ଚିକିତ୍ସା ଅବହେଳାରୁ ଗର୍ଭସ୍ଥ ଶିଶୁ ମୃତ, ବାଲେଶ୍ୱର ଡାକ୍ତରଖାନାରେ ଉତ୍ତେଜନା

ବାଲେଶ୍ୱର : ନିରାପଦ ମାତୃତ୍ବ ପାଇଁ ସରକାର କେତେ କଣ ବ୍ୟବସ୍ଥା କରିଛନ୍ତି। ହେଲେ ବିଭାଗୀୟ ଉଦାସୀନତା ଯୋଗୁଁ ଏହା ଫଳପ୍ରଦ ହୋଇ ପାରୁନାହିଁ। ରବିବାର ସକାଳେ ବାଲେଶ୍ବର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଏକ ଶିଶୁପୁତ୍ର ଜନ୍ମ ହେବା ପୂର୍ବରୁ ଆଖି ବୁଜିବା ଘଟଣା ଏହାର ଜ୍ବଳନ୍ତ ଦୃଷ୍ଟାନ୍ତ।

ବାଲେଶ୍ବର ସଦର ଥାନା ଗୋକୁଳପୁର ଗ୍ରାମର ହରେକୃଷ୍ଣ ଗିରିଙ୍କ ପତ୍ନୀ ସୁମନଙ୍କର ଗତକାଲି ସଂଧ୍ୟାରେ ପ୍ରସବଜନିତ ଯନ୍ତ୍ରଣା ହେବାରୁ ପରିବାର ଲୋକେ ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆଣି ମା’ ଓ ଶିଶୁ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ। ସୁମନ ଯନ୍ତ୍ରଣାରେ ଛଟପଟ ହେଉଥିବାରୁ ତାଙ୍କ ସ୍ବାମୀ ଯାଇ ଡାକ୍ତରଙ୍କୁ ଡାକିଥିଲେ। ହେଲେ ରାତି ପ୍ରାୟ ସାଢ଼େ ୧୧ଟାରେ ଡ୍ୟୁଟିରେ ଥିବା ଡାକ୍ତର ପ୍ରସୂତିଙ୍କୁ ଦେଖିବା ସହ ତାଙ୍କର ସ୍ବାଭାବିକ ପ୍ରସବ ହେବ ବୋଲି କହିଥିଲେ। ଆଜି ସକାଳେ ଅନ୍ୟ ଜଣେ ଡାକ୍ତର ଆସି ଆସି ପ୍ରସୂତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ବେଳେ ଗର୍ଭସ୍ଥ ଶିଶୁର ସ୍ବାସ୍ଥ୍ୟାବସ୍ଥା ଭଲ ନଥିବା କହିଥିଲେ। ଏହାର ଘଣ୍ଟାଏ ପରେ ମୃତ ଶିଶୁ ଜନ୍ମ ହୋଇଥିବା ନେଇ ପରିବାର ଲୋକଙ୍କୁ ସୂଚନା ଦିଆଯାଇଥିଲା। ଏହାକୁ ନେଇ ଡାକ୍ତରଖାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। ଘଟଣାର ତଦନ୍ତ ପାଇଁ ଏକ ଚାରିଜଣିଆ କମିଟି ଗଠନ କରାଯାଇଛି ବୋଲି ବାଲେଶ୍ବର ମେଡିକାଲ କଲେଜ ଓ ହସ୍‌ପିଟାଲର ସୁପରିନ୍‌ଟେଣ୍ଡେଣ୍ଟ ଡାକ୍ତର ସୁଧୀର ଘୋଷ କହିଛନ୍ତି।

ସମ୍ବନ୍ଧିତ ଖବର