୧୨ଟି ନୂଆ ବନ୍ଦର ପାଇଁ ଜାରି ହୋଇଛି ବିଜ୍ଞପ୍ତି

ଭୁବନେଶ୍ବର : ଓଡ଼ିଶାରେ ଆଉ ୧୨ଟି ନୂଆ ବନ୍ଦର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ବିଭିନ୍ନ ସମୟରେ ବିଜ୍ଞପ୍ତି ଜାରି କରିଛନ୍ତି। ବିଜେପି ସଭ୍ୟ ଦିଲ୍ଲୀପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ବାଣିଜ୍ୟ ମନ୍ତ୍ରୀ ନୃସିଂହ ଚରଣ ସାହୁ ଏହି ସୂଚନା ଦେଇଛନ୍ତି।

ମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ ପାରାଦୀପ, ଧାମରା ଓ ଗୋପାଳପୁରରେ ୩ଟି ବନ୍ଦର କାର୍ଯ୍ୟକ୍ଷମ ରହିଛି। ୧୯୯୧ ମସିହାରେ ବାଲେଶ୍ବରର ବାହାବଳପୁରଠାରେ ବନ୍ଦର ନିର୍ମାଣ ପାଇଁ ସରକାର ବିଜ୍ଞପ୍ତି ଜାରି କରିଥିଲେ। ସେହିପରି ୧୯୯୭ ମସିହାରେ ଆଉ ୮ଟି ବନ୍ଦର ନିର୍ମାଣ ପାଇଁ ବିଜ୍ଞପ୍ତି ଜାରି କରାଯାଇଥିଲା। ଏଗୁଡ଼ିକ ହେଲା ପୁରୀ ଜିଲ୍ଲାର ଅସ୍ତରଙ୍ଗ ଓ ବାଲି ହରଚଣ୍ଡୀ, ବାଲେଶ୍ବରର ଇଞ୍ଚୁଡ଼ି, ଚାନ୍ଦୀପୁର ଓ ସୁବର୍ଣ୍ଣରେଖା ମୁହାଣ, ଗଞ୍ଜାମର ବାହୁଦା ମୁହାଣ ଓ ଭଦ୍ରକର ଚୂଡ଼ାମଣି। ଏହା ବାଦ୍ ଜଗତସିଂହପୁରର ଜଟାଧାର ମୁହାଣରେ ବନ୍ଦର ପ୍ରତିଷ୍ଠା ପାଇଁ ୨୦୦୦ ମସିହାରେ ଓ ବାଲେଶ୍ବରର ତଳସାରିଠାରେ ଅନ୍ୟ ଏକ ବନ୍ଦର ପାଇଁ ୨୦୧୭ ମସିହାରେ ବିଜ୍ଞପ୍ତି ପ୍ରକାଶ ପାଇଛି। ବାହାବଳପୁର ବନ୍ଦର ନିର୍ମାଣ କାର୍ଯ୍ୟ ବିଶେଷ ଆଗେଇ ନାହିଁ। ‌ସେହିପରି ୧୯୯୭ ମସିହାରେ ଯେଉଁ ୮ଟି ବନ୍ଦର ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା, ତାହା ମଧ୍ୟରୁ ସୁବର୍ଣ୍ଣରେଖା ମୁହାଣରେ ବନ୍ଦର ନିର୍ମାଣ ଲାଗି ଏକ ପୁଞ୍ଜିନିବେଶକାରୀ ସଂସ୍ଥା ସହ ୨୦୦୮ରେ ଚୁକ୍ତିପତ୍ର ସ୍ବାକ୍ଷର ହୋଇଛି। ଭଦ୍ରକର ଚୂଡ଼ାମଣିଠାରେ ବନ୍ଦର ନିର୍ମାଣ ପାଇଁ ୨୦୦୯ ମସିହାରେ ଆଦିତ୍ୟ ବିର୍ଲା ଗ୍ରୁପ୍ ସହ ରାଜ୍ୟ ସରକାର ବୁଝାମଣାପତ୍ର ସ୍ବାକ୍ଷର କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଏହି ସଂସ୍ଥା ଉକ୍ତ ପ୍ରକଳ୍ପରୁ ଓହରିଯାଇଛି।

ସମ୍ବନ୍ଧିତ ଖବର