ମଣିଷ ଖାଇଲା ମହାବଳ : ବାଛୁରୀ ପରେ ମହିଳାଙ୍କୁ ମାରିଲା ‘ସୁନ୍ଦରୀ’, ଉତ୍ତ୍ୟକ୍ତ ଲୋକଙ୍କ ବିଟ୍‌ ହାଉସ୍‌, ରେଞ୍ଜ୍‌ କାର୍ଯ୍ୟାଳୟ ପୋଡ଼ାଜଳା

ବନ୍ତଳା : ଶେଷରେ ଆଶଙ୍କା ସତ ହେଲା। ଦୀର୍ଘ ୫୦ ଦିନର ଛକାପଞ୍ଝା ପରେ ଆଜି ମଣିଷ ଶିକାର କରିଛି ମହାବଳ ‘ସୁନ୍ଦରୀ’। ଜଣେ ମହିଳା ନାଳରେ ଗାଧୋଉଥିବା ବେଳେ ତାଙ୍କୁ ଝାମ୍ପି ନେଇଛି ରକ୍ତମୁଖା ବାଘୁଣୀ। ପ୍ରାୟ ୫୦ ମିଟର ଦୂରକୁ ଘୋଷାରି ନେବା ପରେ ଦେହ ସାରା ରାମ୍ପି ବିଦାରିି ପୁଳାଏ ମାଂସ ଖାଇ ଶବକୁ ଛାଡ଼ି ଛୁ ମାରିଛି। ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ଟିକରପଡ଼ା ରେଞ୍ଜ୍‌ ହାତୀବାରି ଗାଁରେ ଆଜି ମଧ୍ୟାହ୍ନରେ ‘ସୁନ୍ଦରୀ’ ଏମିତି ଭୟଙ୍କର ରୂପ ଦେଖାଇଛି। ଉତ୍ତ୍ୟକ୍ତ ଗାଁ ଲୋକେ ହାତୀବାରି ବିଟ୍‌ ହାଉସ୍‌, ଟିକରପଡ଼ା ରେଞ୍ଜ୍‌ ଅଫିିସ୍‌ ଓ ବନ ବିଭାଗ ବୋଟ୍‌କୁ ନିଆଁ ଲଗାଇ ଜାଳି ଦେଇଛନ୍ତି। ବିଟ୍‌ ହାଉସ୍‌ ଜଗୁଆଳିଙ୍କୁ ମାଡ଼ ମାରିଛନ୍ତିି। କଟରଙ୍ଗ ଚେକ୍‌ପୋଷ୍ଟ ଭାଙ୍ଗି ଦେଇଥିବା ବେଳେ ପୁରୁଣାକୋଟ୍‌-ଟିକରପଡ଼ା ରାସ୍ତାରେ କାଠଗଣ୍ଡି ପକାଇ ରାସ୍ତା ଅବରୋଧ ଆନ୍ଦୋଳନ ଚଳାଇଛନ୍ତି। ଉତ୍ତେଜନା ଲାଗି ରହିଥିବାରୁ ଭୟରେ ବନ ବିଭାଗ କର୍ମଚାରୀ ଗାଁକୁ ଯିବାକୁ ସାହସ କରି ପାରିନାହାନ୍ତି।

‘ସୁନ୍ଦରୀ’ ଶିକାର କରିଥିବା ମହିଳା ଜଣକ ହେଉଛନ୍ତି ହାତୀବାରି ଗାଁର କିିଶନ ସାଏଙ୍କ ସ୍ତ୍ରୀ କୈଳାସୀ ସାଏ(୪୫)। କିଶନଙ୍କ କହିବା ଅନୁସାରେ, ପ୍ରତିଦିନ ଭଳି ଆଜି କୈଳାସୀ ଛେଳି ଚରାଇ ଘରକୁ ଫେରିଥିଲେ। ମଧ୍ୟାହ୍ନ ସମୟରେ ଘର ପଛ ପାଖ ବଡ଼ଢିପ ନାଳକୁ ଗାଧୋଇବାକୁ ଯାଇଥିଲେ। ଫେରିବାରେ ବିଳମ୍ବ ହେବାରୁ ତାଙ୍କୁ ଖୋଜାଖୋଜି କରାଯାଇଥିଲା। ନାଳ ପାଖରେ ମହାବଳର ପାଦ ଚିହ୍ନ ପଡ଼ିଥିବା ବେଳେ ନାଳ କୂଳରେ ଘୋଷଡ଼ା ଚିହ୍ନ ଥିଲା। ଚିହ୍ନକୁ ଅନୁସରଣ କଲା ବେଳକୁ ନାଳଠାରୁ ୫୦ମିଟର ଦୂରରେ କୈଳାସୀଙ୍କର ମୃତ ଦେହ ପଡ଼ିଥିଲା। ଦେହ ସାରା ରାମ୍ପୁଡ଼ା ଚିହ୍ନ ରହିଥିବା ବେଳେ ଡାହାଣ ଅଣ୍ଟା ପଛ ପାଖରୁ ଅତି ବୀଭତ୍ସ ଭାବେ ପୁଳାଏ ମାଂସ ଖିଆ ଯାଇଥିବା ଦେଖିବାକୁ ମିଳିଥିଲା। ଯେହେତୁ ଗତ ଦୁଇ ଦିନ ହେଲା ‘ସୁନ୍ଦରୀ’ ଆଖପାଖ ଇଲାକାରେ ଘୂରି ବୁଲୁଥିଲା, ତେଣୁ କୈଳାସୀଙ୍କୁ ବାଘୁଣୀ ମାରିଛି ବୋଲି ଲୋକେ ସ୍ପଷ୍ଟ ହୋଇଥିଲେ। ଖବର ପାଇ ଅନୁଗୁଳରୁ ପୁଲିସ ବିଭାଗର ବରିଷ୍ଠ ଅଧିକାରୀ ଘଟଣାସ୍ଥଳକୁ ଯାଇଛନ୍ତି। ବାଘୁଣୀ ‘ସୁନ୍ଦରୀ’ର ଏଭଳି ରକ୍ତମୁଖା ଭୟଙ୍କର ରୂପ ଆଜିର ନୁହେଁ। ଦୀର୍ଘ ୫୦ ଦିନ କାଳ ଏନ୍‌କ୍ଲୋଜରରେ ବନ୍ଦୀ ଜୀବନ କାଟିବା ପରେ ଅଗଷ୍ଟ ୧୭ ତାରିଖରେ ଯେତେବେଳେ ମୁକ୍ତ ହେଲା ତାର ଠିକ୍‌ ୫ ଦିନ ପରେ ଜିଲିଣ୍ଡା ରେଞ୍ଜ୍‌ର ଓ୍ଵାଚର ସୁରେଶ ବାରିକଙ୍କୁ ଆକ୍ରମଣ କରିଥିଲା। ଓ୍ଵାଚରଙ୍କୁ ଆକ୍ରମଣ କରିବାର ୫ ଦିନ ପରେ ଆଠମଲ୍ଲିକ ବନାଞ୍ଚଳରୁ ଏକ ବାଛୁରୀକୁ ଶିକାର କରି ଖାଇଥିଲା। ବାଛୁରୀ ଶିକାରର ୧୬ ଦିନ ପରେ ଆଜି ମଣିଷ ଶିକାର କରିଛି ‘ସୁନ୍ଦରୀ’।

ସମ୍ବନ୍ଧିତ ଖବର