକୁ ରେକର୍ଡଭୁକ୍ତ କରାଯାଇଥିଲା। କିନ୍ତୁ ସରକାର ଜମି ସେଟଲ୍‌ମେଣ୍ଟ କରି ନଥିବାରୁ ସଂପ୍ରତି ସମସ୍ତ ଜମିରୁ ୧୧୧୦ ଏକର ଜମି ଜବରଦଖଲକାରୀଙ୍କ କବଳକୁ ପଳାଇଛି। ସରକାର ପୁଣି ଥରେ ଏସମସ୍ତ ରେକର୍ଡର ତର୍ଜମା କରନ୍ତୁ ବୋଲି ନାରାୟଣମନ୍ଦିରର ବଡପଣ୍ଡାଙ୍କ ବଂଶଜ ପ୍ରଦ୍ୟୁମ୍ନ ପଣ୍ଡା କହିଛନ୍ତି। ଏହି ସବୁ ଅଂଚଳରୁ ମହାସୁଲ୍‌ ଆସୁଥିଲା ଏବଂ ମନ୍ଦିର ପରିଚାଳନା ହେଉଥିଲା।

ସେଭଳି ମନ୍ଦିରରେ ମହାପ୍ରଭୁ ନାରାୟଣଙ୍କ ସୁନା ଓ ରୁପାର ଅଳଙ୍କାର ରହିଥିଲା। ଗୋଟିଏ ସୁନାର କିରଟି ୨୦ ତୋଳାରୁ ଅଧିକ, ସୁନା ସେବତୀ ମାଳି ୧୨ ତୋଳା, ସୁନାକଣ୍ଠ ପାତିଆ ଗୋଟିଏ ତୋଳା, ସୁନା ଚିପା ଗୋଟିଏ ତୋଳା ଏପରି ୩୪.୨୬ ତୋଳା ସୁନା ଅଳଙ୍କାର ରହିଥିଲା। ସେହିପରି ୯୮୩.୫୪ ତୋଳା ରୁପା ଅଳଙ୍କାର, ବିଭିନ୍ନ ପାଟର ଶାଢୀ, ପିତ୍ତଳର ସାମଗ୍ରୀ ସହ ୧୪୦୭.୧୭ ତୋଳ ସୁନା ଅଳଙ୍କାରକୁ ଭଣ୍ଡାର ଘରେ ରଖାଯାଉଥିଲା। କିନ୍ତୁ ତାହା ଦିଶୁନି କି ମିଳୁନି। ଏଦିଗରେ ଦେବୋତ୍ତର ବିଭାଗ ଉଚ୍ଚସ୍ତରୀୟ ତଦନ୍ତ କରିବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।

ବର୍ତମାନ ମାତ୍ର ୬୦ ଏକର ଜମିରୁ ମହାସୁଲ ଆଦାୟ ହେଉଛି। ବେଲଗୁଣ୍ଠା, ଭଂଜନଗର, ବଡ଼କୋଦଣ୍ଡା ଆର୍‌ଆଇ ସର୍କଲରେ ଥିବା ଏସମସ୍ତ ଜମିର ପୁନରୁଦ୍ଧାର ଦିଗରେ ଜିଲ୍ଳା ପ୍ରଶାସନ ଦୃଷ୍ଟି ଦେବା ଦରକାର ବୋଲି କୁହାଯାଉଛି। ସ୍ଥାନୀୟ ବିଧାୟକ ତଥା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ବିକ୍ରମ କେଶରୀ ଅରୁଖ ନିଜ ପାଣ୍ଠିରୁ ୩ ଲକ୍ଷ ଟଙ୍କା ପ୍ରଥମେ ସହାୟତା ପ୍ରଦାନ କରିଥିଲେ। ବିଧାୟକ ପାଣ୍ଠି ଓ ବଦାନ୍ୟ ବ୍ୟକ୍ତିଙ୍କ ସହାୟତାକୁ ନେଇ ବଡ଼ପଣ୍ଡା ପ୍ରଦ୍ୟୁମ୍ନ ପଣ୍ଡାଙ୍କ ତତ୍ତ୍ୱାବଧାନରେ ବର୍ତମାନ ମନ୍ଦିରର ରୂପରେଖରେ ପରିବର୍ତନ କରାଯାଇଛି। ତେବେ ସବୁଥାଇ ମହାପ୍ରଭୁ ନାରାୟଣ ଗରିବ ଅବସ୍ଥାରେ ଚଳିବା କେତେଦୂର ଯୁକ୍ତିଯୁକ୍ତି ବୋଲି ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଭଂଜନଗର ଉପଜିଲ୍ଲାପାଳ ଲକ୍ଷ୍ମୀକାନ୍ତ ସେଠୀ କହିଛନ୍ତି, ମନ୍ଦିରର ସମ୍ପତ୍ତି ସଂକ୍ରାନ୍ତରେ କୌଣସି ତଥ୍ୟ ତାଙ୍କ ନିକଟରେ ନାହିଁ। ତେବେ ଏଦିଗରେ ସେ ଭଂଜନଗର ତହସିଲଦାରଙ୍କ ସହ ଆଲୋଚନା କରିବେ।

ସମ୍ବନ୍ଧିତ ଖବର