ପ୍ରଶାସନିକ ଭବନରେ ତାଲା ପକାଇଲେ ଛାତ୍ରଛାତ୍ରୀ

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରୁ ହଟୁନି ଅଚଳାବସ୍ଥା

କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡ଼ାସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରୁ ଅଚଳାବସ୍ଥା ହଟୁନି। ସାଇନ-ଡାଏ ହଟିବା ପରେ ମଧ୍ୟ ପାଠପଢ଼ା ସ୍ୱାଭାବିକ ହୋଇ ପାରୁନି। କାହିଁକି ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ସାଇନ ଡାଏ ଘୋଷଣା କରିଥିଲେ ତା’ର ଉତ୍ତର ମାଗି ଛାତ୍ରଛାତ୍ରୀ ଆଜି ବିଶ୍ୱବିଦ୍ୟାଳୟର ପ୍ରଶାସନିକ ଭବନରେ ତାଲା ପକାଇ ଦେଇଛନ୍ତି। ଫଳରେ ପାଠ ପଢ଼ା ପୁଣି ଠପ୍‌ ହୋଇ ଯାଇଛି। ଏପଟେ ବିଶ୍ୱବିଦ୍ୟାଳୟର ବିବାଦରେ ମୁଣ୍ଡ ପୂରାଇଛି ପ୍ରଶାସନ। ବହୁ ପର୍ଯ୍ୟାୟରେ ଆଲୋଚନା ସତ୍ୱେ ସମାଧାନର ରାସ୍ତା ବାହାରି ପାରି ନାହିଁ।

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି ଦେଖା ଦେବା ପରେ ଗତ ୧୫ତାରିଖରେ କର୍ତୃପକ୍ଷ ସାଇନ-ଡାଏ ଘୋଷଣା କରିଥିଲେ। ଗତ ସୋମବାର ସାଇନ-ଡାଏ ହଟାଇ ଦିଆଯିବା ପରେ ହଷ୍ଟେଲ ଖୋଲିଥିଲା। ଗତକାଲି ଠାରୁ ପାଠପଢ଼ା ଆରମ୍ଭ ହୋଇଥିଲା। ହେଲେ ପାଠପଢ଼ା ସ୍ୱାଭାବିକ ହୋଇ ପାରି ନ ଥିଲା। ବିଶ୍ୱବିଦ୍ୟାଳୟର କିଛି ଅସନ୍ତୁଷ୍ଟ ଛାତ୍ରଛାତ୍ରୀ କ୍ୟାମ୍ପସ ଭିତରେ ପିକେଟିଂ କରି ପାଠ ପଢ଼ାକୁ ବନ୍ଦ କରି ଦେଇଥିଲେ। ପରେ ସେମାନେ ଧାରଣାରେ ବସିଥିଲେ। କିଛି ଛାତ୍ର ଏକାଡେମିକ ବ୍ଲକରେ ତାଲା ପକାଇ ଦେଇଥିଲେ। ତେଣୁ ଭିତରକୁ ଛାତ୍ରଛାତ୍ରୀ କିମ୍ବା ଶିକ୍ଷକ ପଶିପାରି ନ ଥିଲେ। ଫଳରେ ପାଠ ପଢ଼ା ସମ୍ପୂର୍ଣ୍ଣ ଠପ ହୋଇ ଯାଇଛି।

ବିଶ୍ୱବିଦ୍ୟାଳୟର ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଥିଲା ବେଳେ ଏଥିରେ ମୁଣ୍ଡ ପୂରାଇବାକୁ ବାଧ୍ୟ ହୋଇଛି ପ୍ରଶାସନ। ଆଜି କୋରାପୁଟ ଉପ ଜିଲ୍ଲାପାଳ କୃତ୍ତିବାସ ରାଉତ ଓ ଅତିରିକ୍ତ ଏସପି ଭି.ଆର ରାଓ ବିଶ୍ୱବିଦ୍ୟାଳୟକୁ ଯାଇ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ପରେ କୁଳପତି ମଧ୍ୟ ଆଲୋଚନା ପାଇଁ ଯାଇଥିଲେ। ଏହା ମଧ୍ୟ ଫଳପ୍ରଦ ହୋଇ ପାରି ନ ଥିଲା। ଫଳରେ ବିଶ୍ୱବିଦ୍ୟାଳୟରେ ସୃଷ୍ଟି ହୋଇଥିବା ଅଚଳାବସ୍ଥା ଜାରି ରହିଛି। ଛାତ୍ରଛାତ୍ରୀ ସେମାନଙ୍କ ଦାବିରେ ଅଡ଼ି ବସିଛନ୍ତି। ସାଇନ-ଡାଏ କରି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳିଥିବା କର୍ତ୍ତୃପକ୍ଷ ଉତ୍ତର ନ ଦେବା ପର୍ଯ୍ୟନ୍ତ ଛାତ୍ରମାନେ ଧାରଣାରୁ ହଟିବେ ନାହିଁ ବୋଲି ଜିଦ୍‌ ଧରିଛନ୍ତି।

ସମ୍ବନ୍ଧିତ ଖବର