ଶ୍ରୀମନ୍ଦିରରେ ମୋବାଇଲ୍‌କୁ‌ ନେଇ ଉତ୍ତେଜନା

ଆନ୍ଧ୍ର ପୁଲିସ-ଜେଟିଏସ୍‌ ଧସ୍ତାଧସ୍ତି, ୨୦୦୦ ଟଙ୍କା ଜରିମାନା ଆଦାୟ, ମୋବାଇଲ୍‌ରୁ ଡିଲିଟ୍‌ ହେଲା ଫଟୋ

ପୁରୀ : ଶ୍ରୀମନ୍ଦିର ଭିତରେ ମୋବାଇଲ୍‌ ଫୋନ୍‌ ବ୍ୟବହାରକୁ ନେଇ ଆଜି ଉତ୍ତେଜନା ପ୍ରକାଶ ପାଇଥିଲା। ନିର୍ବାଚନ ଡ୍ୟୁଟିରେ ଆସିଥିବା ଆନ୍ଧ୍ର ପୁଲିସ ମୋବାଇଲ୍‌ କ୍ୟାମେରାରେ ଫଟୋ ଉଠାଇବା ଘଟଣାକୁ କେନ୍ଦ୍ର କରି ଜେଟିଏସ୍‌ (ଜଗନ୍ନାଥ ଟେମ୍ପୁଲ ସ୍କ୍ବାଡ୍‌)ଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଶେଷରେ ଆନ୍ଧ୍ର ପୁଲିସ କର୍ମଚାରୀଙ୍କଠାରୁ ୨ ହଜାର ଟଙ୍କା ଜରିମାନା ଆଦାୟ କରାଯିବା ସହ ସେମାନଙ୍କ ମୋବାଇଲ୍‌ରେ ଥିବା ଫଟୋଗୁଡ଼ିକୁ ଡିଲିଟ୍‌ କରାଯାଇଛି। ତେବେ ଏହି ଘଟଣା ସଂପର୍କରେ ଗାରଦରେ ରିପୋର୍ଟ ହୋଇନାହିଁ।

ନିର୍ବାଚନ ଡ୍ୟୁଟିରେ ଆସିଥିବା ଆନ୍ଧ୍ର ପୁଲିସ୍‌ର ଯବାନ୍‌ମାନେ ଆଜି ଶ୍ରୀମନ୍ଦିରକୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିଲେ। ସକାଳେ ୨୫ରୁ ଅଧିକ ଯବାନ୍‌ ଭିତରକୁ ପ୍ରବେଶ କରିଥିଲେ। ସେମାନଙ୍କୁ ଗେଟ୍‌ରେ ଠିକ୍‌ ଭାବେ ଯାଞ୍ଚ କରାଯାଇନଥିଲା। ଫଳରେ ସେମାନଙ୍କ ମଧ୍ୟରୁ ଏକାଧିକ ଯବାନ୍‌ ମୋବାଇଲ୍‌ ଫୋନ୍‌ ଧରି ଦେଉଳ ଭିତରକୁ ପଶିଥିଲେ। ସେଠାରେ ବୁଲିବା ଓ ଦର୍ଶନ କରିବା ସମୟରେ ମୋବାଇଲ୍‌ କ୍ୟାମେରାରେ ଫଟୋ ଉଠାଇଥିଲେ। ଯବାନ୍‌ଙ୍କ ଏହି କାର୍ଯ୍ୟକୁ ଦେଖି ଆପତ୍ତି ଉଠାଇଥିଲେ ଜେଟିଏସ୍‌ କର୍ମଚାରୀ। ପ୍ରଥମେ ସେମାନଙ୍କୁ ବାରଣ କରିଥିଲେ। ମୋବାଇଲ୍‌ ଭିତରକୁ ଆଣିବା କଥା ନୁହେଁ, କାହିଁକି ଆଣିଲ ବୋଲି ପଚାରିଥିଲେ। ହେଲେ ଏହାର ଜବାବରେ ଆନ୍ଧ୍ର ପୁଲିସର ଯବାନ୍‌ମାନେ ନାଲି ଆଖି ଦେଖାଇଥିଲେ। ବାହାରକୁ ପଳାଇଯିବାକୁ ଜେଟିଏସ୍‌ କର୍ମଚାରୀମାନେ କହିଥିଲେ ମଧ୍ୟ ସେମାନେ ନଶୁଣି ଫଟୋ ଉଠାଇଥିଲେ। ଏକାଧିକ ଯବାନ୍‌ ଥିବାରୁ ଜେଟିଏସ୍‌ର ଦୁଇ ଜଣିଆ ସ୍କ୍ବାଡ୍‌ ସେମାନଙ୍କୁ ସାମ୍ନା କରିପାରିନଥିଲା। ପରେ ୮ରୁ ଅଧିକ କର୍ମଚାରୀ ଆସି ବାରଣ କରିଥିଲେ। ଫଟୋ ଉଠାଇବା ବେଆଇନ୍‌ ବୋଲି କହିଥିଲେ। ମାତ୍ର ଯବାନ୍‌ମାନେ ଶୁଣିବା ମୁଡ୍‌ରେ ନଥିଲେ। ଏହାକୁ ନେଇ ପ୍ରଥମେ ବଚସା ଓ ପରେ ଧସ୍ତାଧସ୍ତି ଲାଗି ଯାଇଥିଲା। ଖବର ପାଇ ଜେଟିଏସ୍‌ ସ୍କ୍ବାଡ୍‌ର ଅନ୍ୟ ସଦସ୍ୟ ଓ ଶ୍ରୀମନ୍ଦିର ସୁବେଦାର ଘଟଣାସ୍ଥଳରେ ପହଞ୍ଚିଥିଲେ। ଯୁକ୍ତି ଛଳରେ ଅନ୍ୟ ପୁଲିସ୍‌ମାନେ ମନ୍ଦିରରେ ମୋବାଇଲ୍‌ ବ୍ୟବହାର କରୁଥିବା କଥା ଆନ୍ଧ୍ର ଯବାନ୍‌ମାନେ କହିଥିଲେ। ମାତ୍ର ସେମାନଙ୍କ କଥା ଶୁଣାଯାଇନଥିଲା। ଶେଷରେ ଆନ୍ଧ୍ର ପୁଲିସ ଯବାନ୍‌ଙ୍କଠାରୁ ୨ ହଜାର ଟଙ୍କାର ଜରିମାନା ରାଶି ଆଦାୟ କରାଯାଇଥଲା। ସେମାନେ ଉଠାଇଥିବା ଫଟୋକୁ ବି ଡିଲିଟ୍‌ କରାଯାଇଥିଲା।

ସମ୍ବନ୍ଧିତ ଖବର