ପୌର ଅସ୍ଥାୟୀ କର୍ମଚାରୀ ମହାସଂଘର ଧାରଣା ଷଷ୍ଠ ଦିନରେ

ଭୁବନେଶ୍ୱର : ପୌର ଅସ୍ଥାୟୀ କର୍ମଚାରୀଙ୍କ ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ପ୍ରତିବାଦରେ ଓଡ଼ିଶା ପୌର ଅସ୍ଥାୟୀ କର୍ମଚାରୀ ମହାସଂଘର ଧାରଣା ୬ଦିନରେ ପହଞ୍ଚିଛି। ୨୦ବର୍ଷ ଧରି କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ସରକାର ଅଣଦେଖା କରୁଥିବାରୁ ସଂଘର କାର୍ଯ୍ୟକାରୀ ସଭାପତି ଅମର ନାୟକଙ୍କ ନେତୃତ୍ୱରେ ଚାଲିଥିବା ଧାରଣାରେ ଅସନ୍ତୋଷ ପ୍ରକାଶ ପାଇଥିଲା।

ସଂଘର କହିବାନୁଯାୟୀ, ୧୯୯୯ ମସିହାରେ ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପୌରସଂସ୍ଥାରେ କାର୍ଯ୍ୟରତ ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କରିବାକୁ ନିର୍ଦେଶନାମା ଜାରି କରିଥିଲେ। ୧୦ ବର୍ଷରୁ ଅଧିକ ସମୟ ଧରି ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରିଥିବା ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କରିବାକୁ ନିର୍ଧାରଣ କରିଥିଲେ। ମାତ୍ର ରାଜ୍ୟ ସରକାର ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରି ନାହାନ୍ତି। ଅନେକ କର୍ମଚାରୀ ବିନା ଚାକିରି ସ୍ଥାୟିତ୍ୱରେ ପ୍ରାଣ ହରାଇ ସାରିଲେଣି। ଅନେକ ଅବସର ଗ୍ରହଣ କରିଛନ୍ତି। ମାତ୍ର ସଂଘଣ ଦାବିକୁ ସରକାର ଅଣଦେଖା କରି ଚାଲିଛନ୍ତି। ଯଦି ସରକାର ଆମର ଦାବି ତୁରନ୍ତ ପୂରଣ ନକରନ୍ତି, ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ସାଧାରଣ ସମ୍ପାଦକ ରଶ୍ମିରଞ୍ଜନ ଗୁରୁ ଓ ଅନ୍ୟମାନେ ଧାରଣାରେ ସାମିଲ ହୋଇଛନ୍ତି।

ସମ୍ବନ୍ଧିତ ଖବର