ଓଡ଼ିଶା-ଛତିଶଗଡ଼ ସୀମାରେ ସ୍ଥିତି ଅସମ୍ଭାଳ : ରାଜପଥ ଅବରୋଧ କଲେ ହଜାର ହଜାର ପ୍ରବାସୀ

ପଞ୍ଜୀକରଣ ନଥାଇ ଓଡ଼ିଶା ସୀମା ଭିତରକୁ ପଳାଇ ଆସୁଥିବାରୁ ଅଡ଼ୁଆରେ ପ୍ରଶାସନ, ୧୯ଟି ବସ୍‌ରେ ପଠାଗଲା

ବରଗଡ଼/ସୋହେଲା : ଓଡ଼ିଶା-ଛତିଶଗଡ଼ ସୀମା ସୋହେଲା ବ୍ଲକ୍‌ ଲୁହୁରାଚଟୀରେ ଅସମ୍ଭାଳ ସ୍ଥିତି ଲାଗି ରହିଛି। ପଞ୍ଜୀକରଣ ନଥାଇ ପ୍ରତିଦିନ ହଜାର ହଜାର ପ୍ରବାସୀ ଓଡ଼ିଶା ସୀମା ଭିତରକୁ ପଳାଇ ଆସୁଥିବାରୁ ସେମାନଙ୍କୁ ନିଜ ଜିଲ୍ଲା କିମ୍ବା ରାଜ୍ୟକୁ ପଠାଇବାକୁ ବିଳମ୍ବ ହେଉଛି। ଯଦ୍ବାରା ଅପ୍ରୀତିକର ସ୍ଥିତି ସୃଷ୍ଟି ହେଉଛି ଏବଂ ପ୍ରଶାସନ ଅଡ଼ୁଆରେ ପଡ଼ିଛି।

ରବିବାର ମଧ୍ୟ ଦିନ ତମାମ ପ୍ରବାସୀମାନେ ହଂଗାମା କରିଥିଲେ। କୌଣସି ହିସାବରେ ପ୍ରଶାସନ ଏବଂ ପୁଲିସ୍‌ ମିଶି ସ୍ଥିତିକୁ କାବୁ କରିଥିଲେ। ବିକଳ୍ପ ନଥିବାରୁ ବାହାର ରାଜ୍ୟର ପ୍ରବାସୀଙ୍କୁ ଟ୍ରକ୍‌ କିମ୍ବା ବସ୍‌ ଉପରେ ବସାଇ ପଠାଯାଇଥିଲା। କିନ୍ତୁ ରବିବାର ରାତିରୁ ୫ ହଜାରରୁ ଅଧିକ ବାହାର ରାଜ୍ୟର ସୀମାରେ ପହଂଚି ହଂଗାମା ଆରମ୍ଭ କରିବା ସହ ରାଜପଥ ଅବରୋଧ କରିଥିଲେ। ଫଳରେ ରାଜପଥରେ ଯାତ‌ାୟତ ସଂପୂର୍ଣ୍ଣ ବନ୍ଦ ରହିବା ସହ ପ୍ରବାସୀଙ୍କ ପଞ୍ଜୀକରଣ ମଧ୍ୟ ‌ହୋଇ ପାରିନଥିଲା।

ମହାରାଷ୍ଟ୍ର, ଗୁଜରାଟ ସମେତ ବିଭିନ୍ନ ରାଜ୍ୟରେ ଫସି ରହିଥିବା ଓଡ଼ିଶା ସମେତ ଝାଡ଼ଖଣ୍ଡ ଓ ପଶ୍ଚିମବଂଗର ପ୍ରବାସୀ ଶ୍ରମିକ ସଡ଼କପଥରେ ନିଜ ରାଜ୍ୟକୁ ଏହି ସୀମାନ୍ତ ଦେଇ ଫେରୁଛନ୍ତି। ଲୁହୁରାଚଟୀଠ‌ାରେ ଗତକାଲିଠାରୁ ପ୍ରବାସୀ ହଜାର ହଜାର ସଂଖ୍ୟାରେ ପହଂଚିବା ଏବଂ ସେମାନଙ୍କୁ ସେଠାରୁ ସେମାନଙ୍କ ଗନ୍ତବ୍ୟ ସ୍ଥଳକୁ ପଠାଇବା ଜିଲ୍ଲା ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି। ଛତିଶଗଡ଼ ତଥା ମହାରାଷ୍ଟ୍ର ସରକାରଙ୍କ ଦ୍ୱାରା ପ୍ରବାସୀଙ୍କୁ ବସ୍‌ ଏବଂ ବିଭିନ୍ନ ଯାନବାହନରେ ଓଡ଼ିଶା ସୀମାନ୍ତରେ ଛାଡ଼ି ଦେଉଛନ୍ତି। ପରେ ପ୍ରବାସୀମାନେ ଛତିଶଗଡ଼ ସୀମାନ୍ତ ବଂଜାରୀ ନାକା ରେହେଟିଖୋଲରୁ ଚାଲିଚାଲି ଓଡ଼ିଶାକୁ ଆସୁଛନ୍ତି। ଏହି ସଂଖ୍ୟା ହଜାର ହଜାର ହେବାରୁ ସମସ୍ୟା ସୃଷ୍ଟି ହୋଇଛି। ଶନିବାର ସେଠାରେ ଫସି ରହିଥିବା ପ୍ରବାସୀଙ୍କୁ କୌଣସି ପ୍ରକାରେ ବ୍ୟବସ୍ଥା ନହେବାରୁ ଗତକାଲିଠାରୁ ଚେକଗେଟ୍‌ ଅଂଚଳ ଅଶାନ୍ତ ହୋଇ ପଡ଼ିଥିଲା।

ମହାରାଷ୍ଟ୍ର ସରକାର ତାଙ୍କ ରାଜ୍ୟରେ ଫସିଥିବା ଓଡ଼ିଶା ଓ ପଶ୍ଚିମବଙ୍ଗର ହଜାର ହଜାର ପ୍ରବାସୀଙ୍କୁ ସରକାରୀ ବସ୍‌ରେ ଆଣି ସୀମାରେ ଓହ୍ଲାଇ ଦେଇଥିଲେ । ଏହି ପ୍ରବାସୀମାନେ ଲୁହୁରାଚଟୀ ପହଂଚିଥିଲେ। ସେମାନେଙ୍କୁ ନିଜ ଇଲାକାକୁ ପଠାଇବାରେ ବିଳମ୍ବ ହେବାରୁ ରାତି ୩ଟାରୁ ଜାତୀୟ ରାଜପଥକୁ ସଂପୂର୍ଣ ଅବରୋଧ କରି ରଖିଥିଲେ। ସୋମବାର ସକାଳୁ ବହୁ ଲୋକ ନିଜ ପିଲାଛୁଆଙ୍କୁ ଧରି ଚାଲିଚାଲି ସୀମା ଅତିକ୍ରମ କରିଥିଲେ। ପଦ୍ମପୁର ଏସଡିପିଓ ପ୍ରଦୀପ କୁମାର ସାହୁ, ସୋହେଲା ଆଇଆଇସି ନିର୍ମଳ ମହାପାତ୍ରଙ୍କ ସମେତ ପୁଲିସ୍‌ ଅଧିକାରୀ ଉତ୍ତ୍ୟକ୍ତ ପ୍ରବାସୀଙ୍କୁ ବୁଝାସୁଝା କରିଥିଲେ। ପ୍ରାୟ ହଜାରେ ଓଡ଼ିଆ ପ୍ରବାସୀଙ୍କୁ ୧୯ଟି ବସ୍‌ରେ ସେମାନଙ୍କ ନିଜ ଜିଲ୍ଲାକୁ ପଠା ଯାଇଥିବା ସୋହେଲା ବିଡିଓ ବିଶ୍ୱରଂଜନ କର ସୂଚନା ଦେଇଛନ୍ତି। ଗଂଜାମ ଜିଲ୍ଲାକୁ ୧୦ଟି ବସ୍‌, ପୁରୀ ଓ ଖୋର୍ଦ୍ଧାକୁ ଜିଲ୍ଲା ପାଇଁ ୩ଟି ବସ, ବାଲେଶ୍ୱର ଜିଲ୍ଲା ପାଇଁ ୫ଟି ବସ ଏବଂ କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ଗୋଟିଏ ବସ୍‌ରେ ପ୍ରବାସୀଙ୍କୁ ପଠାଯାଇଥିଲା।

ସମ୍ବନ୍ଧିତ ଖବର