୭ ଜୁଆଙ୍ଗ ଗିରଫକୁ ନେଇ ଉତ୍ତେଜନା : ବିଟ୍‌ ହାଉସ ଘେରିଲେ ଗ୍ରାମବାସୀ, ତାଲା ଠୁଙ୍କି ଛୁ ମାରିଲେ ବନ କର୍ମଚାରୀ

କାଳିଆପାଣି : ଯାଜପୁରର ସୁକିନ୍ଦା ରେଞ୍ଜ୍ ରାଁସୋଳ ଫରେଷ୍ଟ ସେକ୍ସନ ନାତୁର(୧) ବିଟ୍‌ ହାଉସ ଅଧୀନ ଗୁହିଆଶାଳ ରାଜସ୍ବ ମୌଜାରେ ଆଜି ଏକ ଅଭାବନୀୟ କାଣ୍ଡ ଘଟିଛି। ପାରମ୍ପରିକ ପୋଡ଼ୁଚାଷ ପାଇଁ ଜଙ୍ଗଲ ପଦା କରୁଥିବା ଅଭିଯୋଗରେ ବନ ବିଭାଗ ପକ୍ଷରୁ ଆଜି ୭ ଜଣ ଜୁଆଙ୍ଗଙ୍କୁ ଗିରଫକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି।

ଅଭିଯୁକ୍ତମାନେ ହେଲେ ଗାଁ ମୁଖିଆ ଠେଙ୍ଗେଣିଆ ପ୍ରଧାନ(୫୫), ସ୍ବର୍ଗତ ପୁନିଆ ପ୍ରଧାନଙ୍କ ପୁଅ ସୁଜୁନା(୪୫), ସ୍ବର୍ଗତ ମଦନା ପ୍ରଧାନଙ୍କ ପୁଅ କାଳିଆ(୪୨), ସ୍ବର୍ଗତ ଝାଟି ପ୍ରଧାନଙ୍କ ପୁଅ ସୁଜୁନା(୪୨), ସ୍ବର୍ଗତ ସୁନିଆ ପ୍ରଧାନଙ୍କ ପୁଅ ଅସିଣ(୩୮), ଶଂକର ପ୍ରଧାନଙ୍କ ପୁଅ କୁଞ୍ଜ(୩୨) ଓ ସ୍ବର୍ଗତ ଗଣିଆ ପ୍ରଧାନଙ୍କ ପୁଅ ଆମ୍ବ(୫୦)। ୧୨ ରୁ ଅଧିକ ବନ କର୍ମଚାରୀ ଯୋଜନାବଦ୍ଧ ଭାବେ ଆମ୍ବଗଛ ବାଙ୍କ ପାଖରେ ଛକିରହି କୌଶଳ କ୍ରମେ ଅଭିଯୁକ୍ତମାନଙ୍କୁ କାବୁ କରି କଲରଙ୍ଗି ଢାବାଛକସ୍ଥିତ ସେକ୍ସନ ଅଫିସକୁ ଆଣିଥିଲେ। ଘଟଣାକୁ ନେଇ ଗୁହିଆଶାଳ ଗ୍ରାମବାସୀ ଓ ବନ କର୍ମଚାରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଉତ୍ତ୍ୟକ୍ତ ଗ୍ରାମବାସୀ ସଂଘବଦ୍ଧ ଭାବେ ବନ କର୍ମଚାରୀଙ୍କୁ ଗୋଡ଼ାଇଥିଲେ। ବନ ବିଭାଗ ପକ୍ଷରୁ ଅଭିଯୁକ୍ତମାନଙ୍କୁ ବନ ସଂରକ୍ଷଣ ଆଇନ(୧୯୭୨)ର ଧାରା ୩୭ ଉଲଂଘନ ଆଧାରରେ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହୋଇଯିବାରୁ ସମସ୍ତ ଅଭିଯୁକ୍ତଙ୍କୁ ବିଚାରାଧୀନ ବନ୍ଦୀ ଭାବେ ଜେଲ୍‌ ହାଜତ ପଠାଇ ଦିଆଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର