ଏସ୍‌ସିବି, ଆଚାର୍ଯ୍ୟ ହରିହରରେ ଔଷଧ ପାଇଁ ବିକଳ ସ୍ଥିତି : ନିରାମୟରେ ମିଳୁନି, ସ୍ବୀକୃତିପ୍ରାପ୍ତ ଦୋକାନୀ ଦେଉନାହାନ୍ତି, ଡାକ୍ତରଙ୍କୁ ବାହାର ଔଷଧ ଲେଖିବା ମନା

କଟକ : କଟକରେ ଔଷଧ ପାଇଁ ବିକଳ ସ୍ଥିତି। ନିରାମୟ କାଉଣ୍ଟରରେ ହାତଗଣତି ଔଷଧ। ସେପଟେ ଟଙ୍କା ବାକିଥିବାରୁ ସ୍ବୀକୃତିପ୍ରାପ୍ତ ଔଷଧ ଦୋକାନୀ ରୋଗୀଙ୍କୁ ଔଷଧ ଦେଉନାହାନ୍ତି। ଏପଟେ ଡାକ୍ତରଙ୍କ ହାତବନ୍ଧା; ସେମାନେ ବାହାର ଔଷଧ ଲେଖି ପାରିବେନି। ଏହାର ସିଧା ପ୍ରଭାବ ପଡ଼ୁଛି ରୋଗୀଙ୍କ ଉପରେ। କ’ଣ କରିବେ? କେଉଁଠୁ ଔଷଧ ଆଣିବେ? କେମିତି ରୋଗ ଭଲ ହେବ? ଏସବୁକୁ ନେଇ ବିକଳ ସ୍ଥିତିରେ ଅଛନ୍ତି କଟକ ବଡ଼ ମେଡିକାଲ ଓ ଆଚାର୍ଯ୍ୟ ହରିହରର ହଜାର ହଜାର ରୋଗୀ। ପାଖାପାଖି ୪ଶହ ଔଷଧରୁ ଏସ୍‌ସିବିରେ ମାତ୍ର ୧୦୫ ପ୍ରକାର ଔଷଧ ଓ ଆଚାର୍ଯ୍ୟ ହରିହରରେ ମାତ୍ର ୭୦/୮୦ ପ୍ରକାର ଔଷଧ ମିଳୁଛି।

ଏସ୍‌ସିବି ମେଡିକାଲ କଲେଜ ରାଜ୍ୟର ସବୁଠାରୁ ବଡ଼ ରେଫରାଲ ହସ୍ପିଟାଲ ହୋଇଥିବା ବେଳେ ଆଚାର୍ଯ୍ୟ ହରିହର ଆଂଚଳିକ କର୍କଟ ଚିକିତ୍ସା କେନ୍ଦ୍ର ସବୁଠାରୁ ବଡ଼ କର୍କଟ ରୋଗ ଚିକିତ୍ସାଳୟ। କେବଳ ରାଜ୍ୟ ଭିତରୁ ନୁହନ୍ତି, ରାଜ୍ୟ ବାହାରୁ ମଧ୍ୟ ଅନେକ ରୋଗୀଙ୍କ ଆଶା, ଭରସା ଏହି ଦୁଇ ଚିକିତ୍ସାଳୟ। ସରକାର ଏଠାରେ ମାଗଣା ସ୍ବାସ୍ଥ୍ୟସେବାର ବ୍ୟବସ୍ଥା କରିଛନ୍ତି ସିନା, ଭିତ୍ତିଭୂମିରେ ସୁଧାର ଆଣିଲେ ନାହିଁ। ସେହି ପୁରୁଣା ଭିତ୍ତିଭୂମିରେ ଆରମ୍ଭ ହୋଇଛି ମାଗଣା ଯୋଜନା। ଏବେ ମୋ’ ସରକାର ଓ ୫-ଟି ଯୋଜନା ଆରମ୍ଭ ହେବା ପରେ ସ୍ବାସ୍ଥ୍ୟସେବାରେ ସୁଧାର ଆଣିବା ପାଇଁ ସଚିବଙ୍କ ସମେତ ଆର୍‌ଡିସି ଘନ ଘନ ଏସ୍‌ସିବି ଓ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ପରିଦର୍ଶନ କରି ପରାମର୍ଶ ଦେଉଛନ୍ତି। ହେଲେ ରୋଗୀଙ୍କ ମୌଳିକ ସୁବିଧା ତଥା ଜରୁରୀ ସୁବିଧାର ସମାଧାନ ହୋଇପାରୁନି। ବିଭିନ୍ନ ରୋଗ ପାଇଁ ଡାକ୍ତର ଲେଖୁଛନ୍ତି ଔଷଧର ଲମ୍ବା ଚିଠା। ହେଲେ, ରୋଗୀ ସମ୍ପର୍କୀୟ ଚିଠା ଧରି ନିରାମୟ କେନ୍ଦ୍ରରେ ପହଞ୍ଚିଲା ବେଳକୁ ଅଧାରୁ ଅଧିକ ଜରୁରୀ ଔଷଧ ମିଳୁନି। ସ୍ବୀକୃତିପ୍ରାପ୍ତ ଦୋକାନକୁ ଗଲେ ସେଠାରେ ମଧ୍ୟ ଔଷଧ ମୁଳୁନି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମେଡିକାଲ କର୍ତ୍ତୃପକ୍ଷଙ୍କ ଉପରେ କୋଟି କୋଟି ଟଙ୍କା ବାକି ପଡ଼ିଥିବାରୁ ସେମାନେ ଔଷଧ ଦେବାକୁ ମନା କରୁଛନ୍ତି। ସେପଟେ ବାହାରୁ ଔଷଧ ଲେଖିବାକୁ ଡାକ୍ତରଙ୍କୁ ମନା। ସେମାନେ କେବଳ ଔଷଧର ଜେନେରିକ୍‌ ନାମ ଲେଖିବାକୁ କୁହାଯାଇଛି ଯାହା ନିରାମୟ କେନ୍ଦ୍ରରେ ମିଳିବ। ଦୋକାନରୁ କିଣିଲେ ତାର ନାମ ବଦଳିଯିବ। ବର୍ତ୍ତମାନ ସ୍ଥିତି ଏମିତି ଯେ, ଏସ୍‌ସିବି ଓ ଆଚାର୍ଯ୍ୟ ହରିହର କର୍କଟ ଚିକିତ୍ସା କେନ୍ଦ୍ରର ନିରାମୟ କେନ୍ଦ୍ରରେ କିଛି ପଞ୍ଚବ୍ୟାଧି ବା ରେଗୁଲାର ଔଷଧକୁ ଛାଡ଼ିଦେଲେ ବାକି କୌଣସି ଦାମୀ ଔଷଧ ମିଳୁନି।

ହୃଦ୍‌ରୋଗ ବିଭାଗରେ ବି ସମାନ ସ୍ଥିତି। ସେଠାରେ ମାଗଣାରେ ଅନେକ ଜଟିଳ ଅପରେସନ୍‌ ହେଉଛି ସିନା, ଦାମୀ ଔଷଧ ମିଳୁନି। କେବଳ ସେତିକି ନୁହେଁ, ବେଡ୍‌ ଅଭାବରୁ ତଳେ ଗଡୁଛନ୍ତି ରୋଗୀ। ଆଇସିୟୁ ମିଳୁନି, ଔଷଧ ବି ମିଳୁନି। ବିଭିନ୍ନ ପରୀକ୍ଷଣ ପାଇଁ ରୋଗୀଙ୍କୁ ଦିନ ଦିନ ଅପେକ୍ଷା କରିବାକୁ ପଡୁଛି। କର୍କଟ କେନ୍ଦ୍ରରେ ମାତ୍ର ଜଣେ ରେଡିଓଲୋଜିଷ୍ଟଙ୍କ ହାତରେ ସବୁ ପରୀକ୍ଷଣ ଦାୟିତ୍ବ ରହିଥିବାରୁ କେତେକ ପରୀକ୍ଷଣ/ରିପୋର୍ଟ‌୍ ପାଇଁ ରୋଗୀଙ୍କୁ ମାସ ମାସ ଧରି ଅପେକ୍ଷା କରିବାକୁ ପଡ଼ୁଛି। ଏଭଳି ଦୁର୍ବଳ ଓ ସଙ୍କଟଜନକ ସ୍ଥିତିରେ ରାଜ୍ୟର ଦୁଇ ପ୍ରମୁଖ ହସ୍ପିଟାଲ ଥିବାବେଳେ ସରକାରଙ୍କ ୫-ଟି ଯୋଜନା କିପରି କାର୍ଯ୍ୟକାରୀ ହେଉଥିବ ସହଜେ ଅନୁମେୟ।

ସମ୍ବନ୍ଧିତ ଖବର